ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ସାରା ଓଡ଼ିଶା। ଯିଏ ଯେଉଁଠି ଥିଲେ ସେଇଠି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୬ଟାରେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି। ଭୁବନେଶ୍ୱର କମିସନରେଟ୍‌ ପୋଲିସ କାର୍ଯ୍ୟାଳୟ ଏବଂ କଟକସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହାସହ ବିଭିନ୍ନ ଅଫିସ୍‌ରେ ମଧ୍ୟ କର୍ମଚାରୀମାନେ ଠିଆ ହୋଇ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥପାଠ କରାଇଥିଲେ। କୋଭିଡ୍‌ ନିୟମ ମାନିବା ପାଇଁ ଶପଥପାଠ କରାଯାଇଥିଲା।

‘‘କରୋନା ନିୟମ ନିଜେ ମାନିବି ଏବଂ ଅନ୍ୟମାନଙ୍କୁ ସଚେତନ କରିବି। କରୋନା ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବିନି। କରୋନା ଲଢ଼େଇରେ ମୁଁ ଜିତିବି ଏବଂ ଓଡ଼ିଶା ଜିତିବ’’, ଏହା ପଢ଼ି ଶପଥ କରିଥିଲେ ସମସ୍ତେ।

ନୀରବ ପ୍ରାର୍ଥନା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘୫ ମାସ ହେଲା କରୋନା ବିରୋଧରେ ଆମେ ଲଢ଼େଇ କରୁଛୁ। ଏହି ଲଢ଼େଇରେ ଅନେକ କରୋନା ଯୋଦ୍ଧା ପ୍ରାଣବଳି ଦେଇଛନ୍ତି। ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବାନି। ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ନୀରବ ପ୍ରାର୍ଥନା କରିବା।’’

ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ୨୫ ଜଣ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି।

Comment