ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ ମୂଳବସନ୍ତ, ସାନ ମୂଳବସନ୍ତ ଓ ଅରୁଆ କଦଳୀବଣ ଅଞ୍ଚଳର ପ୍ରାୟ ୩୦୦୦ ଏକରରୁ ଅଧିକ ଧାନ ଜମି ଦିର୍ଘ ୧୫ ଦିନ ହେବ ପାଣି ଭିତରେ ରହି ସଢୁଛି। ଏହି ଅଞ୍ଚଳରେ ଥିବା ୧୦ ଟି ଗାଁରୁ ବର୍ଷା ପାଣି ସ୍ଥାନୀୟ ସୋବଳା ବାଟ ଦେଇ ଗୋବରୀ ନଦୀକୁ ଚାଲିଯାଏ। କିନ୍ତୁ ସୋବଳା ନିକଟରେ କେତେକ ଚାଷୀ ପାଣି ବାଟକୁ ସଂକିର୍ଣ୍ଣ କରିଦେଇଥିବାରୁ ଗୋବରୀ ନଦୀକୁ ଏହି ଅଧିକ ବର୍ଷା ପାଣି ଯାଇ ପାରୁନି। ଫଳରେ ଏସବୁ ଅଞ୍ଚଳରେ ବନ୍ୟା ପରି ଅବସ୍ଥା ସୃଷ୍ଟି ହୋଇଛି। ଦିର୍ଘ ଦିନ ଧରି ପାଣିତଳେ ବୁଡି ରହିଥିବା କଅଁଳ ଧାନଗଛ ସବୁ ପଚି ଗଲାଣି। ଫଳରେ ଚାଷୀମୁଣ୍ଡ ଚଡ଼କ ପଡ଼ିଛି।

ଏହାର ସମାଧାନ ପାଇଁ  ଦାବି କରି ବୁଧବାର ସେହି ଅଞ୍ଚଳର ଚାଷୀ କଟକ ଚାନ୍ଦବାଲି ରାସ୍ତାକୁ ଗୋଗୁଆ ନିକଟରେ ସକାଳ ୭ ଟା ଠାରୁ ଅପରାହ୍ନ ୩ଟା ଯାଏ ବନ୍ଦ କରିଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ୍ ଓ କେନ୍ଦ୍ରାପଡା ଜିଲ୍ଲା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ  ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବାକୁ ପୁଣି ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧ ହଟାଇଛନ୍ତି।BGU

ବେଉଷଣ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ମରୁଡି ପରି ପରିସ୍ଥିତି ସୃଷ୍ଟି କରିଥିଲା। ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ଉଚ୍ଚ ଜମିରେ ଏବର୍ଷ ଧାନ ଚାଷ କରି ପାରି ନାହାନ୍ତି। ଖାଲୁଆ ଓ କେନାଲ ଜଳ ସେଚିତ ଜମି ଏବେ ଲଗାଣ ବର୍ଷାର ଶିକାର ହେବାକୁ ଯାଉଛି। ଜିଲ୍ଲାର ସମସ୍ତ ଅଞ୍ଚଳର ଧାନ କ୍ଷେତ ସବୁ ପାଣି ଘେରରେ ରହିଛି।

ସେହିପରି କେନ୍ଦ୍ରାପଡା ସହରର ବିଭିନ୍ନ ସାହିବସ୍ତିରେ ବର୍ଷାପାଣି ପସିଯାଇଛି। ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। କେନ୍ଦ୍ରାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ଆବାସିକ ଘର ପାଣି ଘେରରେ ରହିଥିବା ବେଳେ ତିନି ମୁହାଣୀରେ ଥିବା ଉଠାଜଳସେଚନ କାର୍ଯ୍ୟାଳୟ ପାଣି ଘେରରେ ରହିଛି।

Comment