ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ଅଧିକ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ସୀମା ଟପିଲାଣି। ପ୍ରତିଦିନ ରାଜ୍ୟରୁ ୨ରୁ ୩ ହଜାର ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ଆଗାମୀ ସପ୍ତାହରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଛୁଇଁବ ବୋଲି ଅନୁମାନ କରାଯାଉଛି। ହେଲେ ଚିନ୍ତାର ବିଷୟ ଏହା ଯେ,ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି।
ଏହି ସବୁ ଜିଲ୍ଲାମାନେ ହେଲେ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଗଞ୍ଜାମ, ଯାଜପୁର, କୋରାପୁଟ, ମୟୂରଭଞ୍ଜ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼। ଏହି ଜିଲ୍ଲାରେ ଆଜିର ତାଜା ଅପଡେଟ୍ ସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। କରୋନାକୁ କମାଇବାକୁ ନିୟମିତ ଲକଡାଉନ୍ ଓ ସଟଡାଉନ୍ କରାଯାଉଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ନେଉନି। ଯେଉଁ କାରଣରୁ ଏହି ସବୁ ଜିଲ୍ଲା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ସକ୍ରିୟ ସଂକ୍ରମଣରେ ଖୋର୍ଦ୍ଧା ଆଗରେ
ସକ୍ରିୟ ସଂକ୍ରମଣ ଜିଲ୍ଲା ତାଲିକାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ଅଗଷ୍ଟ ୨୬ ତାରିଖ ସୁଦ୍ଧା ମୋଟ ୧୩,୩୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏବେ ବି ଜିଲ୍ଲାରେ ୫୪୪୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ରାଜ୍ୟର ଅନ୍ୟ କେଉଁ ଜିଲ୍ଲାରେ ଏତେ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ନାହାନ୍ତି। ତେବେ ରାଜଧାନୀ ଭୁବନେଶ୍ୱର କାରଣରୁ ଖୋର୍ଦ୍ଧା ଜିଲ୍ଲା କରୋନା ଗ୍ରାଫର ଉପରେ ରହୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପୁରୀ, ରାୟଗଡ଼ା, କୋରାପୁଟରେ ବଢୁଛି ସଂକ୍ରମଣ
ରାଜ୍ୟର ଏହି ୧୦ଟି ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। ହେଲେ ତା ଭିତରୁ ପୁରୀ, ରାୟଗଡ଼ା ଓ କୋରାପୁଟରେ ସ୍ଥିତି ଚିନ୍ତାଜନକ ରହିଛି। ଏହାର କାରଣ ହେଲା ଗତ କିଛି ଦିନ ଧରି ଏହି ଜିଲ୍ଲାରୁ ଲଗାତାର ଭାବେ ଅଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯାହାର ଫଳସ୍ୱରୂପ ଏହି ଜିଲ୍ଲାମାନଙ୍କରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ହଜାରେ ପାର୍ ସକ୍ରିୟ ସଂକ୍ରମଣ
ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। ସୁନ୍ଦରଗଡ଼ରୁ ଏଯାବତ ମୋଟ ୪୦୮୭ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ହେଲେ ଏବେ ବି ସେଠାରେ ୧୦୮୫ ସକ୍ରିୟ ସଂକ୍ରମିତ ରହିଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଆଜି ଆଉ ତିନି ଜଣ ମୃତକଙ୍କୁ ମିଶାଇ ସୁନ୍ଦରଗଡରେ କୋଭିଡ୍ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଯାହାକି ଗଞ୍ଜାମ ଓ ଖୋର୍ଦ୍ଧା ପଛକୁ ତୃତୀୟରେ ଅଛି। ସେହିପରି ମୟୂରଭଞ୍ଜରେ ମଧ୍ୟ ଏବେ ବି ୧୨୦୧ ଆକ୍ରାନ୍ତ ସକ୍ରିୟ ଅଛନ୍ତି।


















