ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ତେବେ ପ୍ରଭୁ ଗଣେଶଙ୍କୁ କାହିଁକି ଅଗ୍ରପୂଜ୍ୟ ଏବଂ ବିଘ୍ନ ବିନାଶକ କୁହାଯାଏ?

ଶିବ ପୁରାଣ ଅନୁସାରେ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ଏହି ସମୟରେ ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇବା ସହ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ହେଲେ ମହାଦେବ ଏହି ସମୟରେ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।ଗଣେଶ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରିଲେ ମଧ୍ୟ ଗଣେଶ ଶୁଣିନଥିଲେ। ଏହାପରେ କ୍ରୋଧରେ ମହାଦେବ ଗଣେଶଙ୍କ ଶିର ଚ୍ଛେଦନ କରିଥିଲେ। ମାତା ପାର୍ବତୀ ଏହା ଜାଣିବା ପରେ ଭୀଷଣ କ୍ରୋଧିତ ହୋଇଥିଲେ। ଦେବୀ ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଗଣେଶଙ୍କୁ ପୁଣି ଜୀବୀତ କରିବାକୁ ମହାଦେବ ପ୍ରତିଶ୍ରୁତି ଦେଇଥିଲେ।

ଗଣେଶଙ୍କ କଟାମୁଣ୍ଡ ଖୋଜି ନ ପାଇବାରୁ ଶେଷରେ ମହାଦେବ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଗଣପତିଙ୍କ ଶରୀରରେ ଯୋଡ଼ି ଜୀବନ ଦାନ କଲେ। ଏହାପରେ ମାତା ପାର୍ବତୀ ତୁରନ୍ତ ଗଣେଶଙ୍କୁ ଆଲିଙ୍ଗନ କରି ଅଗ୍ରପୂଜ୍ୟର ବରଦାନ ଦେଇଥିଲେ। ତେଣୁ ସବୁ ପୂଜା କର୍ମରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଆବାହନ କରାଯାଇଥାଏ। ଏହାପରେ ବ୍ରହ୍ମା, ବିଷ୍ଣୁ, ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ।  ମହାଦେବ ଗଣେଶଙ୍କୁ ବିଘ୍ନନାଶକ ବୋଲି କହିଥିଲେ। ସେଥିପାଇଁ ବିଘ୍ନ କଥା ଆସିଲେ ସର୍ବ ପଥମେ ପ୍ରଭୁ ଗଣେଶଙ୍କୁ ଆରାଧନା କରାଯାଇଥାଏ।ଗଣେଶଙ୍କ ଶ୍ଲୋକ:-

ବକ୍ର ତୁଣ୍ଡ ମହା କାୟ, ସୂର୍ୟ କୋଟି ସମ ପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ, ସର୍ବ କାର୍ଯ୍ୟେସୁ ସର୍ବଦା

LEAVE A REPLY

Please enter your comment!
Please enter your name here