ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସହରର ମନକପୁରରେ ଥିବା ଏକ ନର୍ସିଂହୋମରେ ଡାକ୍ତର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ୨ ଜଣ ଡାକ୍ତରଙ୍କ ସମେତ ୬ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଏହାକୁ ପ୍ରତିବାଦ କରି ଓଡ଼ିଶା ମେଡିକାଲ ସେବା ସଂଘର କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ସୂଚନା ମିଳିଛି।

ଗତକାଲି ରାତିରେ ଜଣେ ଗଣମାଧ୍ୟମ ପ୍ରତିନିଧି ଦୁର୍ଗା ନର୍ସିଂହୋମରେ ଫଟୋ ଉଠାଉଥିଲେ। ଏହି ସମୟରେ ନର୍ସିଂହୋମର ଦୁଇଜଣ ଡାକ୍ତର ସମ୍ପୃକ୍ତ ସାମ୍ବାଦିକଙ୍କୁ ଫଟୋ ଉଠାଇବାକୁ ବାରଣ କରିଥିଲେ। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସମ୍ପୃକ୍ତ ଦୁଇ ଡାକ୍ତର ଓ ତାଙ୍କ କର୍ମଚାରୀମାନେ ମିଶି ସାମ୍ବାଦିକଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଓ ବାଇକ୍ ଛଡ଼େଇ ନେଇଥିବା ସାମ୍ବାଦିକ ଜଣକ ଟାଉନଥାନାରେ ଅଭିଯୋଗ କରିଥିଲେ।ଟାଉନଥାନା ପୋଲିସ ନର୍ସିଂହୋମରେ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିବା ପାଇଁ ଦୁଇ ଡାକ୍ତରଙ୍କୁ ଥାନାକୁ ଡକାଇଥିଲା। ତେବେ ଦୁଇ ଡାକ୍ତର ଥାନାକୁ ନଯାଇ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ ବୋଲି ଟାଉନଥାନା ଏସ୍‌ଆଇ ସୌମ୍ୟରଞ୍ଜନ ଜାଲି ଅଭିଯୋଗ କରିଥିଲେ। ଏହାପରେ ନର୍ସିଂହୋମର ଦୁଇ ଡାକ୍ତର ଶିବାଶିଷ ସାହୁ ଓ ତାଙ୍କ ଭାଇ ଡାକ୍ତର ଦେବାଶିଷ ସାହୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ସହିତ ନର୍ସିଂହୋମର ୬ ଜଣ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ ଗିରଫ କରିଛି।

ଆଜି ପୋଲିସ ଏହି ଦୁଇ ଡାକ୍ତରଙ୍କ ସମେତ ନର୍ସିଂହୋମର ୬ ଜଣ କର୍ମଚାରୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଗୋଟିଏ ମାମଲା ସମ୍ପୃକ୍ତ ସାମ୍ବାଦିକଙ୍କ ଏତଲା ଅନୁସାରେ କରାଯାଇଥିବା ବେଳେ ଆଉ ଏକ ମାମଲା ଟାଇନଥାନା ଏସ୍‌ଆଇ ସୌମ୍ୟରଞ୍ଜନ ଜାଲିଙ୍କ ଏତଲା କ୍ରମେ କରାଯାଇଛି । ଏନେଇ କେନ୍ଦ୍ରାପଡ଼ା ଟାଉନ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଓଡ଼ିଶା ମେଡିକାଲ ସେବା ସଙ୍ଘ ବା ଓମ୍‌ସା କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ପୋଲିସ ଦୁଇ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର କରିଥିବା ଓମ୍‌ସା ଅଭିଯୋଗ କରିଛି। ଦୁଇ ଡାକ୍ତରଙ୍କ ବିରୋଧରେ କରାଯାଇଥିବା ମିଛ ମାମଲା ପ୍ରତ୍ୟାହାର କରି ସେମାନଙ୍କୁ ମୁକ୍ତ କରିବାକୁ ସଂଘ ଦାବି କରିଛି। ଏହାର ପ୍ରତିବାଦରେ ଆଜିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଡାକ୍ତରଙ୍କ ଆନ୍ଦୋଳନ ଡାକରା ଦିଆଯାଇଛି। ଜିଲ୍ଲାର ସମସ୍ତ ଡାକ୍ତରଖାନାର ଆଉଟ୍ ଡୋରରେ ରୋଗୀ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନା ସମୟରେ ଜିଲ୍ଲାରେ ରୋଗୀ ସେବା ବନ୍ଦ ହେତୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ଡାକ୍ତରମାନଙ୍କ ସହିତ ଆଲୋଚନା କରୁଥିବା ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଡାକ୍ତରମାନଙ୍କ ଆନ୍ଦୋଳନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଖୁବ ଶୀଘ୍ର ଏହାର ଏକ ନିର୍ଯ୍ୟାସ ବାହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗିରଫ ଦୁଇ ଡାକ୍ତର ଓ ନର୍ସିଂହୋମର ୬ ଜଣ କର୍ମଚାରୀଙ୍କୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ ଜାମିନମୁକ୍ତ କରିଥିବା ସୂଚନା ମିଳିଛି।

Comment