ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କୋଭିଡ ପରିଚାଳନାରେ କେନ୍ଦ୍ରାପଡ଼ାରର ସ୍ଥିତି ଭଲ ଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର କରୋନା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମା ଜିଲ୍ଲାରେ କୋଭିଡ ପରିଚାଳନାର ସମୀକ୍ଷା କରି ଏହା କହିଛନ୍ତି।

ଏହାଛଡ଼ା କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ନମୁନା ପରୀକ୍ଷାକୁ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହେମନ୍ତ ଶର୍ମା।

ଗତ ଦୁଇମାସ ମଧ୍ୟରେ ଜିଲ୍ଲାକୁ ପାଖାପାଖି ୫୦ ହଜାର ପ୍ରବାସୀ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ସେମାନଙ୍କ ଘରକୁ ପଠାଇଛି ଜିଲ୍ଲା ପ୍ରଶାସନ। ଏବେ ସେମାନଙ୍କ ରୋଜଗାର ପାଇଁ ସରକାର ବ୍ୟବସ୍ଥା କରୁଥିବା ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା କହିଛନ୍ତି।

କରୋନା ପରିଚାଳନାରେ ଭାରତରେ ଓଡିଶାର ସ୍ଥିତି ଯେମିତି ଯେମିତି ଭଲ ରହିଛି,  ଓଡିଶାରେ କେନ୍ଦ୍ରାପଡା ମଧ୍ୟ ଭଲ ସ୍ଥିତିରେ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଦୈନିକ ଆହୁରି ଅଧିକ ନମୁନା ପରୀକ୍ଷା କରାଯିବାକୁ ବ୍ୟବସ୍ଥା ହେଉଛି।

ସେହିପରି କରୋନା ଯୋଦ୍ଧାମାନଙ୍କ ସୁରକ୍ଷା ଉପରେ ପର୍ଯ୍ୟବେକ୍ଷକ ଅଧିକ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ ଡାକ୍ତର , ପାରାମେଡିକାଲ କର୍ମଚାରୀ, କୋଭିଡ ମେଡିକାଲରେ ବେଡ୍ ସଂଖ୍ୟା ଏବେ ଯଥେଷ୍ଟ ରହିଛି। ଆସନ୍ତା ସେପ୍ଟେମ୍ବର ମାସକୁ ଯଦି ଅଧିକ ରୋଗୀ ବଢିବାର ଆଶଙ୍କା ଦେଖାଗଲେ ଏସବୁର ବୃଦ୍ଧି କରାଯିବ ବୋଲି ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ପୋଲିସ ବିଭାଗ ପକ୍ଷରୁ କରୋନା ସଚେତନତା ଓ କୋଭିଡ ଆଇନ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଆଦାୟ ଫାଇନ୍ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନିୟୋଜିତ ଥିବା ପ୍ରୋବେସନ ଆଇଏଏସ୍ ଅକ୍ଷୟ ଅଗ୍ରଓ୍ୱାଲ , କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ୍, ଅତିରିକ୍ତ ଏସ୍ ପି ଗାଗାରିନ୍ ମହାନ୍ତି ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ।

Comment