ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସହରର ଦୁର୍ଗା ନର୍ସିଂହୋମରେ ଜଣେ ସାମ୍ବାଦିକଙ୍କ ଫଟୋ ଉଠାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳର ସମାଧାନ ହୋଇପାରିନାହିଁ। ବରଂ ଏହାକୁ ନେଇ ସାମ୍ବାଦିକ, ପୋଲିସ ଓ ଡାକ୍ତରଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଲାଗିଛି। ତେବେ ଘଟଣାରେ ସମ୍ପୃକ୍ତ ଦୁଇ ଡାକ୍ତରଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଓମସାର କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ପୁଣି ଥରେ କାର୍ଯ୍ୟବନ୍ଦ ଚେତାବନୀ ଦିଆଯାଇଛି।

ଗତ ଜୁଲାଇ ୩୧ ତାରିଖରେ ସାମ୍ବାଦିକ ଜଣକ ମନକପୁରଠାରେ ଥିବା ଏହି ନର୍ସିଂହୋମରେ ଫଟୋ ଉଠାଉଥିଲେ। ଏହାକୁ ବିରୋଧ କରି ନର୍ସିଂହୋମ୍‌ର ଦୁଇ ଡାକ୍ତର ତାଙ୍କ ମୋବାଇଲ ଓ ବାଇକ୍ ଛଡ଼ାଇନେଇ ମାଡ଼ ମାରିଥିବା ସମ୍ପୃକ୍ତ ସାମ୍ବାଦିକ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ଟାଉନପୋଲିସ ନର୍ସିଂହୋମର ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଡାକ୍ତର ଦେବାଶିଷ ଓ ଡାକ୍ତର ଶିବାଶିଷ ସାହୁଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଥାନାକୁ ନେଇଥିଲେ। ସେଠାରେ ପୋଲିସ୍ ସେମାନଙ୍କୁ ନିସ୍ତୁକ ପିଟାମରା କରିଥିବା ଦୁଇ ଡାକ୍ତର ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ, ସାମ୍ବାଦିକଙ୍କ ଅଭିଯୋଗ ପରେ ନର୍ସିଂହୋମକୁ ପୋଲିସ ତଦନ୍ତ କରିବାକୁ ଆସିଥିବା ବେଳେ ଦୁଇ ଡାକ୍ତର ଭାଇ ପୋଲିସକୁ ଦୁର୍ବ୍ୟବହାର କରି ମାଡ଼ ମାରିଥିବା ପୋଲିସ ଅଭିଯୋଗ କରିଥିଲା। ଡାକ୍ତରଙ୍କ ମାଡ଼ରେ ଟାଉନଥାନାର ଏସ୍‌ଆଇ ସୌମ୍ୟରଞ୍ଜନ ଜାଲି ଆହତ ହୋଇଥିଲେ। ଏହି ଅଭିଯୋଗରେ ପୋଲିସ ମାମଲା ରୁଜୁ କରି ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କୁ ଗିରଫ କରି ଗତ ଅଗଷ୍ଟ ୧ ତାରିଖରେ କୋର୍ଟ ଚାଲାଣ କରିଥିଲା।ତେବେ ଡାକ୍ତରଙ୍କ ପ୍ରତି ପୋଲିସର ବର୍ବରୋଚିତ ମାଡ଼, ଅନ୍ୟାୟ ଗିରଫଦାରୀ ଓ ଅର୍ଦ୍ଧନଗ୍ନ ଭାବରେ ହାଜତରେ ପୁରାଇ ଫଟୋ ଉଠାଇ ଭାଇରାଲ କରିବା ପ୍ରତିବାଦରେ କେନ୍ଦ୍ରାପଡ଼ା ଓମସା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ରୋଗୀ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କୋଭିଡ୍ ସମୟରେ ଜିଲ୍ଲାରେ ରୋଗୀ ଚିକିତ୍ସା ବନ୍ଦ ହେବା ଓ ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିବା ଆଶଙ୍କା ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରି ଡାକ୍ତରମାନଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଟାଉନଥାନା ପୋଲିସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନର ଅନୁରୋଧରେ ଓମସାର କର୍ମକର୍ତ୍ତାମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ।BGUକିନ୍ତୁ ଘଟଣାକୁ ଏତେ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଅପରାଧ ଘଟାଇଥିବା ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି କେନ୍ଦ୍ରାପଡ଼ା ଓମସା ଶାଖା ଅଭିଯୋଗ କରିଛି। ତେଣୁ ଏହାର ପ୍ରତିବାଦରେ ପୁଣି କେନ୍ଦ୍ରାପଡ଼ା ଓମସା ଶାଖା ନିଷ୍ପତ୍ତି ବଦଳାଇବ ବୋଲି ସଭାପତି ଡାକ୍ତର ଅଶୋକ କୁମାର କର ଓ ସମ୍ପାଦକ ଡାକ୍ତର ସଞ୍ଜିତ କୁମାର ସେଠି ସୂଚନା ଦେଇଛନ୍ତି।

Comment