ଓଡ଼ିଶାଲାଇଭ୍ ବ୍ୟୁରୋ

- ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ୱନକ୍ଷତ୍ର
- ରାଜ୍ୟପାଳ ପ୍ରଫେଦର ଗଣେଶୀ ଲାଲଙ୍କ ଶୁଭେଚ୍ଛା ବାର୍ତ୍ତା
- ୧୭ଟି ପୁସ୍ତକ ଏବଂ ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ
- କରୋନା ପାଇଁ ଏଥର ଭର୍ଚୁଆଲ କାର୍ଯ୍ୟକ୍ରମ
- ଦୂରଦର୍ଶନରେ ଆଜି ସନ୍ଧ୍ୟା ୫ଟାରେ ବିଶେଷ କାର୍ଯ୍ୟକ୍ରମ
ବିଶିଷ୍ଟ କଥାକାର, ସାହିତ୍ୟିକ ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଅବସରରେ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯’ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କଟକସ୍ଥିତ ବାସଭବନକୁ ଯାଇ ଏହି ସମ୍ମାନ ପ୍ରଦାନ କରିଛନ୍ତି। ମାନପତ୍ର, ଉତ୍ତରୀୟ ଏବଂ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଏହି ପୁରସ୍କାର ପ୍ରଦାନ ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ, ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ରବିନାରାୟଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୧୭ଟି ପୁସ୍ତକ ଏବଂ ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପଣ କରାଯାଇଥିଲା। ଲୋକାର୍ପିତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ଲୋକ ସଂସ୍କୃତି ଶ୍ରୀକ୍ଷେତ୍ର ଓ ଜଗନ୍ନାଥ, ପ୍ରଜ୍ଞାଦୀପ୍ତ ସାରସ୍ୱତ ସାଧକ ଧନେଶ୍ୱର ମହାପାତ୍ର, ଉମାଶଙ୍କର ପଣ୍ଡା, ସନ୍ଥକବି ଅଭିରାମ ପରମହଂସ, ଚନ୍ଦ୍ରମୋହନ ପରିକ୍ରମା, ଭାରତୀୟ ନୃତ୍ୟକଳା, ଆଞ୍ଚଳିକ ଲୋକଗୀତ, ଲୋକବାଣୀ ଓ କାହାଣୀ, ମାଦଳାପାଞ୍ଜି, ନଗରଦ୍ୱୀପ, ବାଘ, ଓଡ଼ିଶାରେ ଶ୍ରୀଚୈତନ୍ୟ, ରଥ ସପ୍ତକ (ହିନ୍ଦୀ), ନାକଟା ଚିତ୍ରକର (ହିନ୍ଦୀ), ଅନ୍ଧିଗଳି (ହିନ୍ଦୀ), ଦାଦିବୁଢ଼ା (ହିନ୍ଦୀ), ଲଛମା (ଇଂରାଜୀ), ଆଧୁନିକ ଓଡ଼ିଆ କାବ୍ୟଧାରା (ନବଜାଗରଣ ଯୁଗ)।
ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ୱନକ୍ଷତ୍ର ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଏହା ବିଶିଷ୍ଟ ସାହିତ୍ୟିକ, କବି ଏବଂ କଥାକାରମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।
କରୋନା ମହାମାରୀ ପାଇଁ ଚଳିତବର୍ଷ କୌଣସି ଉତ୍ସବ ଆୟୋଜନ କରାଯାଇ ନାହିଁ। ଏହାକୁ ଭର୍ଚୁଆଲ ମାଧ୍ୟମରେ ପ୍ରସାରଣ କରିବାକୁ ଏକାଡେମୀ ନିଷ୍ପତ୍ତି ନେଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଉପଲକ୍ଷେ ୫୦ ମିନିଟ ଅବଧିର ଏକ କାର୍ଯ୍ୟକ୍ରମ ଆଜି ଦୂରଦର୍ଶନରେ ସନ୍ଧ୍ୟା ୫ଟାରେ ପ୍ରସାରଣ କରାଯିବ।


















