ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ ସିଏଜି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଗତକାଲି ଶ୍ରୀ ମୁର୍ମୁ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ।

୨୦୧୯ରେ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିଲା। ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ଗିରିଶ ଚନ୍ଦ୍ର ମୁର୍ମୁ। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଫଳରେ ଜମ୍ମୁ କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ ହୋଇଥିଲା ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ। ଗତବର୍ଷ ଅକ୍ଟୋବର ମାସରେ ଗିରିଶ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ। ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଏମଏ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଲଣ୍ଡନ ଯାଇ ସେଠାରେ ବର୍ମିଂହୋମ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ ପଢ଼ିଥିଲେ।

୬୦ ବର୍ଷୀୟ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ଅନୁଗତ ଭାବେ ସେ ବେଶ୍ ପରିଚିତ। ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ଗିରିଶ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ସେ ଗୁଜୁରାଟରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ।

୨୦୧୫ ମସିହାରେ ସେ ବ୍ୟୟ ବିଭାଗର ସହ-ସଚିବ ଭାବେ ନିଯୁକ୍ତି ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ପଦ ମିଳିଥିଲା। ୨୦୧୯ ମସିହାରେ ତାଙ୍କୁ ବ୍ୟୟ ବିଭାଗର ସଚିବ ଭାବରେ ଦାୟିତ୍ୱ ମିଳିଥିଲା।

Comment