ଓଡିଶାଲାଇଭ୍ ବ୍ୟୁରୋ

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସକ୍ରିୟ ହୋଇଛି। ଲଘୁଚାପ ପ୍ରଭାବରେ ଗତକାଲି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତେବେ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ତେବେ ଆଜିଠାରୁ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, ଢେଙ୍କାନାଳ, ଗଞ୍ଜାମ, ପୁରୀ, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପବନର ବେଗ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ସମୂଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାଠାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏଥିସହ ଓଡ଼ିଶା ଉପକୂଳରେ ୪ ଓ ୫ ତାରିଖରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ। ତେଣୁ ଏହି ସମୟରେ ଓଡ଼ିଶା ଉପକୂଳ ମଧ୍ୟକୁ ଯିବାକୁ ବାରଣ କରାଯାଇଥିବା ଉମାଶଙ୍କର କହିଛନ୍ତି।

Comment