ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ହରାଇବା ପାଇଁ ଏବେ ଅସ୍ତ୍ର ପାଲଟିଛି ପ୍ଲାଜମା ଥେରାପି। ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ବରଦାନ ପାଲଟିଛି। କଟକ ରାଉସାପାଟଣା ଅଞ୍ଚଳର ଜଣେ ୪୮ ବର୍ଷୀୟ ମହିଳାଙ୍କୁ ପ୍ଲାଜମା ନୂଆ ଜୀବନ ଦେଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ୩ ଜଣ ଗୁରୁତର ରୋଗୀ କରୋନାକୁ ଜିତିଛନ୍ତି। ଗୋପାଳପୁରସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଯୋଗୁଁ ତିନି ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପ୍ଲାଜମା ଥେରାପି ଗଞ୍ଜାମ ଜିଲ୍ଲାରେ ସଫଳ ହୋଇଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖୁସି ପ୍ରକାଶ କରିଛନ୍ତି। ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ ଏହି ତିନି ଜଣଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରାନ୍ତ ଓ ମୃତ୍ୟୁରେ ରେକର୍ଡ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ସଫଳ ହୋଇଥିବାରୁ ଅନ୍ୟ ରୋଗୀଙ୍କ ମନରେ ଏହା ନୂଆ ଆଶା ସଞ୍ଚରିତ କରିଛି।

ଗଞ୍ଜାମ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ୨୦୫ ଜଣ ପ୍ଲାଜମା ଦାନ କରିବାକୁ ପଞ୍ଜୀକୃତ କରିଛନ୍ତି। ଗତ ଜୁଲାଇ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଥିଲେ। ଖୁବ୍‌ଶୀଘ୍ର ଏମ୍‌କେସିଜି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ।

କଟକ ଅଶ୍ୱିନୀ ହସ୍ପିଟାଲ ସମେତ ସମ୍‌, କିମ୍‌ସ ହସ୍ପିଟାଲ, ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି।

Comment