ଦୋଳଗୋବିନ୍ଦ ପଣ୍ଡା
ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବାମହେ। ନିଧିନାଂ ତ୍ୱାଂ ନିଧିପତିଗୁଁ ହବାମହେ। ବସୋ ମମ।’’ ତା’ହେଲେ ଗଣମାନଙ୍କର ପତି ହେଉଛନ୍ତି ଗଣପତି। ସେ ମଧ୍ୟ ପ୍ରିୟମାନଙ୍କର ପତି ଓ ନିଧିମାନଙ୍କର ପତି।
ଗଣ କିଏ?
ଗଣ ଅର୍ଥ ଦେବଗଣ, ଜନଗଣ ବା ଜୀବଗଣ। ପତି ଶବ୍ଦ ଭିତରେ ଅଛି ପା ଧାତୁ- ଅର୍ଥ ପାଳନ, ପୋଷଣ, ରକ୍ଷା। ଯିଏ ଗଣର ପାଳନ, ପୋଷଣ ଓ ରକ୍ଷା କରନ୍ତି ସେ ହିଁ ଗଣପତି ବା ଗଣେଶ। କିନ୍ତୁ ଆମେ ଗଣେଶ ଠାକୁର ଭାବରେ ଯେଉଁ ମୂର୍ତ୍ତି ପୂଜା କରୁ ତାଙ୍କର ଅଦ୍ଭୁତ ରୂପ। ବେକଠାରୁ ତଳକୁ ମଣିଷ ପରି ରୂପ ଓ ଉପରକୁ ହାତୀର ମୁଣ୍ଡ। ହାତୀମୁଣ୍ଡରେ ପୁଣି ଦୁଇଟି ବଦଳରେ ଗୋଟିଏ ଦାନ୍ତ ଅଛି।
ଏପରି ଅଦ୍ଭୁତ ରୂପ କାହିଁକି?
ଗଣେଶଙ୍କ ଭିନ୍ନ ରୂପ ପଛରେ ଏକାଧିକ କିମ୍ବଦନ୍ତୀ ରହିଛି। ପୁରାଣଶାସ୍ତ୍ରରେ ଭିନ୍ନ ଭିନ୍ନ ପ୍ରକାର ମତ ରହିଛି। ଗୋଟିଏ ମତ ଅନୁସାରେ ଶନିଙ୍କ କୋପଦୃଷ୍ଟିରେ ତାଙ୍କର ମୁଣ୍ଡ କଟିଯାଇଥିଲା। ତା’ପରେ ହାତୀମୁଣ୍ଡ ଲଗାଇ ଜୀବନ୍ୟାସ ଦିଆହୋଇଛି। ଅନ୍ୟ ଏକ ମତ ଅନୁସାରେ ନିଜେ ବାପା ଶିବ କୁଆଡ଼େ ପୁଅକୁ ଚିହ୍ନି ନ ଥିଲେ। ମାତା ପାର୍ବତୀ ଗଣେଶଙ୍କୁ ଗୁହାଦ୍ୱାରରେ ଦ୍ୱାରପାଳ ଭାବରେ ରଖି ଭିତରେ ତପସ୍ୟା କରୁଥିଲେ। କାହାକୁ ଭିତରକୁ ଛାଡ଼ିବାକୁ ନିଷେଧ କରିଥିଲେ। ଶିବ ଆସିଲେ ପାର୍ବତୀଙ୍କୁ ଭେଟିବାକୁ। ଗଣେଶ ତାଙ୍କୁ ଭିତରକୁ ନ ଛାଡ଼ିବାରୁ ଯୁଦ୍ଧ ହେଲା। ପ୍ରଥମେ ଶିବ ହାରିଗଲେ। ତା’ପରେ ଅଧିକ ଶକ୍ତି ସଞ୍ଚୟ କରି ଓ ଅନ୍ୟ ଦେବତାମାନଙ୍କର ସାହାଯ୍ୟ ନେଇ ଗଣେଶଙ୍କୁ ପରାସ୍ତ କଲେ ଓ ତାଙ୍କ ମୁଣ୍ଡ କାଟିଦେଲେ। ପାର୍ବତୀ ଏହା ଜାଣିବା ପରେ ବିଳାପ କରିଉଠିଲେ। ଗଣେଶ ତାଙ୍କର ମାନସପୁତ୍ର ବୋଲି ସ୍ଵାମୀଙ୍କୁ ପରିଚୟ ଦେଇ ତାକୁ ବଞ୍ଚାଇଦେବା ପାଇଁ ଅନୁରୋଧ କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କର ମୁଣ୍ଡ ଆଉ ସେଠାରେ ନ ଥିଲା। ତାହା କେଉଁ ଶ୍ୱାପଦଙ୍କର ଆହାର ହୋଇସାରିଥିଲା। ଶିବଙ୍କ ନିର୍ଦ୍ଦେଶରେ ଅନୁଚରମାନେ ବିଭିନ୍ନ ଆଡ଼େ ବୁଲି କେଉଁଠୁ କିଛି ନ ପାଇ ପଶ୍ଚିମଦିଗକୁ ମୁଣ୍ଡ କରି ଶୋଇଥିବା ଏକ ହାତୀର ମୁଣ୍ଡ କାଟିଆଣି ଦେଲେ। ସେହି ମୁଣ୍ଡକୁ ଲଗାଇ ଶିବ ମନ୍ତ୍ରଦ୍ୱାରା ଗଣେଶଙ୍କୁ ଜୀବନ୍ୟାସ ଦେଇଦେଲେ।ପ୍ରକୃତରେ ଏହା ସମ୍ଭବ କି?
ଗୋଟିଏ ବାଳକର ବେକର ମୋଟେଇ କେତେ ଓ ଗୋଟିଏ ଦନ୍ତାହାତୀ (ଗଣେଶଙ୍କ ହାତୀ ମୁଣ୍ଡରେ ଦାନ୍ତର କଳ୍ପନା କରାଯାଇଥିବାରୁ ଏ ଗୋଟିଏ ଛୁଆହାତୀ ନୁହେଁ, ବୟସ୍କ ଦନ୍ତାହାତୀ ହୋଇଥିବ ନିଶ୍ଚୟ)ର ବେକର ମୋଟେଇ କେତେ? ପୁନଶ୍ଚ ମଣିଷର ବେକ ବର୍ତ୍ତୁଳାକାର ହୋଇଥିବା ବେଳେ ହାତୀ ବେକ ସେପରି ନୁହେଁ। ତେଣୁ ଆକାର, ପ୍ରକାର, ମୋଟେଇ ଆଦିର ଏତେ ଭିନ୍ନତା ସତ୍ତ୍ବେ ଏକ ହାତୀ ମୁଣ୍ଡକୁ ମଣିଷ ବେକରେ ଅସ୍ତ୍ରୋପଚାର ବା ଅଙ୍ଗ ପ୍ରତିରୋପଣ ବା ମନ୍ତ୍ରଶକ୍ତି ଦ୍ୱାରା ଯୋଡ଼ି ତାହାକୁ ଜୀବନ୍ୟାସ ଦେବା କିପରି ସମ୍ଭବ? କେହି କହିପାରନ୍ତି ଯେ ଶିବ ହେଉଛନ୍ତି ଭଗବାନ। ତେଣୁ ଏହା ତାଙ୍କଦ୍ୱାରା ସମ୍ଭବ। ତା’ହେଲେ ସେ ଦକ୍ଷଙ୍କ ଯଜ୍ଞକୁଣ୍ଡରେ ଝାସ ଦେଇ ମୃତ୍ୟୁବରଣ କରିଥିବା ତାଙ୍କର ପ୍ରଥମା ପତ୍ନୀ ସତୀଙ୍କୁ କାହିଁକି ବଞ୍ଚାଇପାରିଲେ ନାହିଁ?
ଗଜାନନ
ଆମ ପୁରାଣଶାସ୍ତ୍ର ମିଛ ନୁହେଁ। କିନ୍ତୁ ସେଥିରେ ଅତିରଞ୍ଜନ ଓ ପ୍ରକ୍ଷେପ ଅଛି ଏବଂ ଅନେକ କଥା ଆମେ ଠିକ ରୂପେ ବୁଝି ନ ପାରି ଭିନ୍ନ ଅର୍ଥ କରୁଛୁ। ପ୍ରକୃତରେ ଗଣେଶଙ୍କର ଗଜାନନ, ଗଜବକ୍ତ୍ର, ଗଜେନ୍ଦ୍ରବଦନ ଆଦି ନାମ ପ୍ରଥମେ ସୃଷ୍ଟି ହୋଇଛି। ତା’ପରେ ତାଙ୍କର ନାମ ଓ ଶାସ୍ତ୍ରୋକ୍ତ ରୂପବର୍ଣ୍ଣନାରୁ ତାଙ୍କର ଏପରି ଅଦ୍ଭୁତ ଛବି ଓ ମୂର୍ତ୍ତିନିର୍ମାଣ କରାଯାଇଛି। ଗଜ ଶବ୍ଦର ବିଭିନ୍ନ ଅର୍ଥ ମଧ୍ୟରୁ ବହୁପ୍ରଚଳିତ ଅର୍ଥଟି ହେଉଛି ହାତୀ। ଏହାର ଆଉ ଏକ ଅଥଚ ଅଧୁନା ଅପ୍ରଚଳିତ ଅର୍ଥ ହେଉଛି ଶ୍ରେଷ୍ଠ। (ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଏହି ଅର୍ଥକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ କଥାରୁ ଖିଅ ଧରି ଆମେ ଏ ଆଲୋଚନା କରୁଛୁ।) ସାଧାରଣ ଅଭିଧାନରେ ଏ ଅର୍ଥ ମିଳିବ ନାହିଁ। ଏଥିପାଇଁ ବଡ଼ ସଂସ୍କୃତ ଅଭିଧାନ ଦେଖିବାକୁ ପଡ଼ିବ। ଅମରକୋଷ ଅଭିଧାନରେ ଅଛି-
ସ୍ୟୁରୁତ୍ତରପଦେ ବ୍ୟାଘ୍ରପୁଂଗବର୍ଷଭକୁଞ୍ଜରାଃ।
ସିଂହଶାର୍ଦ୍ଦୁଳନାଗାଦ୍ୟାଃ ପୁଂସି ଶ୍ରେଷ୍ଠାର୍ଥବାଚକାଃ।।
ଅର୍ଥାତ୍ ବ୍ୟାଘ୍ର, ପୁଂଗବ, ଋଷଭ, କୁଞ୍ଜର, ସିଂହ, ଶାର୍ଦ୍ଦୁଳ ଓ ନାଗ- ଏ ସାତନାମ ଉତ୍ତରପଦରେ ଥିଲେ ଶ୍ରେଷ୍ଠ ବା ପ୍ରଧାନ ଅର୍ଥକୁ ବୁଝାଏ। ଏଠାରେ କୁଞ୍ଜର ଓ ନାଗ- ଏ ଦୁଇଟିର ଅର୍ଥ ହେଉଛି ହାତୀ (ଦନ୍ତୀ ଦନ୍ତାବଳୋ ହସ୍ତୀ ଦ୍ୱିରଦୋନେକପୋ ଦ୍ୱିପଃ। ମତଙ୍ଗଜୋ ଗଜୋ ନାଗଃ କୁଞ୍ଜରୋ ବାରଣଃ କରୀ- ଅମରକୋଷ)। ତେବେ ନାଗ ଶବ୍ଦ ଉତ୍ତରପଦରେ ଥିଲେ ଶ୍ରେଷ୍ଠ ଅର୍ଥ ବୁଝାଉଥିବା କଥା ଆମେ ଜାଣୁ, ଯେମିତି ପୁଂନାଗ- ଅର୍ଥ ପୁରୁଷଶ୍ରେଷ୍ଠ। କିନ୍ତୁ ଗଜଶବ୍ଦର ଏପରି ବ୍ୟବହାର ନାହିଁ, ପୁନଶ୍ଚ ପୂର୍ବପଦରେ ଏପରି ବ୍ୟବହାର ନାହିଁ। ତଥାପି ଏହାଛଡ଼ା ଅନ୍ୟ ପ୍ରକାର ବ୍ୟାଖ୍ୟା ସମ୍ଭବ ନୁହେଁ। ଗଜାନନର ଅର୍ଥ ହାତୀମୁଣ୍ଡିଆ ନ ହୋଇପାରେ। ଗଜ ଶବ୍ଦ କେବଳ ଶ୍ରେଷ୍ଠ ଅର୍ଥରେ ହିଁ ଏଠାରେ ବ୍ୟବହୃତ ହୋଇଛି। ତେବେ ପୂର୍ବପଦରେ ଗଜ ଶବ୍ଦ ରଖି ଆମେ ଗଜମୂର୍ଖ ଶବ୍ଦ ବ୍ୟବହାର କରୁ, ଯାହାର ଅର୍ଥ ଅତି ମୂର୍ଖ ବା ଶ୍ରେଷ୍ଠ ମୂର୍ଖ। କାରଣ ‘ଗଜ ଅଟେ ମୂର୍ଖ’ ବା ‘ଗଜ ପରି ମୂର୍ଖ’ ଏପରି ଅର୍ଥ ହେବ ନାହିଁ, କାରଣ ଗଜ ମୂର୍ଖ ନୁହେଁ, ଏହା ଏକ ଚତୁର ଓ ବୁଦ୍ଧିମାନ୍ ପ୍ରାଣୀ। ତେଣୁ ଶ୍ରେଷ୍ଠ ଆନନ ବା ମସ୍ତକ ବା ମସ୍ତିଷ୍କ ଯାହାର ସେ ହିଁ ଗଜାନନ। ଶ୍ରେଷ୍ଠ ମସ୍ତିଷ୍କ ନ ହେଲେ ଗଣଙ୍କର ପାଳନ, ପୋଷଣ ଓ ରକ୍ଷା ଜଣେ କେମିତି କରିପାରିବ?
ଏକଦନ୍ତ
ଗଣେଶଙ୍କର ଆଉ ଏକ ନାଁ ହେଉଛି ଏକଦନ୍ତ। (ବିନାୟକୋ ବିଘ୍ନରାଜ ଦ୍ୱୈମାତୁରଗଣାଧିପାଃ। ଅପ୍ୟେକଦନ୍ତ ହେରମ୍ବ ଲମ୍ବୋଦର ଗଜାନନାଃ।।- ଅମରକୋଷ) ଦନ୍ତ ଶବ୍ଦର ଗୋଟିଏ ଅର୍ଥ ଆମେ ଜାଣିଛୁ ଦାନ୍ତ। ତେଣୁ ଗୋଟିଏ ଦାନ୍ତ ଯାହାର ସେ ଏକଦନ୍ତ। କିମ୍ବଦନ୍ତୀ ଅଛି ପର୍ଶୁରାମଙ୍କ ସହ ଗଣେଶଙ୍କର ଥରେ ଯୁଦ୍ଧ ହୋଇଥିଲା। ତାଙ୍କ ପରଶୁ ଚୋଟରେ ଗଣେଶଙ୍କର ଗୋଟିଏ ଦାନ୍ତ କଟିଯାଇଥିଲା। ହାତୀମୁଣ୍ଡ ନ ହେଲେ ଏ ଅର୍ଥ କିପରି ପ୍ରଯୁଜ୍ୟ ହେବ? କିନ୍ତୁ ଦନ୍ତ ଶବ୍ଦର ଆଉ ଗୋଟିଏ ଅର୍ଥ ଅଛି ଦମନକାରୀ କାରଣ ଦମନାର୍ଥକ ଦମ୍ ଧାତୁରୁ ଦନ୍ତ ଶବ୍ଦ ସୃଷ୍ଟି ହୋଇଛି। ସେଥିପାଇଁ ଯାହାକୁ ଦମନ କରିବା କଷ୍ଟସାଧ୍ୟ ତାକୁ ଦୁର୍ଦ୍ଦାନ୍ତ କୁହାଯାଏ। ସେହି ଅର୍ଥରେ ଏକଦନ୍ତ ଶବ୍ଦର ଅର୍ଥ ହେଲା ଏକମାତ୍ର ଦମନକାରୀ। ଶତ୍ରୁମାନଙ୍କୁ ଦମନ କରିବାର କ୍ଷମତା ଯାହାର ନାହିଁ ସେ କିପରି ଗଣର ରକ୍ଷା କରିପାରିବ?
ବିନାୟକ
ଗଣେଶଙ୍କର ଆଉ ଏକ ନାମ ହେଉଛି ବିନାୟକ। ବିଶେଷଭାବେ ନିୟନ୍ତ୍ରଣ ବା ବିନାୟନା କରିବାର କ୍ଷମତା ଯାହାର ଅଛି ସେ ବିନାୟକ। ପୁନଶ୍ଚ ବି-ପୂର୍ବକ ନୀ-ଧାତୁରୁ ବିନାୟକ ଶବ୍ଦ ସୃଷ୍ଟି ହୋଇଛି। ନୀ ଅର୍ଥ ନେଇଯିବା। ଯେ ଅନୁଗତ, ଅନୁଗାମୀ ବା ଆଶ୍ରିତମାନଙ୍କୁ ବିଶେଷଭାବେ ସତ୍ ବା ଆଦର୍ଶ ବା ଇଷ୍ଟ ବା ଧର୍ମ ପଥରେ ନେଇଯାନ୍ତି ସେ ହିଁ ବିନାୟକ।ମୂଷା ବାହନ
ମୂଷା ହେଉଛି ଗଣେଶଙ୍କ ବାହନ। ପୁରାଣରେ ଅଛି ଇନ୍ଦୁର ନାମକ ଅସୁରକୁ ଦମନ କରି ଗଣେଶ ତାଙ୍କୁ ନିଜର ବାହନ କରିଥିଲେ। ଇନ୍ଦୁର ଅର୍ଥ ମୂଷା। ପ୍ରକୃତ ଅର୍ଥ ସେଇଆ ନୁହେଁ। ଜଣେ ଘୋଡ଼ା, ଗଧ, ଖଚର, ଓଟ ବା ହାତୀ ପିଠିରେ ବସି ଯାତାୟାତ କରିପାରେ। କିନ୍ତୁ କେହି କେବେ ମୂଷା ପିଠିରେ ବସି ଗମନାଗମନ କରିପାରିବ ନାହିଁ। ତେଣୁ ଏ ପ୍ରତୀକାତ୍ମକ ବର୍ଣ୍ଣନାର ଭିନ୍ନ ଅର୍ଥ ରହିଛି। ମୂଷାର କାମ ହେଉଛି ଜିନିଷପତ୍ର କଟାକଟି କରିବା, ଅନ୍ୟର କ୍ଷତି କରିବା। ଖଳ ପ୍ରକୃତିର ଲୋକଙ୍କ ପ୍ରତୀକ ରୂପେ ମୂଷାଙ୍କୁ ଗଣେଶଙ୍କ ବାହନରୂପେ କଳ୍ପନା କରାଯାଇଛି। ଗଣେଶ ସମାଜର ଖଳ ପ୍ରକୃତିର ଲୋକଙ୍କୁ ନିଜ ପାଖରେ ରଖି ତାଙ୍କ ଖଳ ପ୍ରକୃତିର ନିୟନ୍ତ୍ରଣ କରନ୍ତି, ଯେପରି ସେମାନେ ସମାଜରେ ଅନ୍ୟ କାହାର କ୍ଷତି କରିପାରିବେ ନାହିଁ। ଏହି ଦୁଷ୍ଟ ବା ଖଳ ପ୍ରକୃତିର ଲୋକମାନେ ଗଣେଶଙ୍କ ପରି ଆଚାର୍ଯ୍ୟ, ଗୁରୁ ବା ଶେଷ୍ଠ ପୁରୁଷଙ୍କୁ ଭଲପାଇ ତାଙ୍କ ଆଦେଶ, ନିର୍ଦ୍ଦେଶ ପାଳନ କରିଚାଲିଲେ ଭଲ ମଣିଷରେ ରୂପାୟିତ ହୋଇଯାନ୍ତି। ଶ୍ରେୟ-ଅନୁରତି ଦ୍ଵାରା କ’ଣ ହୋଇ ନ ପାରେ? ଭଗବାନ୍ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି:
ଅପି ଚେତ୍ ସୁଦୁରାଚାରୋ ଭଜତେ ମାମନ୍ୟଭାକ୍।
ସାଧୁରେବ ସ ମନ୍ତବ୍ୟଃ ସମ୍ୟଗ୍ ବ୍ୟବସିତୋ ହି ସଃ।। (ଗୀତା ୯/୩୦)
ଅର୍ଥାତ୍ ଅତି ଦୁରାଚାରୀ ବ୍ୟକ୍ତି ବି ଯଦି ଅନନ୍ୟଚିତ୍ତ ହୋଇ ମୋର ଭଜନା କରେ ତା’ହେଲେ ସେ ଧୀରେ ଧୀରେ ସାଧୁ ହୋଇଉଠେ। ଏହାହିଁ ଗଣେଶଙ୍କ ମୂଷିକବାହନ ହେବାର ତାତ୍ପର୍ଯ୍ୟ।ମାତୃ-ପିତୃଭକ୍ତ ଗଣେଶ
ଗଣେଶ ଥିଲେ ଅତ୍ୟନ୍ତ ମାତୃଭକ୍ତ ଓ ପିତୃଭକ୍ତ। ଏ ବିଷୟରେ ଏକ କିମ୍ବଦନ୍ତୀ ଅଛି। ଥରେ ମା ପାର୍ବତୀଙ୍କର ଏକ ମୁକ୍ତାହାର ନେବାକୁ ଗଣେଶ ଓ ତାଙ୍କ ବଡ଼ଭାଇ କାର୍ତ୍ତିକ ଜିଦ୍ କଲେ। ଗୋଟିଏ ହାରକୁ ମା କାହାକୁ ଦେବେ। ତେଣୁ ସେ ଏକ ପ୍ରସ୍ତାବ ଦେଲେ- ଯିଏ ପୃଥିବୀ ପରିକ୍ରମଣ କରି ପ୍ରଥମେ ଆସି ତାଙ୍କ ପାଖରେ ପହଞ୍ଚିବ ହାରଟି ତା’ର ହେବ। ଏହା ଶୁଣି କାର୍ତ୍ତିକ ତାଙ୍କ ମୟୂରବାହନରେ ପରିକ୍ରମଣରେ ବାହାରିଗଲେ। ଗଣେଶ କିନ୍ତୁ ମାଆବାପାଙ୍କ ଚାରିପଟେ ତିନିଘେରା ବୁଲିଆସି ହାତଯୋଡ଼ି ବସିପଡ଼ିଲେ। ମା ପଚାରିଲେ ତୁ କ’ଣ ପରିଭ୍ରମଣରେ ଯିବୁନି କି? ଗଣେଶ କହିଲେ ମାତାପିତା ମୋ ପାଇଁ ବିଶ୍ୱବ୍ରହ୍ମାଣ୍ଡଠାରୁ ବଡ଼। କୁହାଯାଏ ମା ପୃଥିବୀଠାରୁ ବଡ଼ ଓ ପିତା ସ୍ଵର୍ଗଠାରୁ ବଡ଼। ତେଣୁ ମୋର ପୃଥିବୀ ଭ୍ରମଣରେ ଯିବା କି ଦରକାର? ମୁଁ ତ ଆପଣଙ୍କ ଚାରିପଟେ ତିନିଘେରା ବୁଲିସାରିଲିଣି। ହାରଟି ଶେଷକୁ ଗଣେଶଙ୍କର ହିଁ ହେଲା। ଗଣେଶ କେବଳ ମାତୃପିତୃ ଭକ୍ତ ନ ଥିଲେ। ବୁଦ୍ଧିରେ ବି ଥିଲେ ସବୁଠୁ ଶୀର୍ଷରେ। ଦେବତାଙ୍କ ସେନାପତି କାର୍ତ୍ତିକ ଏ ଯୁକ୍ତି ଶୁଣି ହାର ମାନିଲେ।
ଅଗ୍ରପୂଜ୍ୟ ଗଣେଶ
ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଯେକୌଣସି ପୂଜାପର୍ବରେ ଆମେ କଳସ ବସାଇ ପ୍ରଥମେ ଗଣେଶଙ୍କ ପୂଜାର୍ଚ୍ଚନା କରୁ ଓ ପୂଜା ବା କାର୍ଯ୍ୟ ସଫଳ ହେବାର ଆଶୀର୍ବାଦ ନେଉ। କୌଣସି ଗ୍ରନ୍ଥ ରଚନା କଲାବେଳେ କବି ପ୍ରଥମେ ଗଣେଶ ବା ଗଣେଶ ଓ ସରସ୍ଵତୀଙ୍କର ବନ୍ଦନା କରିଥାନ୍ତି। ସେମିତି ଶାସ୍ତ୍ରରେ ବି ଅଛି ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଗୁରୁଙ୍କ ପୂଜା କରିବା ଉଚିତ। ବାସ୍ତବରେ ଗଣେଶ ହିଁ ହେଉଛନ୍ତି ସେ ଯୁଗର ଗୁରୁ। ସେ କୌଣସି ସ୍ଵର୍ଗର ଦେବତା ନୁହନ୍ତି। ଯେମିତି ରାମ ଓ କୃଷ୍ଣ ଏଇ ମାଟିର ମଣିଷରୂପେ ଜନ୍ମଗ୍ରହଣ କରିଥିଲେ ଏବଂ ଆମେ ଆଜିଯାଏ ତାଙ୍କର ପୂଜା କରିଆସୁଛୁ, ଗଣେଶ ସେମିତି ଏଇ ମାଟିର ମଣିଷ ଥିଲେ। ଦେବଚରିତ୍ର ସକାଶେ ତାଙ୍କୁ ଦେବତାରେ ଗଣାଯାଉଛି। ସବୁ ମହାପୁରୁଷଙ୍କ ପରି ସେ ଏଇ ପୃଥିବୀରେ ଲୀଳା କରିଥିଲେ।ମହାଭାରତ ଲେଖକ
ମହାଭାରତ ରଚନା କଲାବେଳେ ଗଣେଶ ବ୍ୟାସଦେବଙ୍କର ସହାୟକ ଭାବରେ କାର୍ଯ୍ୟ କରିଥିଲେ। ବ୍ୟାସଦେବ ଡାକୁଥିଲେ, ଗଣେଶ ଲେଖୁଥିଲେ। କିନ୍ତୁ ବ୍ୟାସଙ୍କ ପ୍ରସ୍ତାବରେ ରାଜି ହେବା ପୂର୍ବରୁ ଗଣେଶ ଗୋଟିଏ ସର୍ତ୍ତ ରଖିଥିଲେ- ମୋ ଲେଖନୀ ଯେପରି ବନ୍ଦ ନ ହୁଏ। ଥରେ ବନ୍ଦ ହେଲେ ଆଉ ଲେଖିବିନି। ବ୍ୟାସ ବି ଗୋଟିଏ ସର୍ତ୍ତ ରଖିଲେ- ସେ କହିଲେ, ଆପଣ କିନ୍ତୁ ଯାହା ଲେଖିବେ, ବୁଝିକରି ଲେଖିବେ। ବ୍ୟାସଦେବ ମଝିରେ ମଝିରେ ଗୋଟିଏ ଗୋଟିଏ କଷ୍ଟିଆ ଶ୍ଳୋକ ଡାକୁଥିଲେ। ତାକୁ ବୁଝିବା ପାଇଁ ଗଣେଶଙ୍କ ପରି ମହାପଣ୍ଡିତଙ୍କୁ ବି ସମୟ ଲାଗିଯାଉଥିଲା। ତା’ ଭିତରେ ବ୍ୟାସଦେବ ପରେ କ’ଣ ଡାକିବେ ଭାବିନେଉଥିଲେ। ସେହି କ୍ଳିଷ୍ଟ ଶ୍ଳୋକଗୁଡ଼ିକୁ ବ୍ୟାସକୂଟ କୁହାଯାଏ।
ଆଜି ହେଉଛି ଗଣେଶ ପୂଜା। ପୂଜା ମାନେ ନୁହେଁ ଫୁଲ, ଚନ୍ଦନ ଓ ଧୂପଦୀପ ଦେଇ କିଛି ମନ୍ତ୍ରପାଠ କରିବା। ପୂଜା ଶବ୍ଦଟି ଆସିଛି ପୂଜ୍ ଧାତୁରୁ ଯାହାର ଅର୍ଥ ସମ୍ବର୍ଦ୍ଧନା। ତେଣୁ ଆମେ ଯାହାଙ୍କୁ ପୂଜା କରୁଛୁ ତାଙ୍କର ସୁଗୁଣାବଳୀକୁ ନିଜ ଚରିତ୍ରରେ ଫୁଟାଇତୋଳିବା ବା ନିଜ ଭିତରେ ସମ୍ବର୍ଦ୍ଧିତ କରିବା ଦରକାର। ଆମେ ମୂଷା ପରି ଖଳଚରିତ୍ରବିଶିଷ୍ଟ ହୋଇପାରୁ। ଗଣେଶଙ୍କ ପରି ଗୁଣୀ, ଜ୍ଞାନୀ ଆଚାର୍ଯ୍ୟଙ୍କୁ ଯଦି ଗୁରୁପଦରେ ବରଣ କରି ତାଙ୍କର ଅନୁଶାସନରେ ଚାଲୁ ତେବେ ଆମେ ମଣିଷ ପରି ମଣିଷ ହୋଇପାରିବା। ଆଜି ଗଣେଶପୂଜାରେ ଆମେ ଯଦି ଗଣେଶଙ୍କର ମାତୃପିତୃ ଭକ୍ତି ଶିକ୍ଷା କରିପାରୁ, ତାଙ୍କ ପରି ବିଦ୍ୟାର୍ଜନ ଲାଗି ଅଧ୍ୟବସାୟ କରିପାରୁ, ତାଙ୍କର ସମସ୍ତ ସୁଗୁଣର ଅଧିକାରୀ ହେବା ଲାଗି ପ୍ରଯତ୍ନ କରୁ ତେବେ ଯାଇ ପୂଜା ସାର୍ଥକ ହେବ। ନ ହେଲେ ବାହ୍ୟାଡ଼ମ୍ବରପୂର୍ଣ୍ଣ ପୂଜାର କିଛି ମୂଲ୍ୟ ନାହିଁ।