ଓଡ଼ିଶାଲାଇଭ୍ ବ୍ୟୁରୋ
- ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
- ପରିସ୍ଥିତିର ସମୀକ୍ଷା, ସହାୟତା ଘୋଷଣା
- କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ଓ ୫୦୦ଟଙ୍କା
- ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟା ବିପନ୍ନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ରାଜ୍ୟର ଅଧିକାଂଶ ଜିଲ୍ଲା ବନ୍ୟାରେ ବହୁଳ ଭାବେ ପ୍ରଭାବିତ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।
ବନ୍ୟା ବିପନ୍ନଙ୍କ ପାଇଁ ସହାୟତା
ଗୁରୁତର ଭାବରେ କ୍ଷତିଗ୍ରସ୍ତ/ଜଳମଗ୍ନ ଗ୍ରାମର ପରିବାରବର୍ଗରୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ । ଏସ୍ଡିଆରଏଫ୍ ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ। ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ। କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ।
ଉଦ୍ଧାରକାରୀ ଟିମ୍ଙ୍କୁ ପ୍ରଂଶସା
ବନ୍ୟାରେ ବାଲେଶ୍ୱରର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି। ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି। ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷିତିଗ୍ରସ୍ତ ହୋଇଛି। ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି।
ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟା ବିପନ୍ନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
‘‘ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ। ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ। ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା’’, ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି।
୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି
ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି। ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।