ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର। ରାଜନୀତିକ ଫାଇଦା ନେବାପାଇଁ ଏବେଠୁ ଚାଲିଛି ଅଙ୍କକଷା।

(ସରୋଜ କୁମାର ମହାପାତ୍ର): ଦୀର୍ଘ ବର୍ଷ ପରେ ଭାରତୀୟ ରାଜନୀତିକୁ ପୁଣି ରାମ ମନ୍ଦିର ପ୍ରସଙ୍ଗ ଫେରିଛି। ଯଦିଓ ଏବେ ଭାରତରେ କୌଣସି ସାଧାରଣ କିମ୍ବା ବିଧାନସଭା ନିର୍ବାଚନ ନାହିଁ, ହେଲେ ୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ‘ରାମ ମନ୍ଦିର’ ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି ଏବେଠୁ ସଫା ଦେଖାଗଲାଣି।

କୋଭିଡ୍‌ ସଙ୍କଟ ଭିତରେ ‘ରାମ ମନ୍ଦିର’

କୋଭିଡ୍‌ ସଙ୍କଟ ଭିତରେ ଅଯୋଧ୍ୟାରେ ଆଜି ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନିଜେ ଭୂମି ପୂଜାରେ କର୍ତ୍ତା ସାଜିଥିଲେ। ରାମଲାଲାଙ୍କୁ ଦର୍ଶନ କରିବା ସହ ସ୍ରାଷ୍ଟାଙ୍ଗ ପ୍ରଣାମ କରିଥିଲେ।ପ୍ରାୟ ୪୦ ମିନିଟ୍‌ ଧରି ଚାଲିଥିବା ପୂଜା ପରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଂଘ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ। ଆସନ୍ତା ୩ ବର୍ଷ ଭିତରେ ମନ୍ଦିର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୩ ବର୍ଷ ଭିତରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ ଏବଂ ମନ୍ଦିର ନିର୍ମାଣର ବର୍ଷକ ପରେ ସାଧାରଣ ନିର୍ବାଚନ ହେବ। ଏଣୁ ଏହି ଭବ୍ୟ ବିଶାଳ ରାମ ମନ୍ଦିରକୁ ନେଇ ରାଜନୀତିକ ପାଣିପାଗ ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି।

ଉତ୍ତରପ୍ରଦେଶ ସବୁବେଳେ ଜାତୀୟ ରାଜନୀତିକୁ ନିୟନ୍ତ୍ରଣ କରିଥାଏ। ଏଣୁ ଏହି ରାଜ୍ୟକୁ ସବୁ ଦଳ ଗୁରୁତ୍ୱ ଦେଇଥାନ୍ତି। ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ରାମ ମନ୍ଦିର ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି। କେବଳ ଏବେ ନୁହେଁ, ରାମ ମନ୍ଦିରକୁ ନେଇ ବିଜେପି ସବୁବେଳେ ଚର୍ଚ୍ଚାରେ ରହିଛି।

୧୯୮୪ରୁ ‘ରାମ ମନ୍ଦିର’ – ବିଜେପିର ନିର୍ବାଚନୀ ଏଜେଣ୍ଡା

‘ରାମ ମନ୍ଦିର’ ପ୍ରସଙ୍ଗ ସହ ବିଜେପି ରାଜନୀତି ଓତଃପ୍ରୋତଃ ଭାବେ ଜଡ଼ିତ। ଏହା ଆମେ କହୁନୁ, ବିଗତ କିଛିଦିନର ଘଟଣାବଳୀରୁ ହିଁ ଏହା ସ୍ପଷ୍ଟ ହୋଇଛି। କ୍ଷମତାରେ ଥିବା ବେଳେ ହେଉ କି କ୍ଷମତାକୁ ଆସିବା ପାଇଁ ହେଉ, ସବୁବେଳେ ଅଯୋଧ୍ୟାର ରାମ ମନ୍ଦିରକୁ ମୁଖ୍ୟ ପ୍ରସଙ୍ଗ କରି ରାଜନୀତି କରି ଆସିଛି ବିଜେପି।

୧୯୮୪ରୁ ବିଜେପି ରାମ ମନ୍ଦିରକୁ ନେଇ ଯେଉଁ ଅଭିଯାନ ଆରମ୍ଭ କରିଥିଲା ତାହା ଆଜି ସାକାର ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପାଇଁ ଶୁଭ ପଡ଼ିଛି।

୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିଲା। ଏହାର ପ୍ରଥମ ସଭାପତି ହୋଇଥିଲେ ଅଟଳବିହାରୀ ବାଜପେୟୀ। ବାଜପେୟୀଙ୍କୁ ସହଯୋଗ କରି ଆସୁଥିଲେ ଆଡଭାନି। ରାମ ମନ୍ଦିର ସହିତ ବାଜପେୟୀଙ୍କ ସମ୍ପର୍କ ଯେତିକି ନିବିଡ଼ ନୁହେଁ, ତାଠୁ ଅଧିକ ଘନିଷ୍ଠ ସମ୍ପର୍କ ହେଉଛି ଆଡଭାନିଙ୍କର। କାରଣ ତିନି ଦଶନ୍ଧି ତଳେ ଆଡଭାନି ରାମ ମନ୍ଦିର ନିର୍ମାଣ ଅଭିଯାନର ମୂଳଦୁଆ ପକାଇଥିଲେ।

୧୯୮୯ ନିର୍ବାଚନରେ ‘ରାମ ମନ୍ଦିର’

୧୯୮୯ ନିର୍ବାଚନରେ ବିଜେପି ପ୍ରଥମେ ରାମ ମନ୍ଦିର କଥା କହିଥିଲା। କେନ୍ଦ୍ରରେ ବିଜେପି ସମର୍ଥିତ ଅଣ କଂଗ୍ରେସ ସରକାର ଗଠନ ହେଲେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ବୋଲି ବିଜେପି ପ୍ରଚାର କରିଥିଲା। ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିଲା। ଫଳରେ ବିଜେପି ୮୫ ଆସନ ପାଇଥିଲା। ବିଜେପି ସମର୍ଥନରେ ଜନତା ଦଳ ସରକାର ଗଠନ କରିଥିଲା ଏବଂ ଭି ପି ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ।

କେନ୍ଦ୍ରରେ ବିଜେପି ସମର୍ଥନରେ ଜନତା ଦଳ ସରକାର ଗଠନ କରିବା ପରେ ଆଡଭାନି ରାମ ମନ୍ଦିର ନିର୍ମାଣ ଅଭିଯାନକୁ ଆଗକୁ ନେଇଥିଲେ। ସାରା ଦେଶରେ ଲୋକଙ୍କ ସମର୍ଥନ ପାଇବା ପାଇଁ ଆଡଭାନି ଗୁଜୁରାଟର ସୋମନାଥରୁ ରାମ ଜନ୍ମଭୂମି ଅଯୋଧ୍ୟା ପର୍ଯ୍ୟନ୍ତ ‘ରାମ ରଥଯାତ୍ରା’ ଆରମ୍ଭ କରିଥିଲେ।

ଆଡଭାନିଙ୍କ ‘ରାମ ରଥ’ ଯୁଆଡ଼େ ଗଡ଼ିଲା ସିଆଡ଼େ ବିପୁଳ ଜନସମର୍ଥନ ପାଇଲା। କିନ୍ତୁ ଉତ୍ତରପ୍ରଦେଶରେ ରଥ ପଶିବା ଆଗରୁ କାଳେ କିଛି ଅଘଟଣ ଘଟିବ ସେହି ଆଶଙ୍କାରେ ଆଡଭାନିଙ୍କୁ ଗିରଫ କରାଗଲା। ଏହି ଗିରଫଦାରୀ ପରେ ଦିଲ୍ଲୀ ରାଜନୀତି ହଲ୍‌ଚଲ୍‌ ହୋଇଥିଲା। ବିଜେପି ଜନତା ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଭି ପି ସିଂହ ସରକାର ଭାଙ୍ଗି ଯାଇଥିଲା।

ଏହାପରେ ଚନ୍ଦ୍ରଶେଖର ହୋଇଥିଲେ ପ୍ରଧାନମନ୍ତ୍ରୀ। ସେ ୨୨୩ ଦିନ କ୍ଷମତାରେ ରହିଥିଲେ। ୧୯୯୧ରେ ପୁଣି ହୋଇଥିଲା ନିର୍ବାଚନ। ହେଲେ ବିଜେପିର ରାମ ମନ୍ଦିର ପ୍ରସଙ୍ଗ ଆଉ କାମ ଦେଲାନି। କଂଗ୍ରେସର ପି ଭି ନରସିଂହ ରାଓ ହେଲେ ପ୍ରଧାନମନ୍ତ୍ରୀ।

ନରସିଂହ ରାଓଙ୍କ ସରକାରକୁ ମାତ୍ର ବର୍ଷେ ପୂରିବା ପରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଯାଇଥିଲା। ଦେଶର କୋଣ ଅନୁକୋଣରୁ କର ସେବକମାନେ ଅଯୋଧ୍ୟା ଆସି ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିଥିଲେ। କିନ୍ତୁ ଏହା ପଛରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବିଜେପିର ହାତ ଥିବା କୁହାଗଲା।

ବାଜପେୟୀ ଓ ରାମ ମନ୍ଦିର

୧୯୯୨ର ବାବ୍ରୀ ମସ୍‌ଜିଦ୍‌ ଭଙ୍ଗାଯିବା ପରେ ରାମ ମନ୍ଦିର ନିର୍ମାଣ ସୁନିଶ୍ଚିତ ବୋଲି ପ୍ରଚାର କଲା ବିଜେପି। ଫଳରେ ୧୯୯୬ରେ ପୁଣି ବିଜେପି ଆସିଲା କ୍ଷମତାକୁ। ଅଟଳବିହାରୀ ବାଜପେୟୀ ହେଲେ ପ୍ରଧାନମନ୍ତ୍ରୀ। ବାଜପେୟୀଙ୍କ ସରକାରରେ ଅସ୍ଥିରତା ଦେଖାଦେବାରୁ ରାମ ମନ୍ଦିର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ।

୧୯୯୯ ନିର୍ବାଚନରେ ରାମ ମନ୍ଦିର ପ୍ରସଙ୍ଗକୁ ପୁଣି ଦୋହରାଇଲା ବିଜେପି। ବାଜପେୟୀଙ୍କ ନେତୃତ୍ୱରେ ୫ ବର୍ଷ ସରକାର ରହିଲା। ହେଲେ ରାମ ମନ୍ଦିର ଆଶା ପୂରଣ ହୋଇପାରିଲା ନାହିଁ। ୨୦୦୪ ନିର୍ବାଚନ ବେଳେ ପୁଣିଥରେ ଆଡଭାନି ‘ଭାରତ ଉଦୟ ରଥ’ ସାରା ଭାରତ ପରିକ୍ରମା କରାଇଥିଲେ। କିନ୍ତୁ ବିଜେପି ଉପରେ ଆସ୍ଥା ପ୍ରକଟ କରି ନଥିଲେ ଭୋଟର।

ବାଜପେୟୀଙ୍କ ସରକାର ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିବାରୁ ହିନ୍ଦୁତ୍ୱବାଦୀ ସଙ୍ଗଠନ ୨୦୦୪ ନିର୍ବାଚନରେ ବାଜପେୟଙ୍କୁ ସହଯୋଗ କଲେନି। ଫଳରେ କଂଗ୍ରେସ ନେତୃତ୍ୱାଧୀନ ଉପା ଆସିଥିଲା କ୍ଷମତାକୁ।

ଉପା ୨୦୧୪ ଯାଏଁ ସରକାରରେ ରହିଥିଲା। ୨୦୧୪ ନିର୍ବାଚନରେ ବିଜେପି ତାର ରଣନୀତି ବଦଳାଇଥିଲା। ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରି ବିଜେପି ପ୍ରଚାର କଲା ଏବଂ ଇସ୍ତାହାରରେ ‘ରାମ ମନ୍ଦିର’ ନିର୍ମାଣ ପ୍ରସଙ୍ଗ ବି ରହିଲା। ମୋଦୀ ପ୍ରଧାନମନ୍ତ୍ରୀ ହେଲେ।

ମୋଦୀ-ଯୋଗୀ ସରକାର

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆଶା ସଞ୍ଚରିତ ହେଲା। ହେଲେ ଉତ୍ତରପ୍ରଦେଶରେ ବିଜେପି ସରକାର ନଥିବାରୁ ପାଣିପାଗ ଗୋଳିଆ ହୋଇ ଯାଇଥିଲା। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ମାଷ୍ଟର ଷ୍ଟ୍ରୋକ ଖେଳିଥିଲା। ସମାଜବାଦୀ ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଚେକ୍‌ ଦେଇ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା। ଏହାର ପ୍ରମୁଖ କାରଣ ‘ରାମ ମନ୍ଦିର’ ବୋଲି କୁହାଯାଉଛି।

୨୦୧୨ ବିଧାନସଭା ନିର୍ବାଚନରେ ‘ରାମ ମନ୍ଦିର’ ପ୍ରସଙ୍ଗ ଇସ୍ତାହାରରେ ରହିବ ନାହିଁ ବୋଲି ବିଜେପି ସଫା ସଫା ମନା କରି ଦେଇଥିଲା। ହେଲେ ୨୦୧୭ରେ କିନ୍ତୁ ‘ରାମ ମନ୍ଦିର’ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା ବିଜେପି। ଉତ୍ତରପ୍ରଦେଶ ଦଖଲ କରିବା ପରେ କଠୋର ହିନ୍ଦୁବାଦୀ ନେତା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି। ମୋଦୀ-ଯୋଗୀ ସରକାର ଅମଳରେ ‘ରାମ ମନ୍ଦିର’ ନିର୍ମାଣ ହେବା ସୁନିଶ୍ଚିତ ବୋଲି ସେବେଠାରୁ ଚର୍ଚ୍ଚା ହେଉଥିଲା। ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ରାମ ମନ୍ଦିର ପାଇଁ ବାଟ ଫିଟିଥିଲା। ମୋଦୀ-ଯୋଗୀ ସରକାର ଅମଳରେ ରାମ ମନ୍ଦିର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି।

Comment