ଓଡିଶାଲାଇଭ୍ ବ୍ୟୁରୋ

ବହୁ ଦିନର ପ୍ରତୀକ୍ଷା ପରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଭିଡିଓ ରିଲିଜ ଜରିଆରେ ବୁଧବାର ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍‌ ହାର ୭୮.୭୬ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଏବର୍ଷ ୬.୪୧ ପ୍ରତିଶତ ପାସ୍ ହାର ବଢ଼ିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଚଳିତବର୍ଷ ୫,୩୪,୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ ଜଣ ପାସ୍ ହୋଇଛନ୍ତି। ତେବେ ଏବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଚଳିତବର୍ଷ ୨,୬୨,୦୦୦ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟକୁ ୨,୧୫,୩୬୭ ଜଣ ପାସ୍ କରିଛନ୍ତି। ସେହିପରି ୨,୪୭,୪୫୧ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧,୯୨,୫୦୧ ଜଣ ଛାତ୍ର ପାସ୍ କରିଛନ୍ତି। ଫଳରେ ଚଳିତବର୍ଷ ଛାତ୍ରୀ ପାସ୍ ହାର ୮୧.୯୮ ପ୍ରତିଶତ ଥିବା ବେଳେ ଛାତ୍ର ପାସ୍ ହାର ରହିଛି ୭୭.୮ ପ୍ରତିଶତ।ଏଥିସହ ଗ୍ରେଡ୍  ଏ-୧ରେ ୧୨୭୯ ଜଣ, ଏ-୨ରେ ୮୪୫୮ ଜଣ, ବି-୧ରେ ୧୮,୧୮୮ ଜଣ, ବି-୨ରେ ୩୧,୩୨୮ ଜଣ, ସିରେ ୪୯,୧୫୩ ଜଣ, ଡିରେ ୮୯,୫୫୬ ଜଣ ଏବଂ ଗ୍ରେଡ୍ ଇରେ ୨,୨୩,୧୯୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଚଳିତବର୍ଷ ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୧ଟି ସ୍କୁଲରେ ପାସ୍ ହାର ଶୂନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ୯୧୨୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬୫୩ ଜଣ ପାସ୍ କରିଛନ୍ତି। ଏଥିସହ ଷ୍ଟେଟ୍ ଓପନ୍ ସ୍କୁଲରେ ପାସ୍ ହାର ୪୦.୧୮ ପ୍ରତିଶତ ରହିଛି। ସେହିପରି ମଧ୍ୟମା(ସଂସ୍କୃତ)ରେ ୯୭.୧୮ ପ୍ରତିଶତ ପିଲା ପାସ୍ କରିଛନ୍ତି। ମଧ୍ୟମାରେ ୪୨୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୩୫ ଜଣ ପାସ୍ କରିଛନ୍ତି।

ଚଳିତବର୍ଷ ତ୍ରୁଟିଶୂନ୍ୟ ଖାତା ଦେଖା ହୋଇଛି। ପିଲାମାନଙ୍କୁ ଏକ ମାସ ସମୟ ଦିଆଯାଇଛି। ଅଗଷ୍ଟ ୬ ତାରିଖରୁ ଗୋଟିଏ ମାସ ମଧ୍ୟରେ ପିଲାମାନେ ଆଉ ଥରେ ଖାତା ଦେଖିବା ପାଇଁ ଆବେଦନ କରିପାରିବେ ବୋଲି ସମୀର ରଞ୍ଜନ ଦାଶ କହିଛନ୍ତି।ବୋର୍ଡ ସଭାପତି କହିଛନ୍ତି, “ପିଲାମାନେ ବହୁତ ଭଲ କରିଛନ୍ତି। ଶିକ୍ଷକମାନେ ଭଲ ପଢ଼ାଇଛନ୍ତି। ସମସ୍ତଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ଏଥିସହ ଯେଉଁମାନେ ରେଜଲ୍ଟ ପ୍ରକାଶ ପାଇବାରେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ କରୁଛି। କୋଭିଡ୍ ପରେ ଖାତା ଦେଖିବା ଆମ ପାଇଁ ଏକ ବଡ଼ ଆହ୍ଵାନ ଥିଲା। ଏହାପରେ ଆମେ କୋଭିଡ୍ ଗାଇଡ୍‌ଲାଇନ୍ ମାନି, ସାମାଜିକ ଦୂରତ୍ଵ ରକ୍ଷା କରି ଖାତା ଦେଖାଇଥିଲୁ। କମ୍ ସଂଖ୍ୟକ ଶିକ୍ଷକଙ୍କ ଦ୍ଵାରା ଖାତା ଦେଖା ହୋଇଥିଲା। ସେଥିପାଇଁ ଖାତା ଦେଖା ଟିକେ ବିଳମ୍ବ ହୋଇଥିଲା। ଏବର୍ଷ ତ୍ରୁଟିଶୂନ୍ୟ ଖାତା ଦେଖା ହୋଇଛି। ମାର୍କ ସମ୍ବନ୍ଧୀୟ କିଛି ଅଭିଯୋଗ ଥିଲେ ପିଲାମାନେ ରିଚେକିଂ ପାଇଁ  ଆବେଦନ କରିପାରିବେ। ଯେଉଁ ପିଲାମାନେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ଉଚ୍ଚଶିକ୍ଷା ପାଇଁ  ପ୍ରସ୍ତୁତ ହୁଅନ୍ତୁ।”

ପିଲାମାନେ www.bseodisha.ac.in ଏବଂ www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ। ଏଥିସହ ORO1<roll no> ଲେଖି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍ କରି ରେଜଲ୍ଟ ଜାଣିପାରିବେ।

Comment