ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲାରେ ପ୍ଲାଜମା ସଂଗ୍ରହ ଦାୟିତ୍ୱରେ ଅଛନ୍ତି ରାଜ୍ୟ ସରକାରଙ୍କ ସମବାୟ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ପାଇଁ ଦିନରାତି ଏକ କରିଛନ୍ତି ସେ। ତାଙ୍କ ଉଦ୍ୟମରେ ଶନିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ କରୋନା ଯୋଦ୍ଧାଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି। କଟକ ବକ୍ସିବଜାର ପାନ୍ଥ ନିବାସଠାରେ ମନ୍ତ୍ରୀ ୬ ଜଣ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ନିରାଡମ୍ବର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ , ଜିଲ୍ଲା ପ୍ଲାଜମା ସଂଗ୍ରହ କମିଟିର ମୂଖ୍ୟ ସଂଯୋଜକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ପ୍ରମୋଦ ସାମଲ , ସହ ସଂଯୋଜକ ରାଜେଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ଲାଜମା ଦାତାଙ୍କ ମଧ୍ୟରେ ଅଛନ୍ତି  କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ରଜତ୍ କୁମାର ପଣ୍ଡା ଓ ଦେବେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଶଶାଙ୍କ ଶେଖର ବିଶ୍ୱାଳ ଓ ରମେଶ ଚନ୍ଦ୍ର ରାଉତ୍, ରାଜନଗର ନିର୍ବାଚନ ମଣ୍ଡଳୀର ଦିଲ୍ଲୀପ ଅଧିକାରୀ ଓ ପାଟକୁରା ନିର୍ବାଚନ ମଣ୍ଡଳୀର ଶ୍ରୀକାନ୍ତ ବେହେରା।BGU

ଜିଲ୍ଲାରେ ଆହୁରି ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ନିମନ୍ତେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଜିଲ୍ଲାରେ କରୋନାକୁ ପରାସ୍ତ କରିଥିବା ଯୋଦ୍ଧାମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାରେ ଲାଗିଛନ୍ତି । ଖୁବଶୀଘ୍ର କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି  ଜିଲ୍ଲା ପ୍ଲାଜମା ସଂଗ୍ରହ କମିଟିର ମୁଖ୍ୟ ସଂଯୋଜକ ପ୍ରମୋଦ ସାମଲ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟରେ ପ୍ଲାଜମା ଥେରାପିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବାପରେ ସାରା ରାଜ୍ୟରୁ ଏବେ ପ୍ଲାଜମା ସଂଗ୍ରହ ଆରମ୍ଭ ହୋଇଛି । ପ୍ଲାଜମା ବ୍ୟାଙ୍କରେ ସଂଗୃହିତ ହୋଇ ରହୁଥିବା ପ୍ଲାଜମା ଗୁରୁତର କରୋନା ପିଡୀତଙ୍କ ପାଇଁ ମହୌଷଧି ପାଲଟିଛି।

Comment