ଓଡିଶାଲାଇଭ୍ ବ୍ୟୁରୋ

ଅସହାୟ ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଅନେକ ହିତାଧିକାରୀ ଏଥିରୁ ବାଦ୍ ପଡ଼ୁଛନ୍ତି। ସରକାରୀ ସହାୟତା ନ ପାଇ ପାଇଖାନା ଘରେ ଜୀବନ ବିତାଉଛନ୍ତି ଦମ୍ପତି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ଦୀର୍ଘ ୩ ବର୍ଷ ହେଲା ସେମାନେ ପାଇଖାନାରେ ରହିଆସୁଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ବଦଳୀଗୁଡ଼ା ଗାଁରେ।

ବଦଳୀଗୁଡ଼ା ଗ୍ରାମର ଗଣେଶ ମାଳି ଦୀର୍ଘ ୧୦ ବର୍ଷ ତଳେ ଛାତଛପର ଘରଟିଏ କରିଥିଲେ। କିନ୍ତୁ ପ୍ରବଳ ବର୍ଷା ହେବାରୁ ଘରଟି ମାଟିରେ ମିଶିଗଲା। ଫଳରେ ଦୀର୍ଘ ୩ ବର୍ଷ ହେଲା ବାଧ୍ୟ ହୋଇ ପାଇଖାନାରେ ରହିଆସୁଛନ୍ତି ଗଣେଶ ଓ ତାଙ୍କ ସ୍ରୀ ଦୈମତି ମାଳୀ। ପାଇଖାନାଟିର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

ଘର ଖଣ୍ଡିଏ ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ଗଣେଶ ଅନେକ ଥର ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ବିଜୁ ପକ୍କାଘର ଯୋଜନାରେ ନିଜକୁ ସାମିଲ କରିବାପାଇଁ ଅନେକ ଥର ଲିଖିତ ଭାବେ ଆବେଦନ କରିଛନ୍ତି। କିନ୍ତୁ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି। ତେଣୁ ବାଧ୍ୟହୋଇ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ବାଧ୍ୟ ହୋଇଛନ୍ତି ଦମ୍ପତି।ଏହି ଦମ୍ପତିଙ୍କର କେହି ନଥିବାରୁ ଏବେ ଏହି ପାଇଖାନାରେ ସେମାନେ ରହିଆସୁଛନ୍ତି। ସରକାରୀ ସହାୟତା କହିଲେ ଗଣେଶଙ୍କୁ ୫ କିଲୋଗ୍ରାମ ଚାଉଳ ମିଳୁଛି। ପ୍ରତିଦିନ ସକାଳୁ ସେମାନେ ଜଙ୍ଗଲକୁ ଯାଇ କାଠ କରଡ଼ି ସଂଗ୍ରହ କରି ତାକୁ ବିକ୍ରି କରିଥାନ୍ତି। ଯେଉଁ ଦିନ ଜଙ୍ଗଲକୁ ଯାଇପାରନ୍ତି ନାହିଁ ସେ ଦିନ ଭୋକରେ ଶୋଇପଡ଼ନ୍ତି।BGUସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ୁଥିବା ବେଳେ କେବଳ ଦସ୍ତାବିଜ୍‌ରେ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିସହ ଯୋଗ୍ୟ ହିତାଧିକାରୀ ଚୟନରେ ତ୍ରୁଟି ଯୋଗୁଁ ଗଣେଶ ଓ ଦୈମତିଙ୍କ ପରି ଅନେକ ଅସହାୟ ଲୋକ ହନ୍ତସନ୍ତ ହେଉଛନ୍ତି। ତେବେ ଏହି ଦୃଶ୍ୟ ଦେଖିଲା ପରେ ଏହି ଦମ୍ପତିଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comment