ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପୋଲିସ ସେବା ଏକ ରକମ ନିଷ୍କ୍ରିୟ ଅବସ୍ଥାକୁ ଆସିଯାଇଛି। କର୍ମଚାରୀ ଅଭାବରୁ ରାଜ୍ୟର ପ୍ରାୟ ସବୁ ଥାନା ନିଜ ମୂଳ କର୍ତ୍ତବ୍ୟକୁ ଭୁଲି ସାରିଲେଣି। ବିଭିନ୍ନ ଅପରାଧର ତଦନ୍ତ ଆଗେଇ ପାରୁନାହିଁ କାରଣ ଅଧିକାଂଶ ଥାନାର ଅଫିସର ଓ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଥିବାରୁ ସଂଗରୋଧରେ ରହିଛନ୍ତି। ବିଶେଷ କରି କରୋନା ଆକ୍ରାନ୍ତ ଅପରାଧୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ପଡ଼ିଥିବା ଖବର ମିଳିଛି।
ଏପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୭୦୦ ପୋଲିସ ଅଫିସର ଓ କର୍ମଚାରୀ କୋଭିଡ ଦ୍ୱାରା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିଭଳି ବିଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନାର ପ୍ରାୟ ୪୦୦ ପୋଲିସ କର୍ମଚାରୀ ଗୃହ ସଂଗରୋଧରେ ରହିବା ଆରମ୍ଭ କରିଛନ୍ତି। ବିଭିନ୍ନ ଜିଲ୍ଲାର ପ୍ରାୟ ୫୫ ଅପରାଧୀଙ୍କ RT PCR ଟେଷ୍ଟ ହେବା ପରେ ସେମାନେ ପଜିଟିଭ ବାହାରିଥିଲେ ।ଏହାର ସାମଗ୍ରିକ ଫଳ ଏହା ହୋଇଛି ଯେ ପୋଲିସ ସେବା ଏକ ପ୍ରକାର ଠପ ହୋଇପଡିଛି।
ପୂର୍ବରୁ ରାଜ୍ୟର ଅଧିକାଂଶ ପୋଲିସ ଷ୍ଟେସନ ୨୦ ପ୍ରତିଶତ କମ କର୍ମଚାରୀରେ କାମ ଚଳାଉଥିଲେ। କରୋନା ଆସିବା ପରେ ଏହା୫୦ ପ୍ରତିଶତକୁ ଖସି ଆସିଛି। ମଞ୍ଜୁରୀପ୍ରାପ୍ତ ପଦବୀକୁ ପୂରଣ କରିବା ଏବେ ସମ୍ଭବ ନୁହେଁ। ଏଣୁ ଅଧା ଲୋକରେ ଥାନା ଚାଲିବା ଦେଖାଯାଉଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯଦି ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ ବାହାରୁଛନ୍ତି ତାଙ୍କୁ ଦୁଇ ସପ୍ତାହ ଚିକିତ୍ସା ଭିତରେ ରହିବାକୁ ପଡୁଛି। ଏଥି ସହିତ ହୋମ ଆଇ ସୋଲେସନ ଆଉ ୧୪ ଦିନ। ଯେଉଁ ପୋଲିସ କର୍ମଚାରୀ ଆକ୍ରାନ୍ତ ଭାଇଙ୍କ ସଂସ୍ପର୍ଶରେ ଆସୁଛନ୍ତି ତାଙ୍କୁ ନିହାତି ଗୋଟିଏ ସପ୍ତାହ ସଂଗରୋଧରେ ରହିବାକୁ ହେଉଛି।
କର୍ମଚାରୀ ଅଭାବକୁ ଦୂର କରିବା ପାଇଁ ନିକଟରେ ଓଡିଶା ସରକାର ୯୦୫ଟି ପୋଲିସ ପଦବୀର ସମୀକରଣ କରିଛନ୍ତି। ତେବେ କର୍ମଚାରୀ ଅଭାବ ସ୍ଥିତି ସୁଧୁରିବା ପାଇଁ ବହୁତ ସମୟ ଲାଗିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଟୁଇନ ସିଟିରେ ପୋଲିସ କର୍ମଚାରୀଙ୍କ ଅଭାବ ଏଭଳି ସ୍ଥିତି ସୃଷ୍ଟି କରିଛି ଯେ କରୋନା ହସ୍ପିଟାଲରେ ଆଡ଼ମିଟ ଥାଇ ବି ପୋଲିସ ଇନ୍ସପେକ୍ଟରମାନଙ୍କୁ କାଗଜ ପତ୍ର କାମ ଓ ଚାର୍ଜସିଟ ଆଦି ଲେଖିବା ପାଇଁ କୁହାଯାଇଛି। ବିଶେଷ କରି ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ନାହିଁ ସେମାନଙ୍କୁ ଘରୁ ଅଫିସ କାମ କରିବା ପାଇଁ କୁହାଯାଇଛି।
କରୋନା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଆକ୍ରାନ୍ତ ପୋଲିସ କର୍ମଚାରୀ ଥାନା ନିକଟରେ ଥିବା ଖାଲି କୋଠା କିମ୍ବା ବ୍ୟାରାକରେ ସଂଗରୋଧରେ ରହିବାକୁ ବାଧ୍ୟ ହେଉଛନ୍ତି। ‘ଆମ କ୍ୱାର୍ଟର ଗୁଡ଼ିକ ଛୋଟ ହୋଇଥିବାରୁ ପରିବାର ସହ ଆଇ ସୋ ଲେସନରେ ନରହି ଥାନାକୁ ଲାଗି ଥିବା କୋଠାରେ ସଂଗରୋଧରେ ରହିଥିବା କଥା କହିଛନ୍ତି କ୍ୟାପିଟାଲ ଥାନାର ଜଣେ ଅଧିକାରୀ।


















