ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲାଞ୍ଚ ନେବା ବେଳେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା। ସରକାରୀ ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏନେଇ କେନ୍ଦ୍ରାପଡ଼ା ଭିଜଲାନ୍ସ ବିଭାଗ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁ ସୂଚନା ଦେଇଛନ୍ତି।

ଡିଏସ୍‌ପିଙ୍କ ସୂଚନା ଅନୁସାରେ ବଙ୍ଗାଳପୁର ପଞ୍ଚାୟତ ଅନ୍ତର୍ଗତ ହୁରାସାହି ଗାଁର ସୁଭେନ୍ଦ୍ରନାଥ ରାଉତରାୟ ତାଙ୍କ ଗାଁ ପୋଖରୀ ଗାଧୁଆ ଘାଟରେ ଏକ ଲୁଗା ପାଲଟା ଗୃହ ନିର୍ମାଣ କରିଥିଲେ। ୫୦ ହଜାର ଟଙ୍କାର କାର୍ଯ୍ୟାଦେଶ ପାଇଥିବା ଏହି ଗୃହ ନିର୍ମାଣ ବହୁ ଆଗରୁ ଶେଷ ହୋଇଥିଲା। କିନ୍ତୁ ପିସି ନ ଦେଲେ ବିଲ୍ ହୋଇପାରିବନି ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଭେନ୍ଦ୍ରନାଥଙ୍କୁ କହିଥିଲେ। ଆଜି ବିଲ୍ କରାଇଦେବାକୁ କହି ଧର୍ମାନନ୍ଦ ସୁଭେନ୍ଦ୍ରନାଥଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସୁଭେନ୍ଦ୍ରନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ପୂର୍ବ ଯୋଜନା ମୁତାବକ ଆଜି ଧର୍ମାନନ୍ଦ ଏହି ପିସି ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ହାତରୁ କେମିକାଲ ରଙ୍ଗ ବୋଳା ଟଙ୍କା ଉଦ୍ଧାର କରାଯିବା ସହ ତାଙ୍କୁ କଟକ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି।

ସରକାର ପିସି କାରବାର ବନ୍ଦ କରିଥିଲେ ମଧ୍ୟ ସବୁଆଡ଼େ ପିସିର ଖୋଲାଖୋଲି ବେପାର ଚାଲିଛି। ଏବେ ଏହି ପିସିର ପରିମାଣ କମିବା ବଦଳରେ ବଢ଼ିବଢ଼ି ଚାଲିଛି। ଜଣେ ଠିକାଦାରଙ୍କ କହିବା ଅନୁସାରେ, ଆଗରୁ ଏହାର ପରିମାଣ ୧୦ରୁ ୧୨ ପ୍ରତିଶତ ଥିବା ବେଳେ ଏବେ ଏହା ୧୪ ପ୍ରତିଶତରେ ପହଞ୍ଚିଲାଣି।BGUଏପରି ଅବସ୍ଥା ସବୁ ସ୍ଥାନରେ ଦେଖିବାକୁ ମିଳୁଛି। ଅପରାଧୀମାନେ ଗିରଫ ହେଉଥିଲେ ମଧ୍ୟ ଏହି କୁତ୍ସିତ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ତେଣୁ ଅପରାଧୀମାନଙ୍କ ପାଇଁ ଆଇନ୍‌କୁ କଡ଼ାକଡ଼ି କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Comment