ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ଡିଜିପି କୋରାପୁଟ ଜିଲ୍ଲା ପୋଲିସକୁ ପ୍ରଶଂସା କରିବାର ୧୦ ଘଣ୍ଟା ପରେ ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ରାଜସ୍ଥାନ ନାଗୋର ଜିଲ୍ଲାର କାଥୋଟି ନଗରର ଶିବ କରଣଙ୍କ ପୁଅ ଗୋପାଳ ରାମ (୪୪) ବୋଲି ସୂଚନା ମିଳିଛି।

ଏନେଇ ରବିବାର ଜୟପୁର ଏସଡିପିଓ ବରୁଣ ଗୁଣ୍ଠୁପାଲି କହିଛନ୍ତି ଯେ ଶନିବାର ବିଳମ୍ବିତ ରାତିରେ ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଉମୁରି ନିକଟରେ ଏକ ଟ୍ରକ ଦେଖିଥିଲେ। ଟ୍ରକ ଡ୍ରାଇଭର ପୋଲିସକୁ ଦେଖି ଟ୍ରକ ଛାଡ଼ି ଚାଲି ଯାଇଥିଲେ। ଟ୍ରକ୍‌ଟିକୁ ପୋଲିସ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଆରଜେ୨୧ଜିଏ ୩୯୫୯ ନମ୍ବରବିଶିଷ୍ଟ ଉକ୍ତ ଟ୍ରକ୍‌କୁ ଥାନାକୁ ଆଣି ଦେଖିବା ପରେ ସେଥିରୁ ଏକ ଆଧାର କାର୍ଡ ମିଳିଥିଲା ଏବଂ ସେଥିରେ ଗୋପାଳ ରାମ ନାଁ ରହିଥିଲା।

ଏହାପରେ ପୋଲିସ ଖୋଜା ଖୋଜି କରି ଗୋପାଳ ରାମଙ୍କୁ ରାତି ୨ଟାରେ ଧରି ହାଜତରେ ରଖିଥିଲା। କିନ୍ତୁ ଭୋର ସମୟରେ ଗାଧୁଆ ଘରେ ବେଡସିଟ୍‌କୁ ବେକରେ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲା ଗୋପାଳ ରାମ। ପରେ ଗୋପାଳଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଗୋପାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ଘଟିବା ପରେ ଜୟପୁର ଏସଡିପିଓ ଗୁଣ୍ଟପାଲ୍ଲି, ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝି ଓ ସାଇଣ୍ଟିଫିକ୍ ଟିମ୍‌ ସମେତ ମାଜିଷ୍ଟ୍ରେଟ୍ ମଧ୍ୟ ତଦନ୍ତ କରିଛନ୍ତି।

ଏନଏଚଆରସିର ନିୟମ ଅନୁଯାୟୀ ତଦନ୍ତ କରାଯିବା ସହ ଜୁଡିସିଆଲ ତଦନ୍ତ ମଧ୍ୟ ହେବ ବୋଲି ଏସଡିପିଓ ଗୁଣ୍ଠୁପାଲି ସୁଚନା ଦେଇଛନ୍ତି। ମୃତ ଗୋପାଳଙ୍କ ପରିବାରକୁ ମଧ୍ୟ ସୁଚନା ଦିଆଯାଇଛି। ସେମାନେ ଆସିବା ପରେ ପିରବାର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ। ବର୍ତ୍ତମାନ ଏନେଇ ୨୩/୨୦ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହା ସହ ବିଭାଗୀୟ ତଦନ୍ତ ମଧ୍ୟ କରାଯିବ।BGUଗତ ଶନିବାର ଗେଞ୍ଜେଇ ଧରି ଗୋପାଳ ପାଡ଼ୁଆରୁ ରାଜସ୍ଥାନ ଯାଉଥିଲେ। ଟ୍ରକ୍‌ରେ ୮ କ୍ୱିଇଣ୍ଟାଲ ୫ କିଲୋଗ୍ରାମ ଗଞ୍ଜେଇ ରହିଥିଲା। ଯାହାର ଆନୁମାନିକ ମୁଲ୍ୟ ୪୫ ଲକ୍ଷ ଟଙ୍କା ହେବ। ଏନେଇ ୧୬୦/୨୦ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଟ୍ରକରେ କେବଳ ଜଣେ ଡ୍ରାଇଭର ଥିଲେ ନା ତାଙ୍କ ସହ ଆଉ କେହି ଥିଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ରାତି ୨ଟାରେ ଗୋପାଳଙ୍କୁ କାବୁ କରାଯାଇଥିବା ବେଳେ ୩ ଘଣ୍ଟା ଭିତରେ ସେ କିପରି ଆତ୍ମହତ୍ୟା ଉଦ୍ୟମ କଲେ ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ତାଙ୍କୁ ହାଜତରେ ନିର୍ଯ୍ୟାତନା ଦିଆଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Comment