ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ତହସିଲଦାର ଅଶ୍ଵିନୀ ଦାସଙ୍କ ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଛନ୍ତି। ତେବେ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ରାଜସ୍ଵ ନିରୀକ୍ଷକ ଆହତ ହୋଇଥିବା ସୂଚନା ମିଳିଛି।

ଗତକାଲି ପାତ୍ରପଡ଼ା ଖଣିରେ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ସମୟରେ ଟାଙ୍ଗୀ ତହସିଲଦାର ତାଙ୍କ ଟିମ୍‌ଙ୍କ ସହ ଚଢ଼ାଉ କରିଥିଲେ। ସେଠାରେ ଏକ ବଡ଼ ଟ୍ରକ୍‌କୁ ଜବତ କରି ଟାଙ୍ଗୀ ତହସିଲ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ଜବତ ହୋଇଥିବା ଗାଡ଼ିଟି ଟାଙ୍ଗୀ ଅଭିମୁଖେ ଯିବା ସମୟରେ ତହସିଲଦାରଙ୍କ ଏସ୍କର୍ଟ ଟିମ୍‌କୁ ବାମ ପଟୁ ପ୍ରଥମେ ଧକ୍କା ଦେଇଥିଲା। ଏଥିରେ ବିଚଳିତ ନହୋଇ ତହସିଲଦାର ଗାଡ଼ିର ପିଛା କରଥିଲେ। ତେବେ ଚାନ୍ଦପୁର ଥାନା ରଣପୁର ତହସିଲ ଅନ୍ତର୍ଗତ ବେଣ୍ଟ ଗାଁ ନିକଟରେ ଟ୍ରକକୁ ଠିଆ କରି ଟ୍ରକ ଡ୍ରାଇଭର ଦୌଡ଼ି ପଳେଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ସେଠାରେ ରହିଥିବା କିଛି ଦୁର୍ବୁତ୍ତ ତହସିଲଦାର ଏବଂ ତାଙ୍କ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ତହସିଲଦାରଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଟାଙ୍ଗୀ ରାଜସ୍ଵ ନିରୀକ୍ଷକ ଆହତ ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଟେଲିଫୋନ ଯୋଗେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଉକ୍ତ ଘଟଣା ବିଷୟରେ ଅବଗତ କରାଇଛନ୍ତି।

ଅଶ୍ଵିନୀ ଦାସ ଗତ ତିନି ମାସ ପୂର୍ବେ ଟାଙ୍ଗୀ ତହସିଲଦାର ଭାବେ ଯୋଗ ଦେବା ପରେ ବେଆଇନ ପଥର ଚୋରାଚାଲାଣ ଉପରେ ଚଢ଼ାଉକୁ କଡ଼ାକଡ଼ି କରିଛନ୍ତି। ଗତ ତିନିମାସ ଧରି ତହସିଲଦାରଙ୍କ ଅଚାନକ ଚଢ଼ାଉ ଯୋଗୁଁ ପଥର ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣେ ଦକ୍ଷ ତଥା ନିଷ୍ଠାପର ଅଧିକାରୀଙ୍କ କାର୍ଯ୍ୟକୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଆଗାମୀ ସମୟରେ ଧରପଗଡ଼କୁ ଆହୁରି କଡ଼ାକଡ଼ି କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Comment