ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକର ବରିଷ୍ଠ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ୨୦୨୦ ବର୍ଷ ପାଇଁ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯିବ। ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି।

୭୨ ବର୍ଷୀୟ ଏହି ଚିତ୍ରଶିଳ୍ପୀଙ୍କ ବେଶ୍ ଖ୍ୟାତି ରହିଛି। ଓଡ଼ିଶା ଚିତ୍ରଶିଳ୍ପୀ ଦୁନିଆରେ ଜଣେ ବରିଷ୍ଠ ଚିତ୍ରକର ଭାବେ ପରିଚିତ ଶ୍ରୀ ମହାପାତ୍ର ୧୯୪୮ ମସିହା ଜୁଲାଇ ୨୯ ତାରିଖରେ ବାଙ୍କୀ ସାହାଡ଼ାପଦା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ଏବେ କଟକ ନୂଆବଜାରରେ ସପରିବାରେ ରହୁଛନ୍ତି। ୧୯୬୬ ମସିହାରେ ବାଙ୍କୀ ବରେନ୍ଦ୍ର ପ୍ରସାଦ ବିଦ୍ୟାପୀଠରୁ ମାଟ୍ରିକ୍ ପାସ୍ କରିବା ପରେ ଖଲିଖୋଲ ସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।

୧୯୭୦ରେ ସେଠାରୁ ପ୍ରଥମ ଡିଭିଜନ୍ (ଡିଷ୍ଟିନକ୍‌ସନ୍ )ରେ ପାସ୍ କରିବା ପରେ ଦୂରଦର୍ଶନରେ ନିଯୁକ୍ତି ପାଇଥିଲେ। ୨୦୦୮ ମସିହାରେ ଦୂରଦର୍ଶନରୁ ଗ୍ରାଫିକ୍‌ସ ସୁପରଭାଇଜର୍ ଭାବେ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ଏବେ କ୍ରିଏଟିଭ୍ ଆର୍ଟିଷ୍ଟ୍ ଗ୍ରୁପ୍‌ର ସଭାପତି ରହିବା ସହିତ ଚିତ୍ରକଳା ସାଧନାରେ ନିମଗ୍ନ ରହିଛନ୍ତି। ଗତକାଲି ଧର୍ମପଦ ପୁରସ୍କାର ପାଇବା ପରେ ଖୁସି ବ୍ୟକ୍ତ କରି ସେ ଯାହା କହନ୍ତି…

ପ୍ର- ୨୦୨୦ ବର୍ଷର ଧର୍ମପଦ ପୁରସ୍କାର ପାଇଁ ଆପଣ ଯୋଗ୍ୟ ବିବେଚିତ ହେଲେ। କ’ଣ କହିବେ?

ଉ- ମୋ ସାଧନାକୁ ସ୍ୱୀକୃତି ମିଳିବା ଭଳି ଲାଗୁଛି। ଆଜି ବହୁତ ଖୁସି ଲାଗୁଛି। ମୋ ବନ୍ଧୁ ଚିତ୍ରକରମାନଙ୍କୁ ଏତିକି କହିବି, ସେମାନେ ନିଜ ନିଜ ସାଧନାରେ ବ୍ରତୀ ରୁହନ୍ତୁ। ପରିଶ୍ରମର ମୂଲ୍ୟ ନିଶ୍ଚିତ ଅଛି। ପୁରସ୍କାର ମିଳିଲାନାହିଁ ବୋଲି ଚିତ୍ର ଦୁନିଆରୁ ବିରତ ହୁଅନ୍ତୁନାହିଁ।ପ୍ର- ‘ବଟ ଗଣେଶ’ ଆପଣଙ୍କ ଚିତ୍ରର ମୁଖ୍ୟ ବିଶେଷତ୍ୱ। କ’ଣ ରହିଛି ଏହା ପଛର ରହସ୍ୟ?

ଉ- ପୁରୀ ଶ୍ରୀମନ୍ଦିରରେ ବଟ ଗଣେଶ ରହିଛନ୍ତି। ସେଠାକୁ ଯାଇଥିବା ଅବସରରେ ସେଠାକାର ରୂପ ମୋତେ ପ୍ରଭାବିତ କରିଥିଲା। ବଟ ମୂଳରେ ଗଜାନନଙ୍କ ସ୍ଥିତି ଦେଖି ମୁଁ ଅବିଭୂତ ହୋଇଥିଲି। ଘରକୁ ଫେରି ଏହାକୁ ଚିତ୍ରରେ ତୋଳି ଧରିବାକୁ ପ୍ରଚେଷ୍ଟା କରିଥିଲି। କିଛି ଦିନର ପରିଶ୍ରମ ପରେ ସଫଳ ହେଲି। ଦେଖୁ ଦେଖୁ ‘ବଟ ଗଣେଶ’ ମୋର ଚିତ୍ରର ବିଶେଷତ୍ୱ ପାଲଟିଗଲା। ଅଗ୍ରପୂଜ୍ୟଙ୍କୁ ନେଇ ଜୀବନ ପଥରେ ଆଗେଇ ଚାଲିଛି।

ପ୍ର- ଶୁଣାଯାଏ, ‘ସଣ୍ଡେ ଆର୍ଟ ସ୍କୁଲ୍‌’ ବ୍ୟବସ୍ଥା ଆପଣ ଆରମ୍ଭ କରିଥିଲେ?

ଉ- ଠିକ୍ ଶୁଣିଛନ୍ତି। ୧୯୭୪ ମସିହାର କଥା। ସାଧାରଣତଃ ରବିବାରକୁ ଆମେ ଛୁଟି ଦିନ ଭାବେ କାଟିଥାଉ। ପାଠପଢ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟବସ୍ତତା ଭିତରେ ଅନ୍ତର୍ନିହିତ ଗୁଣାବଳୀର ବିକାଶ ହୋଇପାରେନା। କିଏ ଚିତ୍ର କରିବ, କିଏ ଗୀତ ଗାଇବ ବା କିଏ ଖେଳିବ। ସପ୍ତାହର ଅନ୍ୟ ଦିନରେ ଏସବୁ କରିବା ସାଧାରଣରେ ସମ୍ଭବ ହୁଏନାହିଁ। ତେଣୁ ରବିବାର କିଛି ପିଲାଙ୍କୁ ନେଇ ରବିବାରିଆ ଆର୍ଟ ସ୍କୁଲ୍ ଆରମ୍ଭ କରିଥିଲି। ପରେ ସାରା ଓଡ଼ିଶାରେ ଚିତ୍ରଶିଳ୍ପୀମାନେ ଏହାକୁ ଗ୍ରହଣ କରିଥିଲେ। ନିଜ ନିଜ ଅଞ୍ଚଳରେ ସଣ୍ଡେ ଆର୍ଟ ସ୍କୁଲ୍ ଖୋଲିଥିଲେ। ଏହାଦ୍ଵାରା ଚିତ୍ରଶିଳ୍ପୀ ଭାବେ ରୋଜଗାରକ୍ଷମ ହେବାକୁ ମଧ୍ୟ ସୁଯୋଗ ପାଉଛନ୍ତି।ପ୍ର- ରଙ୍ଗ, ତୂଳୀ ସହ ଯାତ୍ରାରେ କବିତା ମଧ୍ୟ ସହଯାତ୍ରୀ ହେଲା ଯେ? ଏହା ପୁଣି କେମିତି?

ଉ- ଏ ସବୁ ଭଗବାନଙ୍କ ଆଶୀର୍ବାଦ। କବିତା ପ୍ରତି ଛୋଟବେଳୁ ଦୁର୍ବଳତା ରହିଆସିଛି। ଗୀତିଗଙ୍ଗୋତ୍ରୀ, ଚଳଚ୍ଚିତ୍ର ଜଗତ, ଅମୃତାୟନ ଭଳି ପ୍ରକାଶନରେ ମୋର କବିତା ପ୍ରକାଶ ପାଇଛି। ଗୀତିଗଙ୍ଗୋତ୍ରୀ ତରଫରୁ ମୋତେ କବିତା ରଚନା ପାଇଁ ‘ଗୌରହରି ସ୍ୱର୍ଣ୍ଣ ପଦକ’ ମଧ୍ୟ ମିଳିଛି। ବହୁ କବି ସମ୍ମିଳନୀରେ କବିତା ପାଠ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି।

ପ୍ର- ବର୍ତ୍ତମାନ ସମୟରେ ସମସାମୟିକ କଳାର ଆଦୃତି ବଢ଼ିଛି। ଆଗକୁ ଯାଇ ନୂଆ ଧାରାରେ ପାରମ୍ପରିକ କଳା ହଜିଯିବନି ତ?

ଉ- ଅସମ୍ଭବ। ପାରମ୍ପରିକ କଳା ହେଉଛି ସମସାମୟିକ କଳାର ପୃଷ୍ଠଭୂମି। ଯେଉଁ କଳାକାର ପାରମ୍ପରିକ କଳା ସହ ଜଡ଼ିତ ହୋଇନାହାନ୍ତି ସେମାନେ ସମସାମୟିକ କଳାରେ ଶତପ୍ରତିଶତ ଦେଇପାରିବେନାହିଁ। ଯୁବବର୍ଗଙ୍କୁ ଏତିକି ପରାମର୍ଶ ଦେବି ପରମ୍ପରାକୁ ଛାଡ଼ନ୍ତୁନାହିଁ। ପାରମ୍ପରିକ କଳା ପ୍ରତି ଆଦର ରହିଲେ ଆଗକୁ ଶହ ଶହ ବର୍ଷ ପର୍ଯ୍ୟନ୍ତ ସମସାମୟିକ କଳାର ପ୍ରତିଟି ସୋପାନରେ ସଫଳତା ପାଇବା ସହଜ ହେବ।

ପ୍ର- କଟକରେ ‘ଆର୍ଟ ଗ୍ୟାଲେରୀ’ କ’ଣ ସ୍ୱପ୍ନ ହୋଇ ରହିଯିବ?

ଉ- ଆମେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପ୍ ତରଫରୁ ବାରମ୍ବାର ଏ ଦିଗରେ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ(ସିଏମ୍‌ସି)କୁ ଅନୁରୋଧ କରିଆସୁଛୁ। ସେମାନେ ବି ବାରମ୍ବାର ପ୍ରତିଶ୍ରୁତି ଦୋହରାଉଛନ୍ତି। ଆଗକୁ ଆମେ ଏ ଦିଗରେ ଜୋର୍‌ଦାର ଲାଗିବୁ। କାରଣ କଟକ ହେଉଛି ଚିତ୍ରକଳାର ଏନ୍ତୁଡ଼ିଶାଳ। ଏଠାରେ ଆର୍ଟ ଗ୍ୟାଲେରୀର ଆବଶ୍ୟକତା ଢେର ଅଧିକ ରହିଛି।

Comment