ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଚେମ୍ଵର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। କରୋନା ପାଇଁ ଚଳିତ ବର୍ଷ ଆଇପିଏଲ୍ ଦୁବାଇରେ ଆୟୋଜନ କରାଯିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭକୁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଦୁବାଇ। ଆଇପିଏଲ୍ ଖେଳାଯିବାକୁ ଥିବା ଦୁବାଇର ୩ଟି ପ୍ରମଖ ଷ୍ଟାଡିୟମରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଠଟିଯାକ ଦଳର ଖେଳାଳିମାନେ ମଧ୍ୟ ଦୁବାଇରେ ଅବତରଣ କରିସାରିଲେଣି। ତେବେ କେଉଁ କେଉଁ ଷ୍ଟାଡ଼ିୟମରେ ଆଇପିଏଲ୍ ଖେଳାଯିବ ଆପଣ ଜାଣିଛନ୍ତି କି?ତେବେ ଆସନ୍ତୁ ଜାଣିବା ସେହି ଷ୍ଟାଡ଼ିୟମଗୁଡ଼ିକ ବିଷୟରେ…

ଶେଖ୍ ଜାୟଦ୍ ଷ୍ଟାଡ଼ିୟମ
ଦୁବାଇର ଆବୁଧାବି ସହରରେ ରହିଛି ଶେଖ୍ ଜାୟଦ୍ ଷ୍ଟାଡ଼ିୟମ। ୨୦୦୪ ମସିହାରେ ଏହି ଷ୍ଟାଡ଼ିୟମକୁ ନିର୍ମାଣ କରାଯାଇଥିଲା। ୨୦ ହଜାର ଦର୍ଶକ କ୍ଷମତା ରଖୁଥିବା ଏହି ଷ୍ଟାଡ଼ିୟମଟିକୁ ବେଶ୍ ଚତ୍ମକାର ଶୈଳୀରେ ନିର୍ମାଣ କରାଯାଇଛି। ଏହାର ଉଭୟପାର୍ଶ୍ଵରେ ଦୁଇଟି ବଡ଼ ବଡ଼ ଷ୍ଟାଣ୍ଡ ରହିଛି ଏବଂ ଏଥିସହ ଦର୍ଶକମାନେ ବସିବା ପାଇଁ ଘାସ ଗାଲିଚା ମଧ୍ୟ ରହିଛି। ୨୦୧୪ ମସିହାରେ ଏହି ଷ୍ଟାଡ଼ିୟମରେ ପ୍ରଥମଥର ପାଇଁ ଆଇପିଏଲ୍ ଖେଳାଯାଇଥିଲା।
ଶାହାର୍ଜା କ୍ରିକେଟ ଷ୍ଟାଡ଼ିୟମ
ଦୁବାଇର ଶାହାର୍ଜା ସହରରେ ରହିଛି ଶାହାର୍ଜା କ୍ରିକେଟ ଷ୍ଟାଡ଼ିୟମ। ୧୯୮୦ ଦଶକରେ ନିର୍ମାଣ ହୋଇଥିବା ଏହି ଷ୍ଟାଡ଼ିୟମରେ ୧୯୮୪ ମସିହାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ୨୦୧୪ ମସିହାରେ ଏହି ଷ୍ଟାଡ଼ିୟମକୁ ଆଇପିଏଲ୍ର ଏକ ମ୍ୟାଚ୍ପାଇଁ ଚୟନ କରାଯାଇଥିଲା। ମାତ୍ର ଷ୍ଟାଡ଼ିୟମ ନାଁ’ରେ ପୂର୍ବରୁ ମ୍ୟାଚ୍ଫିକ୍ସିଂର ରେକର୍ଡ ରହିଥିବାରୁ ମ୍ୟାଚ୍ଟିକୁ ଶେଖ୍ ଜାୟଦ୍ ଷ୍ଟାଡ଼ିୟମ ପରିବର୍ତ୍ତିତ କରାଯାଇଥିଲା।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମଟି ଦୁବାଇର ‘ସ୍ପୋର୍ଟ୍ସ ସିଟି ଷ୍ଟାଡ଼ିୟମ’ ଭାବରେ ମଧ୍ୟ ବେଶ୍ ପ୍ରସିଦ୍ଧ। ଏହି ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୨୫-୩୦ ହଜାର। ଏହି ଷ୍ଟାଡ଼ିୟମର ବିଶେଷତ୍ଵ ହେଉଛି ଏଠାରେ ଲାଇଟ ପୋଲ ପରିବର୍ତ୍ତେ ଫ୍ଲଡଲାଇଟ ବ୍ୟବସ୍ଥା ରହିଛି। ପଡ଼ିଆ ମଧ୍ୟରେ ଖେଳାଳିମାନଙ୍କ ଛାଇକୁ ହ୍ରାସ କରାଇବା ପାଇଁ ଷ୍ଟାଡ଼ିୟମର ଉପରି ଭାଗରେ ଗୋଲାକାରଭାବେ ୩୫୦ଟି ଫ୍ଲଡଲାଇଟ୍ ଲଗାଯାଇଛି। ଏହାକୁ ‘ରିଙ୍ଗ୍ ଅଫ୍ ଫାୟାର’ ମଧ୍ୟ କୁହାଯାଏ। ୨୦୧୪ ମସିହାରେ ମଧ୍ୟ ଏହି ଷ୍ଟାଡ଼ିୟମରେ ଆଇପିଏଲ୍ ଖେଳାଯାଇଥିଲା।

















