ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅଗଷ୍ଟ କ୍ରାନ୍ତି ଦିବସରେ ଦେଶର ଶତାଧିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। କରୋନା କଟକଣା ପାଇଁ ଦିଲ୍ଲୀ ଯାଇପାରିନଥିବା ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ ତାଙ୍କର ହାଟବାଣପୁର ଗାଁର ବାସଭବନରେ ସମ୍ବର୍ଦ୍ଧିତ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରେରିତ ଏକ ଶାଲ୍ , ଉତ୍ତରୀୟ, ନିମନ୍ତ୍ରଣ ପତ୍ର ଓ ପୁଷ୍ପ ଗୁଚ୍ଛ ମକରଙ୍କୁ ଅର୍ପଣ କରିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଓ ଜିଲ୍ଲାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ।

ଏହାପୂର୍ବରୁ ମକର ଦାସ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ , ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀମତୀ ଇନ୍ଦିରା ଗାନ୍ଧୀ,  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଗୌରବ ହୋଇପାରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହାଟବାଣପୁର ଗାଁର ମକର ଦାସ ଜଣେ ପ୍ରଖ୍ୟାତ ସଂଗ୍ରାମୀ। ୧୯୨୪ ମସିହା ମଇ ମାସ ୧୧ ତାରିଖରେ ପଦ୍ମା ଦାସ ଓ ଆକୁଳି ଦାସଙ୍କ କୋଳ ମଣ୍ଡନ କରିଥିଲେ ମକର। ୬ ବର୍ଷ ବୟସରେ ସାହିର ଜହ୍ନ ଦାସ ଓ ମଣି ଦାସଙ୍କ ପାଳିତ ପୁତ୍ର ଭାବେ ପରିଚିତ ହୋଇଥିଲେ। ପିଲା ବେଳୁ ତାଙ୍କର ସାହସିକତା ପ୍ରବୃତ୍ତି ତାଙ୍କୁ ଭାରତ ସ୍ବାଧୀନତା ସଂଗ୍ରାମର ସୈନୀକ ସଜେଇଥିଲା।

୧୯୪୨ ମସିହା ସେପ୍ଟେମ୍ବର ୧୧ ତାରିଖରେ କେନ୍ଦ୍ରାପଡ଼ା ସବଡିଭିଜନର ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ସେତେବେଳର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରବେଶକୁ ତାଙ୍କ ନେତୃତ୍ବରେ ପରିଚାଳିତ ଯୋଦ୍ଧା ମାନେ ବନ୍ଦ କରିବାକୁ ସକ୍ଷମ ହୋଇଥିଲେ। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ମକରଙ୍କୁ ବ୍ରିଟିଶ ପୋଲିସ ଧରିନେଇ ପିଟିପିଟି କେନ୍ଦ୍ରାପଡ଼ା ଥାନାକୁ ନେଇଯାଇଥିଲା। କୋର୍ଟରେ ଜାମିନ ନମିଳିବାରୁ ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜେଲ ହାଜତକୁ ପଠାଇଦେଇଥିଲେ ଜଜ୍। ପରେ କଟକ ଜେଲ ଓ ପରେ ବ୍ରହ୍ମପୁର ଜେଲକୁ ତାଙ୍କୁ ନିଆଯାଇଥିଲା। ୧୯୪୩ ମସିହା ଫେବୃଆରୀ ୨୩ ତାରିଖରେ ସେ ଜାମିନରେ ଛାଡ ପାଇଥିଲେ।

Comment