ଓଡିଶାଲାଇଭ୍ ବ୍ୟୁରୋ

କଡ଼ା କୋଭିଡ୍ କଟକଣା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ପାଳନ କରାଯିବ। ଜିଲ୍ଲାର ବିଭିନ୍ନ ବିଭାଗରେ ନିଷ୍ଠାପର କୋଭିଡ୍ ସେବା ଯୋଗାଉଥିବା ସରକାରୀ କର୍ମଚାରୀ, ସ୍ଵେଚ୍ଛାସେବୀ ଆଦିଙ୍କୁ ଏହି ପ୍ୟାରେଡ୍‌ରେ ଯୋଗଦେବାକୁ ଆମନ୍ତ୍ରଣ କରାଯିବ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ରିଜର୍ଭ ଇନ୍ସପେକ୍ଟର, ବ୍ୟାଣ୍ଡ ବାଦକ ଦଳ ଓ ସଶସ୍ତ୍ର ପୋଲିସ ଯବାନଙ୍କୁ ନେଇ ଗଠିତ ୨୦ ଜଣିଆ ଟିମ୍ ସାମାଜିକ ଦୂରତ୍ଵ ରକ୍ଷା କରି ପ୍ୟାରେଡ୍ ପ୍ରଦର୍ଶନ କରିବା ସହିତ ଆମନ୍ତ୍ରିତ ଅତିଥିଙ୍କୁ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରିବେ।

ଏହି ଉତ୍ସବରେ ଯୋଗଦେବାକୁ ସାରା ଜିଲ୍ଲାରୁ କୋଭିଡ ଯୋଦ୍ଧାମାନଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ସ୍ଵାସ୍ଥ୍ୟ ସେବାରେ ନିୟୋଜିତ ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରୁଥିବା ଏଏନ୍ଏମ୍ , ଆଶାକର୍ମୀ, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ଆମ୍ବୁଲାନ୍ସ ଡ୍ରାଇଭର, ନର୍ସ ଓ ଡାକ୍ତରଙ୍କ ଭିତରୁ ୨ ଜଣ ଲେଖାଏଁ କୋଭିଡ୍ ଯୋଦ୍ଧାଙ୍କ ନାମ ସୁପାରିଶ କରିବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।ଏହାଛଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସର୍ବୋତ୍କୃଷ୍ଟ କୋଭିଡ୍ ଯୋଦ୍ଧା ଭାବେ ୨ ଜଣ ଅଙ୍ଗନବାଡ଼ି କର୍ମଚାରୀ ଓ ୨ ଜଣ ସ୍ଵେଚ୍ଛାସେବୀଙ୍କ ନାମ ସୁପାରିଶ୍ କରିବେ। ଅନ୍ୟତମ କୋଭିଡ୍ ଯୋଦ୍ଧା ଭାବେ ଜିଲ୍ଲା ପୋଲିସ ବିଭାଗର ସର୍ବୋତ୍କୃଷ୍ଟ କୋଭିଡ୍ ସେବକ ଭାବେ ୩ ଜଣ ଏବଂ ଜିଲ୍ଲାର ଦୁଇ ପୌରାଞ୍ଚଳ ଯଥା କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇରୁ ୨ ଜଣ ଲେଖାଏଁ ୪ ଜଣଙ୍କୁ ବଛାଯିବ। ଜିଲ୍ଲାର ଅଗ୍ନିଶମ ବିଭାଗରୁ ଜଣେ ଛାମୁଆ କରୋନା ଯୋଦ୍ଧାଙ୍କୁ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ସମ୍ପୃକ୍ତ ବିଭାଗର ମୁଖ୍ୟମାନେ ଆସନ୍ତା ୧୩ ତାରିଖ ସୁଦ୍ଧା ଏହି କୋଭିଡ୍ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଉତ୍ସବ ପୂର୍ବରୁ ପ୍ୟାରେଡ୍ ପଡ଼ିଆ ସାନିଟାଇଜ୍ କରିବା, ପାନୀୟଜଳ ବ୍ୟବସ୍ଥା କରିବା, ଅଭିବାଦନ ମଞ୍ଚ ପ୍ରସ୍ତୁତ କରିବା ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏଥର ଜିଲ୍ଲାରେ ସୁସ୍ଥ ସ୍ଵାଧୀନତା ଦିବସ ପାଳନ କରି ସୁସ୍ଥ କେନ୍ଦ୍ରାପଡ଼ା, ସୁସ୍ଥ ଓଡ଼ିଶା ଓ ସୁସ୍ଥ ଭାରତ ଗଠନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।

Comment