ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ ମାର୍କରୁ ୫୩୪ ନମ୍ବର ରଖି ସୁଚିତ୍ରା ହୋଇଛନ୍ତି ସ୍କୁଲ ଟପ୍ପର। ଉଚ୍ଚଶିକ୍ଷା ଲାଭ କରିବା ପରେ ଜୀବନରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ତାଙ୍କର ଏହି ଇଚ୍ଛା ଆଗରେ ବାଧକ ସାଜିଥିଲା ଦାରିଦ୍ର୍ୟତା।
ପୁରୀ ଜିଲ୍ଲା ସଦର ମହକୁମା ନିକଟ କପିଳେଶ୍ୱରପୁର ଅତିବଡ଼ି ଜଗନ୍ନାଥ ଦାସ ବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ସୁଚିତ୍ରା ପ୍ରଧାନ। ସ୍କୁଲରେ ଜଣେ ଭଲ ଛାତ୍ରୀ ଭାବେ ମଧ୍ୟ ତାଙ୍କ ନାଁ ରହିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସେ ୫୩୪ ମାର୍କ ରଖି ସ୍କୁଲ ଟପ୍ପର ମଧ୍ୟ ହୋଇଛନ୍ତି। ହେଲେ ଉଚ୍ଚଶିକ୍ଷା ପାଇଁ ତାଙ୍କ ରାସ୍ତାରେ କଣ୍ଟା ସାଜିଥିଲା ଆର୍ଥିକ ଅନଟନ।ସୁଚିତ୍ରାଙ୍କ ବାପା ଦୀର୍ଘ ୧୭ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ରହିଛନ୍ତି। ସୁଚିତ୍ରାଙ୍କ ମା’ ପରିବାର ଚଳାଇବାକୁ ବିଦ୍ୟାଳୟର ପାଚିକା ଭାବେ କାମ କରୁଛନ୍ତି। ତେଣୁ ଆର୍ଥିକ ଅଭାବ ଭିତରେ ସୁଚିତ୍ରା ନିଜ ସ୍ୱପ୍ନକୁ କିଭଳି ସତ କରିବେ ତାକୁ ନେଇ ଚିନ୍ତାରେ ରହିଥିଲେ।ଏଭଳି ସମୟରେ ସୁଚିତ୍ରାଙ୍କୁ ସହାୟତାର ହାତ ବଢାଇଛି ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟର ଅଧ୍ୟକ୍ଷ ପ୍ଲାବନ କୁମାର ଦଳାଇ, ସଭାପତି ଗୌତମ ପ୍ରଧାନ, ସମ୍ପାଦକ ମନୋରଞ୍ଜନ ପଲାଇ ଏବଂ ଉପ ସଭାପତି ପ୍ରିୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଦଳ ତାଙ୍କ ଘରକୁ ଯାଇ ତାଙ୍କର ପାଠପଢ଼ା ନେଇ ସମସ୍ତ ଖବର ଟିକିନିଖି ବୁଝିଛନ୍ତି। ଏଥିସହ ତାଙ୍କର ସମସ୍ତ ପାଠପଢ଼ା ଖର୍ଚ୍ଚ ମଧ୍ୟ ଟ୍ରଷ୍ଟ ବହନ କରିବ ବୋଲି ସେ କହିଛନ୍ତି।ଏହାସହ ସେହିଭଳି ବ୍ରହ୍ମଗିରି ବ୍ଲକ ଟପ୍ପର ପୁନମ ପ୍ରିୟଦର୍ଶିନୀ ପରିଡାଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରରେ ସମ୍ଭାବନା ଟ୍ରଷ୍ଟର ବିରଞ୍ଚି ଦଳାଇ, ଆଶିଷ ସ୍ୱାଇଁ, ଚନ୍ଦ୍ରଶେଖର ପ୍ରଧାନ,ଆଲୋକ ପ୍ରଧାନ,ସୁବ୍ରତ ପ୍ରଧାନ, ଶିବୁନା ସାହୁ, ପ୍ରଶାନ୍ତ ବେହେରା,ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ବିଭୁତି ମହାପାତ୍ର, ଜଗନ ପଣ୍ଡା, ସୁକାନ୍ତ ସାହୁ, ବିଭୁତି ରଥ, ସୂର୍ଯ୍ୟ ସାହୁ, ବଟକୃଷ୍ଣ ସାହୁ, ଅଶୋକ ସାହୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।