ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀବାହୀ ଟ୍ରେନ ଏହି ରୁଟ୍‌ରେ ଚଳାଚଳ କଲେ କେନ୍ଦ୍ରାପଡ଼ା ସମେତ ବହୁ ଲୋକ ଉପକୃତ ହେବେ।

ନବୀନ ଏହି ଚିଠିରେ ଦର୍ଶାଇଛନ୍ତି ଯେ, ‘‘୮୨ କିଲୋମିଟର ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଏହି ରେଳପଥ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ଏଣୁ ଏହି ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ରାଜ୍ୟବାସୀ ଦାବି କରୁଛନ୍ତି। ଏଣୁ ଆସନ୍ତା ଅଗଷ୍ଟ ମାସରୁ ଏହି ରୁଟ୍‌ରେ ପାସେଞ୍ଜର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉ।’’

ଦୀର୍ଘ ୨୩ ବର୍ଷ ପରେ ହରିଦାସପୁର-ପାରାଦୀପ ରେଳପଥ ପୂର୍ଣ୍ଣାଙ୍ଗ ହୋଇଛି। ୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥରେ ଯାଜପୁର ଜିଲ୍ଲାରେ ୨୯ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୨୦ କିଲୋମିଟର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହାର ଦୈର୍ଘ୍ୟ ୪୩ କିଲୋମିଟର ରହିଛି। ଏହି ଫାଟକ ବିହୀନ ରେଳପଥ, ଖଣିଜ ଜିଲ୍ଲା ଯାଜପୁର ସହିତ ବନ୍ଦର ଜିଲ୍ଲା ଜଗତସିଂହପୁର ଜିଲ୍ଲାକୁ ଯୋଡିଛି। ଏହି ରେଳପଥରେ ଯାଜପୁର ଜିଲ୍ଲାରୁ ପାରାଦୀପ ବନ୍ଦରକୁ ଖଣିଜଦ୍ରବ୍ୟ ପରିବହନ ପାଇଁ ମାଲବାହୀ ଟ୍ରେନ ଚଳାଚଳ କରିବ।

ଗତ ୨୪ ତାରିଖରେ ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ଯାତ୍ରୀବାହୀ ଟ୍ରେନ ଗଡ଼ିଥିଲା। ୧୯୯୯ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ଏହି ରେଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Comment