ଓଡିଶାଲାଇଭ୍ ବ୍ୟୁରୋ

ନାଇଜର ପ୍ରଫେସର ହିମାଂଶୁ ଶେଖର ବିଶ୍ଵାଳ ଓ ତାଙ୍କ ଟିମ୍‌କୁ ରସାୟନ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ‘ଦି ପ୍ରୋଡିଜିୟସ ହାଇଡ୍ରୋଜେନ ବଣ୍ଡ ଉଇଥ୍ ସଲଫର ଆଣ୍ଡ ସେଲେନିୟମ ଇନ୍‌ ମଲିକ୍ୟୁଲାର ଆସେମ୍ବ୍ଲିଜ, ଷ୍ଟ୍ରକଚରାଲ ବାୟୋଲୋଜି ଓ ଫଙ୍କସନାଲ ମ୍ୟାଟେରିୟାଲ୍ସ’ ଶୀର୍ଷକ ରିସର୍ଚ୍ଚ ପେପର ପାଇଁ ତାଙ୍କୁ ଏହି ସଫଳତା ମିଳିଛି। ରିସର୍ଚ୍ଚ ପେପରଟି ରସାୟନ ବିଜ୍ଞାନ କ୍ଷେତ୍ରରେ ବିଶ୍ଵର ଏକ ପ୍ରମୁଖ ଜର୍ଣ୍ଣାଲ ‘ଆକାଉଣ୍ଟସ ଅଫ କେମିକାଲ ରିସର୍ଚ୍ଚ’ରେ ସ୍ଥାନ ପାଇଛି।

ପ୍ରଫେସର ବିଶ୍ଵାଳ ଏବଂ ତାଙ୍କ ଟିମ୍ ଏହି ରିସର୍ଚ୍ଚ ପେପରରେ ହାଇଡ୍ରୋଜେନ ବଣ୍ଡିଂ ବାବଦରେ ପୁନଃ ବ୍ୟାଖ୍ୟା ଏବଂ ସଜ୍ଞା ନିରୂପଣ କରିଛନ୍ତି। ହାଇଡ୍ରୋଜେନ ବଣ୍ଡିଂର ଏହି ବିବର୍ତ୍ତନ ପାଇଁ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଗୌତମ ଦେଶୀରାଜୁ ଏହାକୁ ଏକ ମହତ୍ତ୍ଵପୂର୍ଣ୍ଣ ପ୍ରବନ୍ଧର ଆଖ୍ୟା ଦେଇଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କର ଏହା ଏକ ପ୍ରଶଂସନୀୟ ଉପଲବ୍ଧି। ଏହା ରସାୟନ ବିଜ୍ଞାନ ବିଶେଷକରି ହାଇଡ୍ରୋଜେନ ବଣ୍ଡିଂ ସମ୍ପର୍କରେ ଉଚ୍ଚତର ଗବେଷଣାରତ ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ବିଶେଷ ସହାୟକ ହେବ ବୋଲି ଗୌତମ କହିଛନ୍ତି।ପ୍ରାୟ ବର୍ଷକ ତଳେ ପ୍ରଫେସର ବିଶ୍ୱାଳ ଓ ତାଙ୍କ ସହଯୋଗୀମାନେ ଅନ୍ୟ ଏକ ବିଶ୍ୱସ୍ତରୀୟ ଜର୍ଣ୍ଣାଲରେ ‘ନନକୋଭାଲେଣ୍ଟ କାର୍ବନ ବଣ୍ଡିଂ ଇଣ୍ଟରାକସନ୍ସ ଇନ୍ ପ୍ରୋଟିନ’ ଶୀର୍ଷକ ପ୍ରବନ୍ଧ ପ୍ରକାଶ କରିଥିଲେ ଓ ଏହା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। କିଛିଦିନ ତଳେ ସେମାନେ “କାର୍ବୋ-ହାଇଡ୍ରୋଜେନ ବଣ୍ଡ” ନାମକ ଏକ ନୂତନ ପ୍ରକାରର ବଣ୍ଡ୍‌ର ଉଦ୍ଭାବନ କରିଛନ୍ତି।

ଯାଜପୁର ଜିଳ୍ଲା ବରୀର ବାସିନ୍ଦା ପ୍ରଫେସର ବିଶ୍ୱାଳ ମୁମ୍ବାଇର ପ୍ରତିଷ୍ଠିତ ‘ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)’ରୁ ପିଏଚଡି ହାସଲ କରିଛନ୍ତି। ଏଥିସହ ସାକଲେ (ସିଇଏ, ସାକଲେ), ଫ୍ରାନ୍ସ ଏବଂ ଆମେରିକାର ୟୁନିଭରସିଟି ଅଫ୍‍ମିଚିଗାନ୍‍ (ୟୁଓଏମ୍)ରୁ ଉଚ୍ଚତ୍ତର ଶିକ୍ଷା ସମାପ୍ତ କରି ୨୦୧୨ ମସିହାରୁ ନାଇଜରରେ ଅଧ୍ୟାପନା ଓ ଗବେଷଣାରତ ଅଛନ୍ତି।CGU newପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳ ତାଙ୍କର ଏହି ସଫଳତାର ଶ୍ରେୟ ନିଜର ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ ତଥା ପିତା ହୃଷିକେଶ ବିଶ୍ଵାଳଙ୍କୁ ଦେଇଛନ୍ତି।

Comment