ଓଡିଶାଲାଇଭ୍ ବ୍ୟୁରୋ

କଟକ: ବକ୍ସିବଜାର ପେନ୍‌ସନ୍ ଲେନ୍ ଅଞ୍ଚଳର ବ୍ୟବସାୟୀଙ୍କୁ ଏକ ଲକ୍ଷ ଟଙ୍କା ବଟି ମାଗି ଧମକ ଦେଇ ହରଡ଼ ଘଣାରେ ପଡ଼ିଛନ୍ତି ଗ୍ୟାଙ୍ଗଷ୍ଟର ସକିଲ୍‌ର କିଛି ଘନିଷ୍ଟ ସହଯୋଗୀ। ଏହି ଘଟଣାରେ ସ୍ପେସାଲ୍ ସ୍କ୍ୱାଡ୍ ସହାୟତାରେ ସକିଲର ୪ ଜଣ ସହଯୋଗୀଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି।

ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ପେନ୍‌ସନ୍‌ ଲେନ୍ ଅଞ୍ଚଳର ପିଣ୍ଟୁ ଓରଫ ଏମ୍‌ଡି ଆସିଫ୍‌(୨୮), ଦେୱାନବଜାର ଅଞ୍ଚଳର ଚିକୁ ଓରଫ ଦିନୱାଜ ଖାନ୍‌(୨୮), ଓଡ଼ିଆବଜାର ଅଞ୍ଚଳର ମୁନା ଓରଫ ସୟଦ ରହମେନ୍ ଅଲ୍ଲି(୨୮) ଓ ମଙ୍ଗଳାବାଗ କେଶରପୁର ଅଞ୍ଚଳର ଏମ୍‌ଡି ଜାଭେଦ୍ (୩୧)। ଗିରଫ ହୋଇଥିବା ଅଭିୁକ୍ତମାନଙ୍କଠାରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ, ସ୍କୁଟି ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ଉକ୍ତ ଘଟଣାରେ ଆଉ କେତେକ ଅଭିଯୁକ୍ତ ଖସି ଲୁଚି ବୁଲୁଛନ୍ତି। ସମ୍ପୃକ୍ତ ଫେରାର ଅଭିୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର କେତେକ ଟିମ୍ ସେମାନଙ୍କ ପିଛାରେ ଲାଗିଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ, ବକ୍ସିବଜାର ଅଞ୍ଚଳର ବାବୁ ଇଲୋକ୍ଟ୍ରୋନିକ୍ସ ନାମକ ଏକ ବ୍ୟବସାୟିକ ସଂସ୍ଥାକୁ ବଟି ପାଇଁ ସକିଲ୍ ଲଗାତର ଭାବେ ଧମକଚମକ ଦେଉଛି। ବଟି ନ ମିଳିଲେ କେତେବେଳେ ଦୋକାନ ଉପରକୁ ବୋମାମାଡ଼ କରୁଛି ତ ଆଉ କେତେବେଳେ ବନ୍ଧୁକ ଦେଖାଇ ଧମକ ଦେଉଛି।ବାବା ଇଲୋକ୍ଟ୍ରୋନିକ୍ସ ହୋଲସେଲିଂ ମୋବାଇଲ ଦୋକାନରେ ସକିଲ୍‌ର ସହଯୋଗୀ ପିଣ୍ଟୁ, ଚିକୁ, ମୁନା ଓ ଜାଭେଦ୍ ୫ ଦିନ ତଳେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସକିଲ୍ ଭାଇ ପଠାଇଛନ୍ତି ବୋଲି ମାଲିକଙ୍କୁ କହିଥିଲେ। ପିଣ୍ଟୁ ଓ ଚିକୁ ମୋବାଇଲ୍ ବାହାର କରି ସକିଲ୍ ଭାଇ କଥା ହେବେ ବୋଲି କହି ମାଲିକଙ୍କୁ ଧରାଇ ଦେଇଥିଲେ। ସକିଲ୍ ଜେଲ୍‌ରୁ ଥାଇ ଫୋନ୍ ମାଧ୍ୟମରେ ବ୍ୟବସାୟୀଙ୍କୁ ଏକ ଲକ୍ଷ ଟଙ୍କା ବଟି ମାଗିଥିଲା। ଏଥିରେ ସମ୍ପୃକ୍ତ ବ୍ୟବସାୟୀ ରାଜି ନ ହେବାରୁ ପିଣ୍ଟୁ ଓ ଚିକୁ ପାଖରେ ରଖିଥିବା ଏକ ବନ୍ଧୁକ ବାହାର କରି ବ୍ୟବସାୟୀଙ୍କ ମୁଣ୍ଡରେ ଲଗାଇ ଧମକ ଦେଇଥିଲେ। ବଟି ନ ଦେଲେ ମାରିଦେବେ ବୋଲି ଅଭିୁକ୍ତମାନେ ଧମକଚମକ ଦେଇ ଆସିଥିଲେ।

ଏହି ଘଟଣାରେ ବ୍ୟବସାୟୀ ଜଣକ ଭୟଭୀତ ହୋଇଯାଇଥିଲେ। ମାତ୍ର ଅଭିୁକ୍ତମାନଙ୍କ କବଳରୁ ବର୍ତ୍ତିବା ପାଇଁ ଶେଷରେ ୧୬ ତାରିଖ ଦିନ କ୍ୟାଣ୍ଟନମେଣ୍ଟ୍ ଥାନାରେ ଏତଲା ଦେଇଥିଲେ। ଉକ୍ତ ଘଟଣାରେ କ୍ୟାଣ୍ଟନମେଣ୍ଟ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିୁକ୍ତମାନଙ୍କୁ ଗିରଫ କରିବା ପାଇଁ ଖୋଜି ବୁଲୁଥିଲା। ସ୍ପେସାଲ୍ ସ୍କାଡ୍ ସହଯୋଗରେ ପୋଲିସ ଅଭିୁକ୍ତମାନଙ୍କୁ ଗିରଫ କରି ଗତ କାଲି କୋର୍ଟଚାଲାଣ କରିବା ସହ ବନ୍ଧୁକ, ଗାଡ଼ି ଓ ମୋବାଇଲ୍ ଫୋନ୍ ଆଧଇ ଜବତ କରିଛି।BGUଏହା ପୂର୍ବରୁ ବାବା ଇଲୋକ୍ଟ୍ରାନିକ୍ସ ଦୋକାନ ଉପରକୁ ସକିଲ୍‌ର ପ୍ରରୋଚନାରେ ୨୦୧୩ ମସିହାରେ ସହଯୋଗୀମାନେ ବୋମାମାଡ଼ କରିଥିଲେ। ସେହିପରି ଗତବର୍ଷ ମଧ୍ୟ ସକିଲ୍ ଫୋନ୍ ଯୋଗେ ଦୋକାନ  ମାଲିକଙ୍କୁ ବଟି ପାଇଁ ଧମକ ଚମକ ଦେଇଥିଲା। ଏହି ଘଟଣାରେ ସକିଲ୍ ବିରୋଧରେ ପୂର୍ବରୁ କ୍ୟାଣ୍ଟନମେଣ୍ଟ୍ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା। ତେବେ ଗତ ୧୩ ତାରିଖରେ ଉକ୍ତ ଇଲୋକ୍ଟ୍ରୋନିକ୍ସ ଦୋକାନ ମାଲିକଙ୍କୁ ବଟି ପାଇଁ ଫୋନ୍‌ରେ ଧମକ ଦେବା ଘଟଣାରେ କ୍ୟାଣ୍ଟନମେଣ୍ଟ୍ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଏବେ ଜେଲ୍‌ରେ ଥିଲେ ହେଁ ତାକୁ ଉକ୍ତ ମାମଲାରେ ରିମାଣ୍ଡ୍‌ରେ ଅଣାଯିବ ବୋଲି ପୋଲିସ କହିଛି।

Comment