ଓଡିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଇତିହାସକୁ ସମୃଦ୍ଧ କରିଥିଲେ ପ୍ରଫେସର ଭବାନୀ ଚରଣ ରାୟ। ଆଜି ତାଙ୍କ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି।

ପ୍ରଫେସର ଭବାନୀ ଚରଣ ରାୟ ଏକାଧାରରେ ଜଣେ ବିଶିଷ୍ଟ ଐତିହାସିକ ତଥା ପ୍ରାବନ୍ଧକ ଥିଲେ। ଓଡ଼ିଶାର ସଂସ୍କୃତିକ ଇତିହାସରେ ସେ ନୂଆଦିଗନ୍ତ ଉନ୍ମୋଚନ କରିଥିଲେ। ଆଜି ହେଉଛି ସେହି ପୁଣ୍ୟାତ୍ମାଙ୍କର ପବିତ୍ର ଜନ୍ମତିଥି। ଏହି ଅବସରରେ ପ୍ରଫେସର ରାୟଙ୍କୁ ସମ୍ମାନ ଜଣାଇ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରଫେସର ରାୟ ୧୯୨୧ ମସିହା ଅଗଷ୍ଟ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ହାଇସ୍କୁଲରୁ ମାଟ୍ରିକ୍‌ରେ କୃତୀତ୍ଵର ସହ ଉତ୍ତୀର୍ଣ୍ଣ ହେବା ପରେ କଟକର ରେଭେନ୍ସା କଲେଜରେ ପାଠ ପଢ଼ିଥିଲେ। ଏହାପରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିଥିଲେ। ସେଠାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ୧୯୪୮ ମସିହାରେ ଇତିହାସ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ପରେ ସେ ୧୯୬୪ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ହୋଇଥିଲେ। ପରେ ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୩ ମସିହାରେ ଅବସର ଗ୍ରହଣ କରିଥିଲେ।

“ପ୍ରଖ୍ୟାତ ଐତିହାସିକ ପ୍ରଫେସର ଭବାନୀ ଚରଣ ରାୟ ଓଡ଼ିଶା ଇତିହାସର ବହୁ ଅଜ୍ଞାତ ତଥା ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ଲୋକଲୋଚନକୁ ଆଣି ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୃଦ୍ଧିରେ ସହାୟକ ହୋଇଥିଲେ। ପ୍ରଫେସର ରାୟ ହେଉଛନ୍ତି ପ୍ରଥମ ଐତିହାସିକ ଯିଏକି ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହକୁ ଇଂରେଜଙ୍କ ବିରୁଦ୍ଧରେ ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ଆଖ୍ୟା ଦେଇଥିଲେ। ଓଡ଼ିଆ ଜାତିର ଇତିହାସ ପ୍ରତି ପ୍ରଫେସର ରାୟଙ୍କର ଅନବଦ୍ୟ ଅବଦାନ ତାଙ୍କୁ ଜଣେ ଯୋଗଜନ୍ମା ପୁରୁଷ ଏବଂ ଐତିହାସିକ ଭାବେ ଆଖ୍ୟା ଦେଇପାରିଛି”, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।“ଓଡ଼ିଆ ଭାଷାରେ ତାଙ୍କର ଅନେକ ପୁସ୍ତକ ରହିଛି, ଯେଉଁଥିରେ ତାଙ୍କର ଉଚ୍ଚକୋଟୀର ଐତିହାସିକ ସଚେତନତା ପ୍ରକାଶିତ। ସେ ଜଣେ ତଥ୍ୟନିଷ୍ଟ ଐତିହାସିକ ଥିଲେ। ସେ ନିଜର ଏକ ଅନୁଷ୍ଠାନ ‘ଆଡ୍‌ଭାନ୍ସ ଷ୍ଟଡିଜ୍’ ମାଧ୍ୟମରେ ବହୁ ପୁସ୍ତକ ପ୍ରକାଶିତ କରିଥିଲେ। ସେ ନିଜ ଜୀବନର ଶେଷ କାଳରେ ବକ୍ସି ଜଗବନ୍ଧୁଙ୍କ ଚରିତ୍ର ଉପରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ବକ୍ସି ଜଗବନ୍ଧୁ ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ ପ୍ରବର୍ତ୍ତକ ଥିଲେ ବୋଲି ପ୍ରଫେସର ରାୟ ଏହି ଆଲେଖ୍ୟରେ ପ୍ରମାଣିତ କରିଥିଲେ। ମରହଟ୍ଟାକାଳୀନ ଓଡ଼ିଶା, ମୋଗଲକାଳୀନ ଓଡ଼ିଶା ସମେତ ବକ୍ସି ଜଗବନ୍ଧୁଙ୍କ ସମ୍ପର୍କିତ ପ୍ରାମାଣିକ ପୁସ୍ତକ କ୍ଷେତ୍ରରେ ପ୍ରଫେସର ରାୟଙ୍କ ଅବଦାନ ଅବିସ୍ମରଣୀୟ”, କହିଛନ୍ତି ବିଶିଷ୍ଟ ଐତିହାସିକ ଡକ୍ଟର କୈଳାଶ ଚନ୍ଦ୍ର ଦାଶ।

“ପ୍ରଫେସର ରାୟ ଦେଖିଥିଲେ ଯେ ଓଡ଼ିଶା ଇତିହାସ ସଠିକ୍ ଭାବେ ରଚିତ ହୋଇନାହିଁ। ତେଣୁ ସେ ଏହା ସମ୍ପର୍କରେ ଗବେଷଣା କରିବାକୁ ମନ ବଳାଇଥିଲେ। ସେ ଆମମାନଙ୍କ ଗହଣରେ ଆଜି ନ ଥିଲେ ମଧ୍ୟ ତାଙ୍କର କୃତୀ ସଦାସର୍ବଦା ଓଡ଼ିଶା ତଥା ଓଡ଼ିଶା ବାହାରେ ଚର୍ଚ୍ଚିତ ହେଉଛି ଏବଂ ହେଉଥିବ”, କହିଛନ୍ତି ବିଶିଷ୍ଟ ଗବେଷକ ତଥା ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତି।

ପ୍ରଫେସର ରାୟ ନିଜ ଜୀବନର ଦୀର୍ଘ ୫୦ ବର୍ଷ ଓଡ଼ିଶାର ସାହିତ୍ୟ, ଇତିହାସ ଓ ସଂସ୍କୃତି ଚର୍ଚ୍ଚାରେ ବିନିଯୋଗ କରିଥିଲେ। ବିଶେଷକରି ବ୍ରିଟିଶ ରାଜତ୍ଵ କାଳରେ ଓଡ଼ିଶା ସମ୍ପର୍କରେ ସେ ଗବେଷଣା କରିଥିଲେ। ଏଥିସହ ସେ ମୋଗଲକାଳୀନ ଓ ମରହଟ୍ଟା ଶାସନକାଳୀନ ଓଡ଼ିଶା ସମ୍ପର୍କରେ ବହୁ ଗବେଷଣା କରିଥିଲେ। ତାଙ୍କ ରଚିତ ‘ଓଡ଼ିଶାରେ ମରହଟ୍ଟା ଶାସନ’ ପୁସ୍ତକଟି ବେଶ୍ ଲୋକପ୍ରିୟ ହୋଇଥିଲା। ତାଙ୍କର ପ୍ରାଥମିକ ପ୍ରବନ୍ଧ ଥିଲା ‘ଝଙ୍କାର’ ଏବଂ ‘ନବଭାରତ ନୂତନ ପ୍ରସ୍ତରେ’। ଏଥିରେ ସେ ମଧ୍ୟଯୁଗୀୟ ଓଡ଼ିଶାର ବିଭିନ୍ନ ଚିତ୍ର ଅଙ୍କନ କରିଥିଲେ।“ପ୍ରାକ୍ ସ୍ଵାଧୀନତା ସଂଗ୍ରାମର କଷଣ ଏବଂ ଶୋଷଣ, ଅଭିଜ୍ଞତା ଓ ସ୍ଵାଧୀନତା ପରବର୍ତ୍ତୀ ଅସୁମାରୀ ସ୍ଵପ୍ନ ଭିତରେ ଗଢ଼ା ହୋଇଛି ପ୍ରଫେସର ରାୟଙ୍କ ଇତିହାସକାରର ଜୀବନ। ‘ଓଡିଶା ଅଣ୍ଡର ଦି ମରହଟ୍ଟାଜ୍’, ‘ଫାଉଣ୍ଡେସନ ଅଫ୍ ବ୍ରିଟିଶ୍ ରୁଲ୍’, ‘ମୋଗଲ ଓଡ଼ିଶାର ଇତିହାସ ସଂସ୍କୃତି’ ଭଳି ଅସଂଖ୍ୟ ଗବେଷଣା ପ୍ରବନ୍ଧ ବହୁ ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ଦିଗ୍‌ଦର୍ଶନ ଦେଇଛି। ସତ୍ୟର ଅନୁସନ୍ଧାନ, ସାମାଜିକ ଅଙ୍ଗୀକାରବଦ୍ଧତା, ଧର୍ମନିରପେକ୍ଷ ଚିନ୍ତାଧାରା ଏବଂ ଜାତୀୟତାର ସ୍ରୋତ ଇତିହାସକୁ ପ୍ରଭାବିତ କରିପାରେ ବୋଲି ତାଙ୍କର ବିଶ୍ଵାସ ଥିଲା। ଜାତୀୟ ସଙ୍ଗତି, ଭ୍ରାତୃଭାବ, ସାମ୍ପ୍ରଦାୟିକ ସଦିଚ୍ଛା, ସ୍ଵାଧୀନତା ସଂଗ୍ରାମର ମୂଳ ଆକାଂକ୍ଷା ଓ ଚିନ୍ତାଧାରା ତାଙ୍କ ଲେଖନୀକୁ ପ୍ରଭାବିତ କରିଥିଲା”, କହିଛନ୍ତି ବିଶିଷ୍ଟ ଐତିହାସିକ ଅମିୟ କୁମାର ମହାନ୍ତି।

ପ୍ରଫେସର ରାୟ ଓଡ଼ିଆରେ କପିଳେନ୍ଦ୍ର ଦେବଙ୍କ ଉପରେ ଏକ ପ୍ରବନ୍ଧ ପ୍ରକାଶିତ କରିଥିଲେ। ଏଥିସହ ମୋଗଲକାଳୀନ ଭାରତ ଓ ଓଡ଼ିଶା ସମ୍ପର୍କରେ ଜାଣିବା ପାଇଁ ମଧ୍ୟଯୁଗୀୟ କାବ୍ୟରୁ ତଥ୍ୟ ସଂଗ୍ରହ କରିଥିଲେ। ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ତାଙ୍କ ରଚନାଗୁଡ଼ିକ ମଧ୍ୟଯୁଗୀୟ ଓଡ଼ିଶାର ସାହିତ୍ୟ ଓ ସଂସ୍କୁତିକୁ ରୁଦ୍ଧିମନ୍ତ କରିଥିଲା। ତାଙ୍କ ଜୀବନକାଳ ମଧ୍ୟରେ ବହୁ ଗବେଷକ ତାଙ୍କ ଅଧୀନରେ ଗବେଷଣା କରିଥିଲେ। ୨୦୦୯ ମସିହା ଜୁଲାଇ ୧୧ ତାରିଖରେ ପ୍ରଫେସର ଭବାନୀ ଚରଣ ରାୟ ଇହଧାମ ତ୍ୟାଗ କରିଥିଲେ।

Comment