ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଘୁଷୁରୀ ଖାଇବାକୁ ଆସି ଜାଲରେ ଧରାପଡ଼ିଲା ମହାବଳ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଟ୍ଟାମୁଣ୍ଡାଇର ବିରୂପା ନଦୀ କୂଳରେ ବୁଲୁଥିବା ଏକ ଘୁଷୁରୀକୁ ଖାଇବାକୁ ଆସି କୁମ୍ଭୀରଟି ମାଟି ଖାଲ ଭିତରେ ରହିଯାଇଥିଲା। କୌଶଳ କରି ବନ କର୍ମଚାରୀମାନେ ଏହାକୁ କାବୁ କରିଛନ୍ତି।

କୁମ୍ଭୀରଟି ପଟ୍ଟାମୁଣ୍ଡାଇ ଓ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ଦୀର୍ଘ ୪ ବର୍ଷ ଧରି ଉତ୍ପାତ କରୁଥିଲା। ପ୍ରାୟ ୧୫ ଫୁଟରୁ ଅଧିକ ଲମ୍ବର ଏହି କୁମ୍ଭୀର ଅନେକ ଗୋରୁଗାଈ, ଛେଳିମେଣ୍ଢାଙ୍କୁ ଖାଇଛି। କୁମ୍ଭୀର ଆକ୍ରମଣରେ ଅନେକ ମଣିଷ ଖଣ୍ଡିଆ ଖାବରା ହୋଇ ଅକର୍ମଣ୍ୟ ହୋଇଛନ୍ତି। ତେଣୁ ଡରରେ ନଦୀ କୂଳିଆ ଲୋକେ ନଦୀକୁ ଗୋଡ଼ କାଢୁନଥିଲେ।

ଗତକାଲି ସକାଳୁ ଇନ୍ଦୁପୁର ନଦୀପଠା ପାଳରେ କିଛି ଘୁଷୁରିଆ ଘୁଷୁରୀ ଚରାଉଥିବା ସମୟରେ ନଦୀ ପଠାକୁ ଲାଗିଥିବା ମାଟି ଖାତ ଭିତରକୁ କୁମ୍ଭୀରଟି ପ୍ରବେଶ କରିଥିଲା ଏବଂ ଜମିରେ ଚରୁଥିବା ଏକ ଘୁଷୁରୀ ଛୁଆକୁ ଝାମ୍ପି ନେଇଥିଲା। କିଛି ସମୟ ପରେ ଘୁଷୁରୀ ଛୁଆଟିକୁ ଅଧାଖାଇ ବାକିତକ ଛାଡ଼ି ଦେଇଯାଇଥିଲା। କୁମ୍ଭୀର ଆକ୍ରମଣରେ ଘୁଷୁରୀ ମରିଯିବାରୁ ଘୁଷୁରୀ ରକ୍ଷକ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। କୁମ୍ଭୀରଟି ପାଣିରେ ଥିବା ଦେଖି ଲୋକେ କୌଶଳ କରି ସେହି ମଲା ଘୁଷୁରୀ ଛୁଆଟିକୁ ଗୋଟେ ବାଉଁଶରେ ବାନ୍ଧି ମାଟି ଖାତ ଭିତରେ ଥିବା ପାଣିକୁ ଫିଙ୍ଗି ଦେଇଥଲେ। କୁମ୍ଭୀର ମଲା ଘୁଷୁରୀକୁ ଖାଇବାକୁ ଉଦ୍ୟତ ହେଲା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗ୍ରାମବାସୀମାନେ ମାଟି ଖାତ ଏବଂ ନଦୀର ସଂଯୋଗ ପଥଟିକୁ ମାଟି ପକାଇ ବନ୍ଦ କରି ଦେଇଥିଲେ।ଫଳରେ କୁମ୍ଭୀର ସେଠାରୁ ଆଉ ନଦୀକୁ ଫେରିପାରିନଥିଲା। କଟକ ଜିଲ୍ଲା ଡିଏଫ୍ଓ ସୁଦର୍ଶନ ପାତ୍ର ଏହି ଘଟଣା ସମ୍ପର୍କରେ ଅବଗତ ହୋଇ କୁମ୍ଭୀରକୁ ଉଦ୍ଧାର କରିବାକୁ ରାଜନଗର ଡିଏଫ୍ଓ ବିକାଶରଞ୍ଜନ ଦାଶଙ୍କୁ ଖବର ଦେଇଥିଲେ। ରାଜନଗର ବନଖଣ୍ଡ ଅଞ୍ଚଳର ବନ କର୍ମଚାରୀମାନେ ଏକ କୁମ୍ଭୀର ଧରାଳି ଦଳ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ ଏହି ବନ କର୍ମଚାରୀମାନଙ୍କୁ ସହାୟତା କରିଥିଲେ। ଜାଲ ବିଛାଇ ବନ ବିଭାଗର କର୍ମଚାରୀମାନେ ଶେଷରେ କୁମ୍ଭୀରକୁ କାବୁ କରିନେଇଥିଲେ । ରାଜନଗର ବନ ବିଭାଗ ଏହି କୁମ୍ଭୀରକୁ ନେଇ ଭିତରକନିକା ଅଭୟାରଣ୍ୟର ଏକ ନାଳରେ ଛାଡି ଦେଇଥିବା ସୂଚନା ମିଳିଛି।

ଗତ ୨୦୧୯  ଅକ୍ଟୋବର ମାସରେ ଇନ୍ଦୁପୁର ଅଞ୍ଚଳର ମିଟୁ ଜେନା ନାମକ ଜଣେ ଗାଈ ଜଗୁଆଳ ଗାଈ ଲାଞ୍ଜ ଧରି ନଦୀପାର ହେଉଥିବା ବେଳେ ଏହି କୁମ୍ଭୀର ମିଟୁଙ୍କୁ ଝାମ୍ପିଥିଲା। ଗୁରୁତର ଆହତ ହେବା ସତ୍ତ୍ଵେ ମିଟୁ ଗାଈର ଲାଞ୍ଜ ଛାଡ଼ିନଥିଲେ। ଗାଈ କୂଳରେ ପହଞ୍ଚିବାରୁ କୁମ୍ଭୀର ମିଟୁଙ୍କୁ ଛାଡ଼ି ଚାଲିଯାଇଥିଲା। ନିଶ୍ଚିତ ମରଣ ମୁହଁରୁ ବଞ୍ଚି ଯାଇଥିବା ମିଟୁ ଏବେ ଅଚଳ ହୋଇ ଘରେ ବସିଛନ୍ତି।ଭିତରକନିକା ଅଞ୍ଚଳରୁ ବହୁ କୁମ୍ଭୀର ଖସି ଆସି ନଦୀଗୁଡ଼ିକରେ ରହିଯାଇଛନ୍ତି । ବର୍ଷବର୍ଷ ଧରି ସେମାନେ ଆଉ ଭିତରକନିକା ଅଞ୍ଚଳକୁ ଫେରୁନାହାନ୍ତି। ତେଣୁ ଏମାନେ ନଦୀ କୂଳିଆ ଲୋକମାନଙ୍କ ପାଇଁ ଘାତକ ପାଲଟିଛନ୍ତି। ଗତ ଜୁଲାଇ ୨୮ ତାରିଖରେ ରାଜକନିକାର ପାରିମକୁନ୍ଦିପୁର ଗାଁ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ଜଣେ ସ୍କୁଲ ଛାତ୍ର ରୁଦ୍ରନାରାୟଣ ବେହେରାଙ୍କୁ ଟାଣିନେଇ ଖାଇଦେଇଥିଲା କୁମ୍ଭୀର। ଏମିତି ଅନେକ ନଦୀ କୂଳିଆ ଲୋକ କୁମ୍ଭୀର ପାଟିରେ ଜୀବନ ହରାଇଥିବା ବେଳେ ଅନେକ ଆହତ ହୋଇ ଅକର୍ମଣ୍ୟ ହେଲେଣି। ବନ ବିଭାଗ ଏହି କୁମ୍ଭୀର ସମସ୍ୟାର ସ୍ଥାୟୀ ସମାଧାନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

Comment