ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କୁ କାହିଁକି ବିଘ୍ନ ବିନାଶକ କୁହାଯାଏ, ଆସନ୍ତୁ ଜାଣିବା।

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିଦ୍ୟାର ଦେବତା ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ।

ଶିବ ପୁରାଣ ଅନୁସାରେ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ହଳଦି ମଳୁଖରୁ ଏକ ମୂର୍ତ୍ତି ନିର୍ମାଣ କରିଥିଲେ ଏବଂ ତାକୁ ଜୀବନ ଦାନ ଦେଲେ। ଏହି ସମୟରେ ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇବା ସହ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଚାଲିଗଲେ। ହେଲେ ମହାଦେବ ଏହି ସମୟରେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗଣେଶ ପିତାଙ୍କୁ ଚିହ୍ନି ନପାରି ବାଟ ଛାଡ଼ି ନଥିଲେ।

ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରିଲେ ମଧ୍ୟ ଗଣେଶ ଶୁଣିନଥିଲେ। ଏହାପରେ କ୍ରୋଧରେ ମହାଦେବ ଗଣେଶଙ୍କ ଶିର ଚ୍ଛେଦନ କରିଥିଲେ। ମାତା ପାର୍ବତୀ ଏହା ଜାଣିବା ପରେ ଭୀଷଣ କ୍ରୋଧିତ ହୋଇଥିଲେ। ଦେବୀ ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଗଣେଶଙ୍କୁ ପୁଣି ଜୀବିତ କରିବାକୁ ମହାଦେବ ପ୍ରତିଶ୍ରୁତି ଦେଇଥିଲେ।

ଗଣେଶଙ୍କ କଟାମୁଣ୍ଡ ଖୋଜି ନପାଇବାରୁ ଶେଷରେ ମହାଦେବ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣିବାକୁ ମହାଦେବ ନିଜ ସେନାଙ୍କୁ ଆଦେଶ ଦେଇଥିଲେ। ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ ଅଣାଯିବା ପରେ ଗଣପତିଙ୍କ ଶରୀରରେ ଯୋଡ଼ି ମହାଦେବ ଜୀବନ ଦାନ ଦେଇଥିଲେ।

ଏହାପରେ ମାତା ପାର୍ବତୀ ତୁରନ୍ତ ଗଣେଶଙ୍କୁ ଆଲିଙ୍ଗନ କରି ଅଗ୍ରପୂଜ୍ୟ ହେବାର ବରଦାନ ଦେଇଥିଲେ। ତେଣୁ ସବୁ ପୂଜା କର୍ମରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଆବାହନ କରାଯାଇଥାଏ। ଏହାପରେ ବ୍ରହ୍ମା, ବିଷ୍ଣୁ, ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ମହାଦେବ ଗଣେଶଙ୍କୁ ବିଘ୍ନନାଶକ ବୋଲି କହିଥିଲେ। ସେଥିପାଇଁ ବିଘ୍ନ କଥା ଆସିଲେ ସର୍ବ ପଥମେ ପ୍ରଭୁ ଗଣେଶଙ୍କୁ ଆରାଧନା କରାଯାଇଥାଏ।

ଗଣେଶଙ୍କ ଶ୍ଲୋକ:

ବକ୍ର ତୁଣ୍ଡ ମହା କାୟ, ସୂର୍ଯ୍ୟ କୋଟି ସମ ପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ, ସର୍ବ କାର୍ଯ୍ୟେସୁ ସର୍ବଦା

Tags: #ShreeGaneshChaturthi #GaneshPuja #PujaCelebration

LEAVE A REPLY

Please enter your comment!
Please enter your name here