ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୭ ପ୍ରତିଶତ ଘରେ ନାହିଁ ବିଜୁଳି
  • ଏନସିଆରଟି ସର୍ଭେର ତଥ୍ୟ
  • ପିଲାଙ୍କ ଉପରେ ଅତିରିକ୍ତ ଚାପ

online class

କରୋନା ପାଇଁ ସ୍କୁଲ ବନ୍ଦ। ପିଲାମାନେ ପଢ଼ିବାକୁ ଚାହୁଁଛନ୍ତି, ହେଲେ ସୁବିଧା ନାହିଁ। କାହା ଘରେ ବିଜୁଳି ନାହିଁ ତ କାହା ଘରେ ଡିଜିଟାଲ ସୁବିଧା ନାହିଁ। ଏମିତି ସ୍ଥିତିରେ ଚାଲିଛି ଅନଲାଇନ କ୍ଲାସ। ଏନସିଆରଟି ସର୍ଭେରୁ ମିଳିଥିବା ଏହି ରିପୋର୍ଟ ଏବେ ଅନଲାଇନ କ୍ଲାସର ଚିତ୍ର ସ୍ପଷ୍ଟ କରିଛି। ଖାଲି ସେତିକି ନୁହେଁ, ଅନଲାଇନ୍ କ୍ଲାସ ଯୋଗୁ ଛାତ୍ରଛାତ୍ରୀ ଚାପରେ ରହୁଥିବାର ତଥ୍ୟ ମଧ୍ୟ ଏହି ରିପୋର୍ଟରେ ରହିଛି। କେମତି ଏକାଧିକ ଅସୁବିଧାରେ ଅନଲାଇନ କ୍ଲାସ କରିବା ପାଇଁ ପିଲାମାନେ ସଂଘର୍ଷ କରୁଛନ୍ତି, ତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏନଏସିଆରଟି, ସିବିଏସଇ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତି ସମେତ ଏକାଧିକ ସିବିଏସଇ ସ୍କୁଲରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି।

BGU

ରିପୋର୍ଟ ଅନୁସାରେ ସବୁ ପିଲାଙ୍କ ପାଖରେ ଅନଲାଇନ କ୍ଲାସ କରିବା ପାଇଁ ଡିଜିଟାଲ ଉପକରଣ ନାହିଁ। ଅତି କମରେ ୫୦ ପ୍ରତିଶତ ପିଲା ଅନଲାଇନ କ୍ଲାସରେ ଅସୁବିଧା ଭୋଗୁଛନ୍ତି। ୨୦ ପ୍ରତିଶତ ପର୍ଯ୍ୟନ୍ତ ପିଲା ଏହାକୁ ଅତିରିକ୍ତ ଚାପ ବୋଲି କହିଛନ୍ତି। ତେବେ ଅନଲାଇନ କ୍ଲାସର ମୁଖ୍ୟ ଅସୁବିଧା ହେଉଛି ମନ୍ଥର ଇଣ୍ଟରନେଟ ସେବା। ଦୁର୍ବଳ ଇଣ୍ଟରନେଟ ସେବା ଯୋଗୁ ମୋବାଇଲ ଫୋନରେ କ୍ଲାସ ସହ ଯୋଡ଼ିହେବା ଅସମ୍ଭବ ହେଉଛି। ଅଧିକାଂଶ ପିଲା ଡିଜିଟାଲ ଉପକରଣର ବ୍ୟବହାର ଠିକରେ ଜାଣିନାହାନ୍ତି। ଖାଲି ସେତିକି ନୁହେଁ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏ ଅନଲାଇନ ଟିଚିଂ ମେଥୋଡୋଲୋଜି ସହ ଆଦୌ ଅଭ୍ୟସ୍ତ ନୁହନ୍ତି। ଅନଲାଇନରେ ଉପଲବ୍ଧ ବହିକୁ ଏ ସ୍କୁଲର ଛାତ୍ରଛାତ୍ରୀ ପଢ଼ିବାରେ ଅସୁବିଧା ଭୋଗୁଛନ୍ତି। କାରଣ ଏ ବୟସର ପିଲାମାନେ ବହି ପଢ଼ିବାରେ ଅଭ୍ୟସ୍ତ। ସେମାନଙ୍କୁ ହାର୍ଡ କପି ଦରକାର। ୨୮ ପ୍ରତିଶତ ଛାତ୍ରଙ୍କ ଘରେ ବିଜୁଳୀର ବ୍ୟବସ୍ଥା ନାହିଁ। ୨୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଡିଜିଟାଲ ଉପକରଣ ଯେମିତି ମୋବାଇଲ, କମ୍ପ୍ୟୁଟର ଓ ଲାପଟପ କିମ୍ବା ଟ୍ୟାବ୍ସ ନାହିଁ।

oniline class through mobile

ସର୍ଭେ ରିପୋର୍ଟ ଅନୁସାରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ମୋବାଇଲ ଫୋନ। ଦ୍ୱିତୀୟ ବିକଳ୍ପ ଭାବେ ସେମାନେ ଲାପଟପକୁ ବ୍ୟବହାର କରୁଛନ୍ତି। ଟିଭିରେ ରେଡିଓରେ ଚାଲିଥିବା କ୍ଲାସକୁ କେହି ବ୍ୟବହାର କରୁନାହାନ୍ତି। ୩୬ ପ୍ରତିଶତ ପିଲା ହାର୍ଡ କପି ଯୋଗାଡ଼ କରି ପାଠ ପଢୁଛନ୍ତି।

ଅନଲାଇନରେ ଗଣିତ ପଢ଼ିବା ସବୁଠାରୁ କଷ୍ଟକର ବୋଲି ଅଧିକାଂଶ ଛାତ୍ରଛାତ୍ରୀଙ୍କ ମତ ବୋଲି ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ଗଣିତ ପାଇଁ ସିଧାସଳଖ ଯୋଗାଯୋଗ ଦରକାର, ବ୍ୟକ୍ତିଗତ ଯୋଗାଯୋଗର ଆବଶ୍ୟକତା ରହିଛି। କିନ୍ତୁ ଅନଲାଇନ କ୍ଲାସରେ ସେସବୁ ସୁବିଧା ନାହିଁ। ଏକାଧିକ ପିଲା ଯୋଡ଼ି ହେଉଥିବାରୁ କିଛି ସନ୍ଦେହ ରହୁଥିଲେ ମଧ୍ୟ ପଚାରି ବୁଝିବା ସମ୍ଭବ ହେଉନାହିଁ। ଏହା ସହ ବିଜ୍ଞାନର ଅନେକ ବିଷୟ ବୁଝିବା ପାଇଁ ଲାବେରୋଟରିର ସୁବିଧା ଦରକାର। କିନ୍ତୁ ଅନଲାଇନ କ୍ଲାସରେ ସେ ସୁବିଧା ମିଳୁ ନ ଥିବାରୁ ପିଲାମାନେ ବଡ଼ ହଇରାଣ ହେଉଛନ୍ତି।

Comment