ଓଡିଶାଲାଇଭ୍ ବ୍ୟୁରୋ

ଯଦିଓ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାର ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟା କିନ୍ତୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ବିଧାନସଭା ଆସନ ପାଇଁ ଦୌଡ଼ରେ ଆଗୁଆ ଥିବା ବେଳେ ତିର୍ତ୍ତୋଲ ଆସନ ପାଇଁ ଅନ୍ତତଃ ୬ ଜଣ ଆଶାୟୀ ଅଛନ୍ତି।

ତିର୍ତ୍ତୋଲ ଆସନ ପାଇଁ ଦାୟିତ୍ୱରେ ଥିବା ସୁରେଶ ରାଉତରାୟ କହିଛନ୍ତି ଯେ, ଏଥର ନିର୍ବାଚନରେ ଅର୍ଥ ଖୁବ୍ କାମ କରିବ ଓ ଯାହାର ଅର୍ଥବଳ ଅଛି ସେ ହିଁ ନିର୍ବାଚନରେ ପ୍ରାର୍ଥୀ ଠିଆ କରିପାରିବ। କଥାଛଳରେ ରାଉତରାୟ କହିଛନ୍ତି ଯେ, ଓଡ଼ିଶାରେ ତିନି ଜଣ ପଇସାବାଲା ଅଛନ୍ତି ଯେଉଁମାନେ ନିର୍ବାଚନରେ ଟଙ୍କା ଖର୍ଚ୍ଚ କରି ପାରିବେ। ସେ ତିନି ଜଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।ରାଉତରାୟ ଦୃଢ଼ ସ୍ୱରରେ କହିଛନ୍ତି ଯେ, ଉପନିର୍ବାଚନରେ କଂଗ୍ରେସ ଦୁଇଟି ଯାକ ଆସନ ଜିତିବ। ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ତିର୍ତ୍ତୋଲ ଅଞ୍ଚଳରେ ଢ଼େର କାମ କରାଯାଇଛି। ସ୍ଵର୍ଗତ ବସନ୍ତ ବିଶ୍ୱାଳ ଓ ତାଙ୍କ ପୁଅମାନେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି।

ତେବେ ଶାସକ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ସମ୍ପର୍କରେ କିଛି ଖୋଜ ଖବର ନାହିଁ।

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱର ଆସନ ବିଜେପି ହାତରେ ଥିବା ବେଳେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିଲା। ମଦନ ମୋହନ ଦତ୍ତ ଓ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁଁ ଏହି ଦୁଇଟି ବିଧାନସଭା ଆସନ ଏବେ ଖାଲି ପଡ଼ିଛି।

Comment