ଓଡିଶାଲାଇଭ୍ ବ୍ୟୁରୋ

ପ୍ରଖ୍ୟାତ ଚିତ୍ରଶିଳ୍ପୀ ଅସୀମ ବସୁଙ୍କୁ ଧର୍ମପଦ ପୁରସ୍କାର ମିଳିବ। ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରକଳା କ୍ଷେତ୍ରରେ ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ। ସ୍ଵର୍ଗତ ଅସୀମ ବସୁଙ୍କୁ ତାଙ୍କ ଜୀବନ ବ୍ୟାପି ସାଧନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି।

ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୋମବାର ଅସୀମ ବସୁଙ୍କ ପତ୍ନୀ ଗୀତା ବସୁଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। କୋଭିଡ୍ ଯୋଗୁଁ ମନ୍ତ୍ରୀ ନିଜେ ଯାଇ ତାଙ୍କ ପତ୍ନୀଙ୍କ ହାତରେ ପୁରସ୍କାରଟି ଦେବେ। ଧର୍ମପଦ ପୁରସ୍କାର ଲାଭ କରିଥିବା ଶିଳ୍ପୀଙ୍କୁ ମାନପତ୍ର, ଏକ ଲକ୍ଷ ଟଙ୍କା ନଗଦ ଓ ଉତ୍ତରୀୟ ଦିଆ ଯାଇଥାଏ।ଜଣେ ବିଖ୍ୟାତ ଚିତ୍ରଶିଳ୍ପୀ ବ୍ୟତୀତ ଅସୀମ ବସୁ ଓଡ଼ିଶାର ରଙ୍ଗମଞ୍ଚ ସହିତ ମଧ୍ୟ ଜଡ଼ିତ ଥିଲେ। ଥିଏଟର ନିର୍ଦ୍ଦେଶକ, ଶିଳ୍ପୀ, ଅଭିନେତା, ସାହିତ୍ୟିକ, କଳା ନିର୍ଦ୍ଦେଶକ ଓ ସେଟ୍ ଡ଼ିଜାଇନର ଏହିଭଳି ବିଭିନ୍ନ କ୍ଷେତ୍ରରେ ସେ ପାରଦର୍ଶିତା ଲାଭ କରିଥିଲେ।

ବାଲେଶ୍ୱର ଜିଲ୍ଲା କଖଡ଼ା ଗ୍ରାମରେ ମୋତିଲାଲ ବସୁ ଓ ବିଜନବାଳା ବସୁଙ୍କ ସୁଯୋଗ୍ୟ ସନ୍ତାନ ଅସୀମ ବସୁଙ୍କର ପ୍ରଥମ ନିର୍ଦ୍ଦେଶିତ ନାଟକ ଥିଲା ବିଜୟ ମିଶ୍ରଙ୍କ ‘ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ’।‘ଅସୀମ ଦା’ ନାମରେ ସମସ୍ତଙ୍କ ନିକଟରେ ପରିଚିତ ଅସୀମ ବସୁ ପ୍ରାୟ ୨୦୦ ନାଟକର ନିର୍ଦ୍ଦେଶନା ଦେଇଥିଲେ। ପ୍ରାୟ ୫୦୦ ନାଟକର ମଞ୍ଚ ନିର୍ମାଣ ଓ ପରିଚାଳନା କରିଥିଲେ ସେ। ଅନେକ ଓଡ଼ିଆ ଚଳଚିତ୍ରର କଳା ନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ଫୁସଫୁସ ସଂକ୍ରମଣ ଯୋଗୁଁ ୨୦୧୭ ମସିହାରେ ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା।

Comment