ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କରୋନା ପାଇଁ ନିର୍ବାଚନ ସ୍ଥଗିତ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିସାରିବା ପରେ ନଭେମ୍ବରରେ ନିର୍ବାଚନ ହେବା ନିଶ୍ଚିତ। ଏବେ ସମସ୍ତଙ୍କ ନଜର କାହାସହ କିଏ ମେଣ୍ଟ କରିବ, କାହାକୁ କେତେ ସିଟ୍ ମିଳିବ। କିଏ ଏକୁଟିଆ ନିଜର ଭାଗ୍ୟ ପରୀକ୍ଷା କରିବ। କେନ୍ଦ୍ର ଲକଡାଉନ ହଟାଇସାରିଛନ୍ତି। ତେଣୁ ଏବେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଆଜିକା ତାରିଖରେ ବିହାର ରାଜନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ହେଉଛି ଆସନା ବୁଝାମଣା।

ବର୍ତ୍ତମାନ ବିହାରରେ ଏନଡିଏ ସରକାର ଅଛି। ଆସନ୍ତା ନିର୍ବାଚନ ବି ନୀତିଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ବିଜେପି ସ୍ପଷ୍ଟ କରିସାରିଛି। ଗତ ନିର୍ବାଚନରେ କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ନୀତିଶ ନିର୍ବାଚନ ଲଢ଼ି ସରକାର ଗଠନ କରିଥିଲେ। ହେଲେ ମେଣ୍ଟ ଭାଗୁଆଳିଙ୍କ ଚାପ ଆଗରେ ମେଣ୍ଟ ଭାଙ୍ଗି ପୁଣି ବିଜେପି ସହ ମିଶି ନୂଆ ସରକାର ଗଠନ କରିଥିଲେ। ଏ ନିର୍ବାଚନରେ ସେ ସ୍ଥିତି ନାହିଁ। ବିଜେପି ଓ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ତେବେ ଏଥିରେ ଆଉ କିଏ ସାମିଲ ହେବ।

ଦଳିତ ଭୋଟ ଆଧାର ଉପରେ ନିର୍ବାଚନ ଲଢୁଥିବା ଜୀତନରାମ ମାଞ୍ଝୀ ମଧ୍ୟ ପୁଣି ଥରେ ଏନଡିଏକୁ ଫେରିବାକୁ ଇଛା କରିଛନ୍ତି। ବିଜେପି ତାଙ୍କୁ ସବୁଜ ସଂକେତ ଦେଇସାରିଥିବା ସୂଚନା ମିଳିଛି। କିନ୍ତୁ ଅସଲ ପ୍ରସଙ୍ଗ ହେଲା କାହାକୁ କେତେ ସିଟ୍ ମିଳିବ। କାରଣ ଗତଥରର ଚିତ୍ର ଅପେକ୍ଷା ଏଥରର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଜେଡିୟୁ, ଆରଜେଡି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି, ରାଷ୍ଟ୍ରୀୟ ଲୋକସମତା ପାର୍ଟି, ଲୋକଜନଶକ୍ତି ପାର୍ଟି ଓ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଏକାଠି ନିର୍ବାଚନ ଲଢ଼ିଥିଲେ। ୨୦୧୫ ନିର୍ବାଚନର ମେଣ୍ଟ ଏମିତି ଅଦ୍ଭୂତ ଥିଲା ଯେ, ନିର୍ବାଚନ କମିଶନ ଏହାକୁ ମଦର ଅଫ୍ ଅଲ ଇଲେକ୍ସନ ବୋଲି କହିଥିଲେ।

BGU

୨୦୧୫ରେ ନିର୍ବାଚନର ଫଳାଫଳ କିଛି ଏମିତି ଥିଲା। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ମହାଗଠନବନ୍ଧନ କରି ଜେଡିୟୁ, ଆରଜେଡି ଓ କଂଗ୍ରେସ ନିର୍ବାଚନ ଲଢ଼ିଥିଲେ। ଜେଡିୟୁ ୧୦୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ, ୭୧ଟି ଆସନରେ ଜିତିଥିଲା। ତେବେ ପୂର୍ବ ନିର୍ବାଚନ ତୁଳନାରେ ଦଳ ହରାଇଥିଲା ୪୪ଟି ଆସନ। ଏହାସହ ସର୍ବାଧିକ ୫.୮୧ ପ୍ରତିଶତ ଭୋଟ୍ ମଧ୍ୟ ହରାଇଥିଲା। ତେବେ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲେ ଆରଜେଡି ଓ କଂଗ୍ରେସ। ଆରଜେଡି ୧୦୧ଟି ଆସନରେ ନିର୍ବାଚନ ଲଢ଼ିଥିଲା। ୮୦ଟି ଆସନରେ ଜିତିଥିଲା। ତେବେ ପୂର୍ବ ନିର୍ବାଚନ ତୁଳନାରେ ୦.୪୪ ପ୍ରତିଶତ ଭୋଟ୍ ହରାଇଥିଲେ ମଧ୍ୟ, ୬୮ଟି ଅଧିକ ଆସନ ଜିତିଥିଲା। ସେହିପରି କଂଗ୍ରେସ ୪୧ଟି ଆସନରେ ନିର୍ବାଚନ ଲଢ଼ି ୨୭ଟିରେ ଜିତିଥିଲା। ପୂର୍ବ ନିର୍ବାଚନ ତୁଳନାରେ ୨୩ଟି ଆସନ ଅଧିକ ହାସଲ କରିଥିଲା।

ଗତ ନିର୍ବାଚନ ତୁଳନାରେ ବିଜେପି ୨୦୧୫ ନିର୍ବାଚନରେ ବିଜେପି ଏନଡିଏର ମୁଖ୍ୟଦଳ ହୋଇଥିବାରୁ ସବୁଠାରୁ ଅଧିକ ୧୫୭ଟି ଆସନରେ ନିର୍ବାଚନ ଜିତିଥିଲା। ଗତ ନିର୍ବାଚନ ତୁଳନାରେ ୭.୯୪ ପ୍ରତିଶତ ଅଧିକ ଭୋଟ ପାଇଥିଲେ ମଧ୍ୟ ସେସବୁ ଆସନରେ ରୂପାନ୍ତରିତ ହୋଇପାରି ନ ଥିଲା। କାରଣ ଦଳ ମାତ୍ର ୫୩ଟି ଆସନ ହାସଲ କରିଥିଲା। ସହଯୋଗୀ ଏଲଜେପି ୪୨ଟି ଆସନରେ ଲଢ଼ି ମାତ୍ର ୨ଟି ଆସନ ହାସଲ କରିଥିଲା। ସେହିପରି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୨୩ରେ ଲଢ଼ି ଗୋଟିଏ ଆସନ ଓ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ମଧ୍ୟ ୨୧ଟି ଆସନରେ ଲଢ଼ି ମାତ୍ର ଗୋଟିଏ ଆସନ ହାସଲ କରିଥିଲା।

ମହାଗଠନବନ୍ଧନ ନିର୍ବାଚନ ଜିତି ସରକାର ଗଠନ କରିଥିଲେ, ମଧ୍ୟ ମେଣ୍ଟ ଅଧିକ ଦିନ ରହିଲାନି। ମେଣ୍ଟ ଭାଙ୍ଗି ବିଜେପି ସହାୟତାରେ ନୂଆ ସରକାର ଗଠନ କରିଥିଲେ ନୀତିଶ କୁମାର। ଏଥର ଏନଡିଏରେ ନୀତିଶ କୁମାର। ନୀତିଶ କେତେ ଆସନ ଦାବି କରିବେ। ୨୦୧୦ର ଆସନ ବୁଝାମଣା ଏଥର କାଏମ ରହିବ କି। କାରଣ ୨୦୧୦ରେ କେବଳ ବିଜେପି ଓ ଆରଜେଡି ମଧ୍ୟରେ ଆସନ ବୁଝାମଣା ହୋଇଥିଲା। ତେଣୁ ମୁଖ୍ୟ ଭାଗୁଆଳୀ ଭାବେ ଜେଡିୟୁ ୧୪୧ଟି ଆସନରେ ନିର୍ବାଚନ ଲଢ଼ିଥିବା ବେଳେ ବିଜେପି ଭାଗରେ ପଡ଼ିଥିଲା ୧୦୨ଟି ଆସନ। ଏଥର ସେହି ବୁଝାମଣାରେ ରାଜି ହେବକି ବିଜେପି। କାରଣ ଗତ ନିର୍ବାଚନ ଭଳି ବିଜେପି ବ୍ୟାକଫୁଟରେ ନାହିଁ। ଏହାଛଡ଼ା ମେଣ୍ଟରେ ଅନ୍ୟଦଳ ମଧ୍ୟ ଅଛନ୍ତି। ସେମାନଙ୍କର ମଧ୍ୟ ଦାବି ରହିବ।

Comment