ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Former CM Bihah Sri Mahamaya Prasad Sinha

ବିହାର ଓ ଅଣକଂଗ୍ରେସ ରାଜନୀତି ଦୀର୍ଘ ବର୍ଷ ହେଲା ସମାନ୍ତରାଳ ଭାବେ ଚାଲିଛି। ଜାତି ରାଜନୀତିରୁ ଆରମ୍ଭ ହୋଇ ବିକାଶ ରାଜନୀତିରେ ପହଞ୍ଚିବା ଭିତରେ କଂଗ୍ରସ ପାଖରୁ କ୍ଷମତା ଆସି ଅଣକଂଗ୍ରେସ ଦଳପାଖରେ ପହଞ୍ଚିସାରିଛି। ପ୍ରଥମେ କଂଗ୍ରେସ ପାଖରୁ ଅଳ୍ପଦିନ ପାଇଁ ହେଉ ପଛେ ଅଣକଂଗ୍ରେସ ଦଳପାଖକୁ କ୍ଷମତା ଯାଇଥିଲା ୧୯୬୭ ମସିହାରେ। କଂଗ୍ରେସର ଦୁର୍ଗଭାଙ୍ଗି ସରକାର ଗଠନ କରିଥିଲା ଜନକ୍ରାନ୍ତି ଦଳ।

ମହାମାୟା ପ୍ରସାଦ ସିହ୍ନା

ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିଲେ ମହାମାୟା ପ୍ରସାଦ ସିହ୍ନା। ସିଭିଲ୍ ସର୍ଭିସ ଛାଡ଼ି ପ୍ରଥମେ କଂଗ୍ରେସରେ ସାମିଲ ହୋଇଥିଲେ। ପରେ ୧୯୬୦ରେ କଂଗ୍ରେସ ଛାଡ଼ି ଜନକ୍ରାନ୍ତି ଦଳରେ ସାମିଲ ହୋଇଥିଲେ। ତେବେ ସେ ବେଶୀଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦବିରେ  ରହିପାରି ନ ଥିଲେ। ବର୍ଷେ ବି ପୂରାଇ ପାରିନଥିଲେ। ମାତ୍ର ୩୩୦ ଦିନ ଥିଲା ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ। ତେବେ ପରେ ସେ ଜନତା ଦଳରେ ସାମିଲ ହୋଇଥିଲେ।

ମହାମାୟା ପ୍ରସାଦ ସିହ୍ନାଙ୍କ ପରେ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ କପୁରି ଠାକୁର ଓ ରାମ ସୁନ୍ଦର ଦାସ। ସେମାନେ କିନ୍ତୁ ବେଶୀ ଦିନ ମୁଖ୍ୟମନ୍ତ୍ରୀ ପଦବିରେ ରହିପାରି ନ ଥିଲେ କପୁରି ଠାକୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପ୍ରଥମେ ୧୯୭୦ ମସିହାରେ ମାତ୍ର ୧୬୩ ଦିନ ଓ ପରେ ୧୯୭୭ ମସିହାରେ ପ୍ରାୟ ୨ ବର୍ଷ ସମୟ ସେ ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ରାମସୁନ୍ଦର ଦାସଙ୍କ ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟ ଦୀର୍ଘ ନୁହେଁ। ସେ ମାତ୍ର ୩୦୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଲାଲୁପ୍ରସାଦ ଯାଦବ

ତେବେ କଂଗ୍ରେସ ବିରୋଧରେ ଏକ ବିରାଟ ବିଜୟ ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ ଲାଲୁ ପ୍ରସାଦ ଯାଦବ। ୧୯୮୯ ସାଧାରଣ ନିର୍ବାଚନରେ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା। ବିହାରର ସମସ୍ତ ଲୋକସଭା ଆସନ ଜିତିଥିଲା ଜନତାଦଳ। ତେବେ ଏହି ନିର୍ବାଚନରୁ ହିଁ ଅନୁଭବ ହୋଇଥିଲା, ୧୯୯୦ ବିଧାନସଭା ନିର୍ବାଚନରେ ଜନତାଦଳ ଭଲ ପ୍ରଦର୍ଶନ କରିବ। ଆଉ ସେୟା ହିଁ ହେଲା ଜନତା ଦଳର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଲାଲୁ ପ୍ରସାଦ ଯାଦବ। ଯେତେବେଳେ ୧୯୯୦ ମସିହାରେ ଜନତା ଦଳ କ୍ଷମତାକୁ ଆସିଲା ସେତେବେଳେ ପ୍ରଧାନମନ୍ତ୍ରୀ ଭିପି ସିଂହ ରାମସୁନ୍ଦର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। ଆଉ ଚନ୍ଦ୍ରଶେଖର ରଘୁନାଥ ଝାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। ସେତେବେଳେ ଲାଲୁଙ୍କ ନାଁ ଟେବୁଲ ଉପରକୁ ଆସିନଥିଲେ ମଧ୍ୟ ସେ ବେଶ ଲୋକପ୍ରିୟ ହୋଇସାରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ବିବାଦର ସମାଧାନ ପାଇଁ ତତକାଳୀନ ଉପ ପ୍ରଧାନମନ୍ତ୍ରୀ ଦେବୀଲାଲ, ଲାଲୁପ୍ରସାଦ ଯାଦବଙ୍କ ନାଁ ପ୍ରସ୍ତାବ ଦେଲେ। ଆଉ ସହମତିରେ ଲାଲୁ ହୋଇଗଲେ ଅଣକଂଗ୍ରେସ ରାଜନୀତିର ମୋଡ଼ ବଦଳାଇ ଦେଇଥିବା ପ୍ରଥମ ମୁଖ୍ୟମନ୍ତ୍ରୀ। ୧୯୯୦-୯୫ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ। ଲାଲୁଙ୍କ ନେତୃତ୍ୱରେ ଜନତା ଦଳ ୧୯୯୫ରେ ବହୁମତ ହାସଲ କଲା। ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଗୋଖାଦ୍ୟ ଦୁର୍ନୀତିରେ ଫସିବା ପରେ ୧୯୯୭ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ହେଲେ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦବିରେ ବସାଇବାରେ ସେ ସଫଳ ହୋଇଥିଲେ।

BGU

ରାବ୍ରୀ ଦେବୀ

ରାବ୍ରୀ ଦେବୀ, ସେତେବେଳେ ଏକ ଅପ୍ରତ୍ୟାଶିତ ନାମ ଥିଲା। ରାଜନୀତି କଣ ବୁଝୁନଥିବା ଏବଂ ଅଶିକ୍ଷିତ ମହିଳା ରାବ୍ରୀଦେବୀ ଦେଶର ଅନ୍ୟତମ ବୃହତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଗଲେ। ୧୯୯୭ ମସିହାରେ ସେ ବିହାରର ମୁଖ୍ୟମନ୍ତ୍ରୀ ହେଲେ। ସେହିବର୍ଷ ଜନତାଦଳ ବିଭାଜନ ହୋଇଗଲା। ଆଉ ଲାଲୁ ପ୍ରସାଦ ଯାଦବ ରାଷ୍ଟ୍ରୀୟ ଜନତା ଦଳ ଗଠନ କରିଥିଲେ। ୨୦୦୦ ମସିହାରେ ଆରଜେଡି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମେ ସରକାର ଗଠନ କରିପାରି ନ ଥିଲା। ବିଜେପି ସହ ମେଣ୍ଟ କରି ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର। ସେ ଇସ୍ତଫା ଦେବା ପରେ ରାବ୍ରୀ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ଯାଏ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ସେତେବେଳକୁ ଅଣକଂଗ୍ରେସ ରାଜନୀତି ଆରମ୍ଭ କରିଥିବା ଲାଲୁ ପୁଣି କଂଗ୍ରେସ ସହ ଯୋଡ଼ି ହୋଇଯାଇଥିଲେ। ନିଜର ଧର୍ମନିରେପକ୍ଷ ଚେହେରା ବଞ୍ଚାଇବା ପାଇଁ ୟୁପିଏରେ ସାମିଲ ହୋଇସାରିଥିଲା ଲାଲୁଙ୍କ ଆରଜେଡି। ୨୦୦୪ ସାଧାରଣ ନିର୍ବାଚନରେ ସେ ସାଂସଦ ଭାବେ ନିର୍ବାଚିତ ହୋଇ ୟୁପିଏ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ।

ନୀତିଶ କୁମାର

ଯଦି ଦୀର୍ଘ ସମୟ ଧରି କିଏ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ସେ ହେଉଛନ୍ତି ନୀତିଶ କୁମାର। ପ୍ରଥମ ପର୍ଯ୍ୟାୟରେ ୭ ଦିନ। ତା ପରେ ଆଜି ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୨୦୦୫ରେ କେନ୍ଦ୍ରରେ ବିଜେପି ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ବିହାରରେ ନୀତିଶ କୁମାରଙ୍କ ଜେଡିୟୁ ସହ ମେଣ୍ଟ କରି କ୍ଷମତାକୁ ଆସିଥିଲା। ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନଭେମ୍ବର୨୪ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ କୁମାର। ତା ପରେ ପୁଣି ୨୦୦୯ରେ ତୃତୀୟ ଥର ପାଇଁ ୨୦୧୪ ଯାଏ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ନୈରାଶ୍ୟଜନକ ଫଳାଫଳ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ। ଜୀତନରାମ ମାଞ୍ଝୀ ହୋଇଥିଲେ କେୟାରଟେକର ମୁଖ୍ୟମନ୍ତ୍ରୀ। କିନ୍ତୁ ୨୦୧୫ ରେ ଏନଡିଏ ମେଣ୍ଟରୁ ବାହାରି ଲାଲୁ ଓ କଂଗ୍ରେସ ସହ ମହାଗଠବନ୍ଧନ କରିଥିଲେ। ରାଜନୈତିକ ବାଧ୍ୟବାଧକତା ତାଙ୍କୁ ତାଙ୍କର ବିରୋଧୀ କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରିବାକୁ ବାଧ୍ୟ କରିଥିଲା। ମହାଗଠବନ୍ଧନ ବେଳ ଭଲ ଫଳାଫଳ କରିଥିଲା। ହେଲେ ମେଣ୍ଟ ସହଯୋଗୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଥିଲେ। କିନ୍ତୁ ୨୦୧୭ରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ନୀତିଶ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ ମଧ୍ୟ ସେ ନଦେବାରୁ ନୀତିଶ ମେଣ୍ଟ ଭାଙ୍ଗି ଏନଡିଏ ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିହାର ନିର୍ବାଚନ (୧) – ଆସନ ବୁଝାମଣା ଉପରେ ନଜର

Comment