ଓଡ଼ିଶାଲାଇଭ୍ ବ୍ୟୁରୋ
- ଦେଶରେ ବଢ଼ୁଛି କରୋନା ସଂକ୍ରମଣ
- ଡିସେମ୍ବର ସୁଦ୍ଧା ମିଳିପାରେ ଟିକା
- ସମଗ୍ର ବିଶ୍ୱରେ ୧୬୦ରୁ ଅଧିକ ଟିକାର କ୍ଲିନିକାଲ ଓ ପ୍ରିକ୍ଲିନିକାଲ ଟ୍ରାଏଲ
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟେ ପଟେ କରୋନା ସଂକ୍ରମଣର ଆଶଙ୍କା ଅନ୍ୟପଟେ କରୋନା ଟିକା ବଜାରକୁ ଆସିବାର ଆଶା ଭିତରେ ବଞ୍ଚିଛନ୍ତି ବିଶ୍ୱବାସୀ। ତେବେ କେବେ ଆସିବ ଗୋଟେ ପ୍ରଭାବଶାଳୀ ଟିକା? କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ କହିବା ଅନୁସାରେ, ଏକାଧିକ ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୦୨୦ ଶେଷ ସୁଦ୍ଧା ଯେ କୌଣସି ଗୋଟିଏ ଟିକା ସାର୍ବଜନୀନ ବ୍ୟବହାର ପାଇଁ ପ୍ରସ୍ତୁତ ହେବାର ଆଶା ରହିଛି।
ସମଗ୍ର ବିଶ୍ୱରେ ୧୬୦ରୁ ଅଧିକ ଟିକାର କ୍ଲିନିକାଲ ଓ ପ୍ରିକ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। ୩୦ରୁ ଅଧିକ ଟିକା କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। ଏହା ସହିତ ୬ ଟି ଟିକା ଶେଷ ପର୍ଯ୍ୟାୟ ବା ମାନବୀୟ ପରୀକ୍ଷଣ ପର୍ଯାୟରେ ରହିଛି। କେବଳ ଭାରତରେ ୮ଟି ଟିକାର ବିକାଶ ଚାଲି ଥିବା ବେଳେ ସେଥିମଧ୍ୟରୁ ୨ଟି ଷ୍ଟେଜ ଟୁ ବା ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏ ପରି ଉତ୍ସାହନଜକ ଖବର ଭିତରେ ଭାରତ ଡିସେମ୍ବର ସୁଦ୍ଧା ଯେ କୌଣସି ଗୋଟେ ଟିକା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିମଧ୍ୟରୁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ପରୀକ୍ଷଣ ଉତ୍ସାହଜନକ ରହିଛି।
ଯଦି ସବୁ ଠିକଠାକ ଚାଲିଲା, ପରୀକ୍ଷଣ ରିପୋର୍ଟକୁ ନେଇ ଉତ୍ସାହଜନକ ତଥ୍ୟ ଆସିଲା ତେବେ ଡିସେମ୍ବର ସୁଦ୍ଧା ଯେ କୌଣସି ଗୋଟିଏ ଟିକା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହୋଇଯିବ।
ଟିକା ଯିଏ ବି ବିକଶିତ କରୁ, ଭାରତର ବିନା ସହଯୋଗରେ ଉତ୍ପାଦନ କରିବା ଅସମ୍ଭବ। ଏ କ୍ଷେତ୍ରରେ ପ୍ରଥମ ଟିକା ବିକଶିତ କରିସାରିଛନ୍ତି ବୋଲି ଦାବି କରୁଛନ୍ତି ଋଷ ସରକାର। ସ୍ପୁଟନିକ ଭି ଟିକା ଭାରତରେ ଉତ୍ପାଦନ କରିବା ପାଇଁ ଋଷ ସରକାର ଭାରତ ସହ ଆଲୋଚନା କରୁଛନ୍ତି। କାରଣ ବୃହତ ପରିମାଣରେ ଟିକା ତିଆରି କରିବାର କ୍ଷମତା କେବଳ ଭାରତରେ ଅଛି। ତେଣୁ ସେମାନେ ଭାରତ ସରକାରଙ୍କ ମନାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାର ପରୀକ୍ଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଶ୍ଚିତ କରି ନ ଥିବାରୁ ଭାରତର ମଧ୍ୟ ଆପତ୍ତି ରହିଛି। ସେପଟେ ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ କିରିଲ ଡିମିତ୍ରେଭ୍ କହିଛନ୍ତି ଯେ, ଋଷ ଭାରତର ସହଯୋଗ ପାଇଁ ବେଶ ଆଶାବାଦୀ ଅଛି। ଅନ୍ୟ ଦେଶ ମଧ୍ୟ ଏହି ଟିକାର ଉତ୍ପାଦନ ପାଇଁ ଋଷ ସହ ଆଲୋଚନା କରିଥିଲେ, ମଧ୍ୟ ସେମାନେ ଭାରତରେ ଉତ୍ପାଦନ ପାଇଁ ବେଶୀ ଆଗ୍ରହୀ ଅଛନ୍ତି। କାରଣ ଏହି ଟିକାର ବହୁଳ ଉତ୍ପାଦନ କ୍ଷମତା କେବଳ ଭାରତ ପାଖରେ ରହିଛି।
ପ୍ରଥମେ କିଏ ପାଇବ ଟିକା?
ଟିକା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେଲେ, ଆମ ଦେଶରେ କିଏ ପ୍ରଥମେ ଟିକା ପାଇବ, କାହାକୁ ଆଗେ ଦିଆଯିବ ଟିକା ? ଏ ପ୍ରଶ୍ନ ବି ସମସ୍ତଙ୍କ ମନରେ। ଦେଶରେ ସୁବ୍ୟସ୍ଥିତ ଭାବେ ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ନୀତି ଆୟୋଗ ଅଧୀନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ସେହି ଟିମରେ ଦୁଇଟି ବିଭାଗ ରହିଛି।
ଗୋଟିଏ ଟିମ୍ ଟିକାର ସଂଗ୍ରହ ବା କିଣିବା ଉପରେ କାମ କରୁଥିବା ବେଳେ ଦ୍ୱିତୀୟ ଟିମ୍ ଏହାର ସଫଳ ବଣ୍ଟନ ଉପରେ କାମ କରିବ। ତେବେ କାହାକୁ ଟିକା ଦିଆଯିବ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ, ସମ୍ମୁଖ ଯୋଦ୍ଧାମାନଙ୍କୁ ଏ ଟିକା ଦିଆଯିବ। ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ପ୍ରଥମେ ଏ ଟିକା ଦିଆଯିବ। ଋଷରେ ମଧ୍ୟ ଏହି ଆଧାରରେ ଟିକା ଦିଆଯିବକୁ ସ୍ଥିର ହୋଇଛି। ତେବେ ଅନ୍ୟ ଏକ ବିଶେଷଜ୍ଞ ଗୋଷ୍ଠୀଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଯେଉଁମାନଙ୍କ ଦେହ ଅଧିକ ଅସୁସ୍ଥ ଥିବ କିମ୍ବା ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ଥିବ ସେମାନଙ୍କୁ ମଧ୍ୟ ସାମିଲ କରାଯିବ।


















