ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବନ୍ୟା ପରେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ାବାସୀ
  • ସବୁଠୁ ଅଧିକ କ୍ଷତିଗ୍ରସ୍ତ ବେଣୀପୁର ଗାଁ
  • ଲୋକଙ୍କୁ ବାସହରା କରି ଦେଇଛି ବନ୍ୟା

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅସରନ୍ତି ଯନ୍ତ୍ରଣା ଦେଇ ଗଲା ବନ୍ୟା।  ପାଣି କମିବା ପରେ ଏବେ ଅନେକ ହୋଇଯାଇଛନ୍ତି ବାସୀହୀନ। ବନ୍ୟା ଜଳରେ ଅନେକଙ୍କର ବୁଡ଼ି ଯାଇଛି ଜୀବିକା। ଏକର ଏକର ଚାଷ ଜମି ଉପରେ ଚଢ଼ି ଯାଇଛି ନଈ ବାଲି। ଏହି ନଈ ପାଣିରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି କେନ୍ଦ୍ରପଡ଼ା ବେଣୀପୁର ଗାଁର ଲୋକ।

ସେମାନଙ୍କ ମଧ୍ୟରୁ ଜଣେ ହେଲେ ଛତୁ ଚାଷୀ ପ୍ରଦୀପ୍ତ।  ପ୍ରାୟ ୧୫୦ ବେଡ୍ରେ ଛତୁ ଚାଷ କରି ନିଜ ପରିବାର ପୋଷୁଥିବା ପ୍ରଦୀପ୍ତଙ୍କ ପାଖରେ ଏବେ କିଛି ନାହିଁ। ବନ୍ୟା ପରେ ନିଜ ଉଜୁଡ଼ା ଛତୁ ବେଡକୁ ଏବେ ସଜାଡ଼ୁଛନ୍ତି ପ୍ରଦୀପ୍ତ।

ମିଳୁନି ଘରର ପତ୍ତା

ସେହିପରି ସେହ ଗାଁର ନିତ୍ୟାନନ୍ଦ ଓଝା ଓ ତାଙ୍କ ପତ୍ନୀ କମଳାଙ୍କ ଦୁଃଖ ମଧ୍ୟ କହିଲେ ନସରେ। ବନ୍ୟା ପାଣିରୁ ଜୀବନ ବିକଳରେ ପଡ଼ିଶାଘର ଛାତ ଉପରକୁ ଚଢିଯାଇ ଜୀବନ ବଞ୍ଚାଇ ଦେଇଛନ୍ତି ସିନା ଆଉ କିନ୍ତୁ ନିଜ ଘରକୁ ଖୋଜି ପାଉନାହାନ୍ତି। କାରଣ ନଈ ପାଣି ତାଙ୍କ ଚାଳଛପର ଘରକୁ ଭସେଇ ନେଇଛି।

ଗାଁର ପଞ୍ଚାନନ ବେହେରାଙ୍କର ଚାଳଛପର ଘରର ପତ୍ତା ମିଳୁନି। ଘରର ରୁଅ ବାଉଁଶ ଖଣ୍ଡଖଣ୍ଡ ହୋଇ ଭାଷିଯାଇଛି। ପର୍ଶୁରାମ ସାହୁ, ହୃଷିକେଶ ମଲ୍ଲିକ, ଫକୀର ମଲ୍ଲିକ ଏମିତି ଅନେକଙ୍କୁ ବୀରୂପା ନଦୀ ବାସହରା ସଜେଇ ଦେଇଛି। ଧନ ସମ୍ପତ୍ତି ଛଡେଇ ନେଇଛି। ଗାଁର ଶାନ୍ତ କାନ୍ତ ଭୌଗୋଳିକ ଚିତ୍ରକୁ ବିଦୀର୍ଣ୍ଣ କରିଦେଇଛି । ଏବେ ଗାଁର ଚାରିଆଡେ ଭଙ୍ଗା ଦଦରା ଘରର ବିକଳ ଚିତ୍ର ଏମାନଙ୍କୁ ଆଉ ୫୦ ବର୍ଷ ତଳକୁ ଫେରେଇ ନେଇଛି। ପଚାଷଢା ଦୁର୍ଗନ୍ଧରେ ଫାଟିପଡୁଛି ଗାଁ ପରିବେଶ।BGU

୧୯୬୦ ପରେ ଏମିତି ଦୁର୍ଦ୍ଦଶା ଦେଖିନଥିଲା ଗାଁ

‘‘୧୯୫୫ ଓ ୧୯୬୦ ପୂର୍ବରୁ ଏଭଳି ଜଳ ପ୍ରଳୟ ହୋଇଥିଲା। ଏହାପରେ ଏପରି ବିତ୍ପାତ ଦେଖାନଥିଲା ଗାଁ’’, କହିଛନ୍ତି ବେଣୀପୁର ଗାଁ ଜଣେ ବୟସ୍କ ପୁରୁଷୋତ୍ତମ ପୃଷ୍ଟ।

ଏବେ ବେଣୀପୁର ଗାଁର ଭୋକିଲା ପେଟକୁ ଦାନା ଦେବା ସହିତ ସେମାନଙ୍କର ଉଜୁଡି ଯାଇଥିବା ଜୀବନ ଜୀବିକାକୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି। ଗାଁର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ବିଜୁଳି ବ୍ୟବସ୍ଥା ସ୍ୱାଭାବିକ କରିବାକୁ କାମ ଚାଲିଛି।

Comment