ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ପ୍ଲାଜମା ଦାନକୁ ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ କରାଯିବ’’ – ମୁଖ୍ୟମନ୍ତ୍ରୀ

  • ପଶ୍ଚିମ ଓଡ଼ିଶାରେ ପ୍ରଥମ ଏବଂ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ
  • ୩୫୦ରୁ ୫୦୦ ୟୁନିଟ୍‌ ପ୍ଲାଜମା ସଂରକ୍ଷିତ କରିବାର ବ୍ୟବସ୍ଥା
  • ରକ୍ତରୁ ପ୍ଲାଜମା ସଂଗ୍ରହ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା
  • କରୋନା ରୋଗୀଙ୍କ ପାଇଁ ବରଦାନ – ‘ପ୍ଲାଜମା ଥେରାପି’
  • ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଯୋଗାଇଦେଲା ଆର୍ଥିକ ସହାୟତା

ରାଉରକେଲା: କଟକସ୍ଥିତ ଏସସିବି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ପରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ବା ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଶୁକ୍ରବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏହା ହେଉଛି ରାଜ୍ୟର ତୃତୀୟ ଏବଂ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ତଥା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର ଏବଂ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

‘‘ଆଜି ସାରା ବିଶ୍ୱ ସହ ଓଡ଼ିଶା କରୋନା ମହାମାରୀ ସହ ଲଢ଼େଇ କରୁଛି। ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ଆମ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଏହା କରୋନା ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ବରଦାନ ପାଲଟିଛି। ଓଡ଼ିଶାବାସୀଙ୍କ ସହଯୋଗ, ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାର ସ୍ଥିତି ଭଲ ଅଛି। ପ୍ଲାଜମା ଥେରାପିରେ ଆମ ରାଜ୍ୟର ୮ ଜଣ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି। ତେଣୁ ପ୍ଲାଜମା ଦାନକୁ ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ କରାଯିବ। ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ଆଇଜିଏଚ୍‌ ରାଉରକେଲା ସଫଳତା ହାସଲ କରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ‘‘ରାଜ୍ୟରେ ଏପର୍ଯ୍ୟନ୍ତ ପାଖାପାଖି ୧୯ ହଜାର ଲୋକ କରୋନା ରୋଗରୁ ମୁକ୍ତ ହୋଇ ଫେରିଛନ୍ତି। ଯଦି ସମସ୍ତେ ପ୍ଲାଜମା ଦାନ କରନ୍ତି ତେବେ ଗୁରୁତର ୩୮ ହଜାର କରୋନା ରୋଗୀଙ୍କୁ ଜୀବନ ଦାନ କରିବାରେ ଏହା ସହାୟକ ହେବ। ତେଣୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ଆଇଜିଏଚ୍‌ରେ ପ୍ଲାଜମା ଦାନ କରିବାକୁ ସେ ଅନୁରୋଧ କରିଛନ୍ତି।’’

ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ କୃତଜ୍ଞତା ଜଣାଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ଲାଜମା ସଂଗ୍ରହ ଦାୟିତ୍ୱରେ ଥିବା ଶ୍ରୀମତୀ ସାହୁ କହିଥିଲେ ଯେ, ଜନସାଧାରଣଙ୍କ ସହଯୋଗରେ ତଥା ସରକାର ପ୍ରତିଷ୍ଠା କରିଥିବା ଅତ୍ୟାଧୁନିକ ଭିତ୍ତିଭୂମି ଆଧାରରେ ଜିଲ୍ଲାରେ କରୋନାକୁ ହରାଇବା ସମ୍ଭବ ହୋଇପାରିବ।

‘‘ଗତ ୨୨ ତାରିଖରେ ରାଉରକେଲାରେ ପ୍ଳାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ଆଜି ଲୋକାର୍ପିତ ହୋଇଛି। ସ୍ୱେଚ୍ଛାକୃତ ପ୍ଲାଜମା ଦାନ ପାଇଁ ଜିଲ୍ଲାର ୧୦୦ ଜଣ ବ୍ୟକ୍ତି ଆଗେଇ ଆସିଛନ୍ତି। କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଏକ ବଡ଼ ଭୂମିକା ନିର୍ବାହ କରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏଡିଏମ୍ ଆବୋଲି ସୁନୀଲ ନରଓ୍ୱଣେ, ରାଉରକେଲା ଷ୍ଟିଲ ପ୍ଲାଂଟର ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ, ଆଇଜିଏଚ୍ ନିର୍ଦ୍ଦେଶକ ବିରଞ୍ଚି କୁମାର ହୋତା, ଡିଏମ୍‌ଇଟି ଡାକ୍ତର ସି ବି କେ ମହାନ୍ତି, ସିଡିଏମ୍ଓ ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସେହି ଅର୍ଥରେ ପ୍ଲାଜମା ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ବ୍ୟବହୃତ ବିଭିନ୍ନ ଅତ୍ୟାଧୁନିକ ଉପକରଣ ପ୍ରତିଷ୍ଠା କରାଯାଇଛି।

ଆଇଜିଏଚ୍‌ ପ୍ଲାଜମା ବ୍ୟାଙ୍କରେ ୩୫୦ରୁ ୫୦୦ ୟୁନିଟ୍‌ ପର୍ଯ୍ୟନ୍ତ ପ୍ଲାଜମା ସଂରକ୍ଷିତ କରି ରଖାଯାଇ ପାରିବ। କରୋନାରୁ ସୁସ୍ଥ ହୋଇଥିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିପାରିବେ। ସେହିପରି ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ତଥା ଗୁରୁତର କରୋନା ରୋଗୀମାନଙ୍କର ପ୍ଲାଜମା ଥେରାପି ଚିକିତ୍ସା ମାଧ୍ୟମରେ ଜୀବନ ରକ୍ଷା କରାଯାଇପାରିବ।

ଉଦ୍‌ଘାଟନ ଅବସରରେ ୩ ଜଣ ବ୍ୟକ୍ତି ଆଇଜିଏଚ୍‌ ପ୍ଲାଜମା ବ୍ୟାଙ୍କ ଲାଗି ପ୍ଲାଜମା ଦାନ କରିଥିଲେ। ଜିଲ୍ଲାର ପ୍ରାୟ ୧୦୦ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି।

ଏହି ଅବସରରେ ପ୍ଲାଜମା ଥେରାପି ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେଉଥିବାରୁ ଅଧିକରୁ ଅଧିକ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ରାଉରକେଲାସ୍ଥିତ ଆଇଜିଏଚ୍‌ଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ମାତ୍ର ୧୦ ଦିନ ମଧ୍ୟରେ ଏହା ସମ୍ଭବପର ହୋଇପାରିଛି।

ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଥିଲେ। ଏହା ପରେ ଗତ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଥିଲେ। ଆଗକୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comment