ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟରୁ ସନ୍ୟାସ ନେବା ପରେ ମହେନ୍ଦ୍ର ସିଂହ ଧୋନୀ ପଲିଟିକ୍ସରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି।

କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତିରେ ପ୍ରବେଶ କରିବେ କି ଧୋନୀ? ଏଭଳି କିଛି କଥା ଏବେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ଝାଡ଼ଖଣ୍ଡରେ ଏହାକୁ ନେଇ ତିନି ଦଳ ବିଜେପି, କଂଗ୍ରେସ ଓ ଜେଏମ୍ଏମ୍ ମଧ୍ୟରେ ରେସ୍ ଆରମ୍ଭ ହୋଇଯାଇଛି।

ଗତ ଅଗଷ୍ଟ ୧୫ ତାରିଖରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଏହାପରେ ମଧ୍ୟ ସେ ତାଙ୍କର ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଆଇପିଏଲ୍ ଖେଳିବେ ବୋଲି କହିଛନ୍ତି। ହେଲେ ଧୋନୀଙ୍କୁ ରାଜନୀତିରେ ପ୍ରବେଶ କରାଇବା ନେଇ ଏବେ ଅନେକ ଦଳ ଇଚ୍ଛା ଜାହିର କରିଥିବା ଜଣାପଡ଼ିଛି।

ଧୋନୀଙ୍କୁ ରାଜନୀତିରେ ପ୍ରବେଶ କରିବାର ପ୍ରଥମ ଅଫର୍ ବିଜେପି ପକ୍ଷରୁ ମିଳିଛି। ଝାଡ଼ଖଣ୍ଡର ବିଜେପି ନେତା ତଥା ସାଂସଦ ସଞ୍ଜୟ ସେଠ କହିଛନ୍ତି, “ଧୋନୀ ଯଦି ଚାହିଁବେ ତେବେ ସେ ବିଜେପିରେ ମିଶିପାରିବେ। ହେଲେ ଏସବୁ କିଛି ତାଙ୍କର ଇଚ୍ଛା ଉପରେ ନିର୍ଭର କରୁଛି।”

ସେହିପରି ଝାଡ଼ଖଣ୍ଡ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ଠାକୁର ମଧ୍ୟ ଧୋନୀଙ୍କ ନିଜ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ସେ କହିଛନ୍ତି ଧୋନୀ ଯୁବକମାନଙ୍କର ରୋଲ୍ ମଡେଲ। ସେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ହେବ। କଂଗ୍ରେସ ତାଙ୍କୁ ସବୁବେଳେ ସ୍ୱାଗତ କରିବ ବୋଲି ସେ କହିଛନ୍ତି।BGU

ଅନ୍ୟପଟେ ଝାଡ଼ଖଣ୍ଡରେ ଶାସନରେ ଥିବା ଜେଏମ୍ଏମ୍ ମଧ୍ୟ ଧୋନୀଙ୍କ ରାଜନୀତିରେ ପ୍ରବେଶ କରିବାକୁ ନେଇ ଉତ୍ସାହିତ ଅଛି। ଦଳର କେନ୍ଦ୍ରୀୟ ମହାସଚିବ ବିନୋଦ ପାଣ୍ଡେ କହିଛନ୍ତି ଯଦି ଧୋନୀ ରାଜନୀତିକୁ ଆସନ୍ତି ତେବେ ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ। ଜେଏମ୍ଏମ୍ ସବୁବେଳେ ଧୋନୀଙ୍କ ସ୍ୱାଗତ କରିବ।

ଝାଡ଼ଖଣ୍ଡର ଏହି ତିନି ଦଳଠୁ ଏଭଳି ପ୍ରତିକ୍ରିୟା ମିଳିବା ପରେ କ୍ରିକେଟର ଧୋନୀ ପରବର୍ତ୍ତୀ ସମୟରେ ପଲିଟିକ୍ସରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ଆହୁରି ଜୋରସୋରରେ ହେଉଛି।

Comment