ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକାରେ ଏ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି। ଚଳିତ ବର୍ଷ ୨୧,୧୮୫ ବସାରୁ ୯୭, ୮୬୬ ଦେଶୀୟ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ତୁଳନାରେ ୯ ହଜାର ୨୫୧ ବଢ଼ିଥିବା ଜଣାପଡ଼ିଛି।

କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ବଉଳା କୁମ୍ଭୀର ମାନଙ୍କ ପାଇଁ ଯେତିକି ପ୍ରସିଦ୍ଧ ଦେଶ ବିଦେଶର ପକ୍ଷୀଙ୍କ ସମାବେଶ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧି ଲାଭ କରିଛି। ଶୀତଦିନେ ଏଠାକୁ ବିଦେଶାଗତ ପକ୍ଷୀମାନେ ଆସୁଥିବା ବେଳେ ଏହି ବର୍ଷା ଋତୁରେ ଦେଶୀୟ ପକ୍ଷୀ ମାନେ ଏହି ସ୍ଥାନକୁ ଆସି ଲୁଣା ଜଙ୍ଗଲର ଗଛମାନଙ୍କ ଡାଳରେ ବସା ବାନ୍ଧନ୍ତି ଓ ଅଣ୍ଡା ଦିଅନ୍ତି।

ଛୁଆ ମାନେ ଉଡିବା ଓ ଖାଇବା ଶିଖିଗଲେ ମା ଚଡେଇ ଓ ପୁରୁଷ ଚଡେଇ ସହିତ ବାହାରକୁ ଉଡି ଯାଆନ୍ତି। ବିଶେଷ କରି ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ , ବିଭିନ୍ନ ପ୍ରଜାତିର ବଗ , ପାଣିକୁଆ , କାପରଖାଇ ଓ ଦା ବେଣ୍ଟିଆ ଆଦି ଦେଶୀୟ ପକ୍ଷୀ ମାନଙ୍କ ନିରାପଦ ପ୍ରଜନନ ସ୍ଥାନ ଭିତରକନିକା।

ଛଆ ଜନ୍ମ ହେବା ପରେ  ଶୀତ ଆସିବା ଆଗରୁ ଏମାନେ ନିଜନିଜ ଛୁଆ ମାନଙ୍କୁ ଧରି ପୁଣି ନିଜନିଜ ଅଞ୍ଚଳକୁ ଚାଲି ଯାଇଥାନ୍ତି । ଶହଶହ ବର୍ଷ ହେଲା ଭିତରକନିକାର ବଗଗହନ ଏହି ଦେଶିୟ ପକ୍ଷୀ ମାନଙ୍କର ଏନ୍ତୁଡିଶାଳ ହୋଇରହି ଆସିଥିଲା। ଭିତରକନିକାର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ବଗ ଜାତୀୟ ଏହି ପକ୍ଷୀମାନଙ୍କର ପ୍ରଜନନ ହୋଇ ଆସୁଥିବାରୁ ଏହି ସ୍ଥାନର ନାମ ବଗଗହନ ଦେଇଥିଲା ବନବିଭାଗ।BGU

ଗତ ୨୦୧୬ ମସିହାଠାରୁ ଏହି ପକ୍ଷୀମାନେ ସେମାନର ଏହି ପାରମ୍ପରିକ ପ୍ରଜନନ ସ୍ଥାନ ବଗଗହନ ଛାଡି କିଛି ଦୁରରେ ଅବସ୍ଥିତ ମଠଆଡିଆ ନାମକ ଆଉ ଏକ ସ୍ଥାନକୁ ସମୂହ ଭାବେ ଚାଲିଆସି ଅଣ୍ଡା ଦେଇଥିଲେ। ୪ ବର୍ଷ ମଠଆଡିଆ ଜଙ୍ଗଲରେ ଏମାନେ ଅଣ୍ଡା ଦେଇ ଆସୁଥିବାବେଳେ ଗତ ବର୍ଷ ଏମାନେ ଲକ୍ଷ୍ମୀପ୍ରସାଦ ଡିଆ ନାମକ ଏକ ନୂଆ ସ୍ଥାନରେ ଅଣ୍ଡା ଦେଇଥିଲେ। ଚଳିତ ବର୍ଷ ଏମାନେ ପୁଣି ଆଉ ଏକ ନୂଆ ସ୍ଥାନକୁ ପରିବର୍ତ୍ତନ କରିଛନ୍ତି। ଯଦିଓ ମଠ ଆଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ଏମାନଙ୍କୁ ଦେଖାବାକୁ ମିଳିଛି ତେବେ ଦୁର୍ଗାପ୍ରସାଦ ଡିଆ ନାମକ ଆଉ ଏକ ନୂଆ ସ୍ଥାନ ଏଥର ଯୋଡି ହୋଇଛି।

ପ୍ରତି ବର୍ଷ ବନବିଭାଗ ପକ୍ଷରୁ ଏମାନଙ୍କର ବସା ଗଣନା କରାଯାଇଥାଏ। ବସାରେ ଥିବା ବୟସ୍କ ଚଡେଇ ଓ ଛୁଆ ମାନଙ୍କୁ ମଧ୍ୟ ଗଣନା କରାଯାଏ। ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା ସରିଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

Comment