ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସଦରଥାନା ଶ୍ୟାମସୁନ୍ଦରପୁର ଗାଁ ନିକଟ ଧାନ ବିଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହି ବିଲ ଚାରିପାଖରେ ତାରବାଡ଼ ରହିଛି। ହେଲେ ତାରବାଡ଼ ଡେଇଁ ମହିଳା ଜଣକ ଧାନ କ୍ଷେତକୁ କିପରି ଆସିଲେ ସେନେଇ ସନ୍ଦେହ ଉପୁଜିଛି। ସମ୍ପୃକ୍ତ ମହିଳା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ଏଠାରେ ଫିଙ୍ଗି ଦେଇଛି ସେନେଇ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ମୃତଦେହ ମିଳିଥିବା ସ୍ଥାନ କେନ୍ଦ୍ରାପଡ଼ା ସଦରଥାନାରୁ ପ୍ରାୟ ୩୦୦ ମିଟରେ ଦୂରରେ ରହିଛି। ତେବେ କେନ୍ଦ୍ରାପଡ଼ା ସଦରଥାନାରେ ଏଭଳି କୌଣସି ମହିଳା ନିଖୋଜ ହେବା ନେଇ ଅଭିଯୋଗ ହୋଇନଥିବା ସଦରଥାନା ଆଇଆଇସି ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତଦେହଟି ୮ ଦିନ ପୂର୍ବର ବୋଲି ପୋଲିସ ଅନୁମାନ ଲଗାଇଛି।ସମ୍ପୃକ୍ତ ମହିଳା ଜଣକ ପାଟକୁରା ଥାନା ଅଞ୍ଚଳର କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ହନ୍ତପଡ଼ା ଗାଁର ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି। ଏହି ବିଧବା ମହିଳା ଜଣକ କିଛିଦିନ ତଳେ ତାଙ୍କ ଝିଅ ଘରକୁ ଯିବାପାଇଁ ଘରୁ ଆସିଥିଲେ। ସେବେଠାରୁ ସେ ଘରକୁ ଫେରିନାହାନ୍ତି। ମହିଳାଙ୍କ ଦେହରେ ଥିବା ତାବିଜ୍ ଓ ପିନ୍ଧିଥିବା ଶାଢ଼ି ଅନେକାଂଶରେ ମିଶୁଥିବା କୁହାଯାଉଛି। ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି।

Comment