ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ଭିନ୍ନକ୍ଷମମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ସରକାର କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ବିଷୟରେ କହୁଛନ୍ତି ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ।

“କୌଣସି ବିପର୍ଯ୍ୟୟ ହେଲେ ସାଧାରଣ ଲୋକଙ୍କ ଅପେକ୍ଷା ଭିନ୍ନକ୍ଷମମାନେ ଅଧିକ ପ୍ରଭାବିତ ହୋଇଥାନ୍ତି। କାରଣ ଭିନ୍ନକ୍ଷମ ଲୋକ ସାଧାରଣତଃ ଅନ୍ୟ ଉପରେ ନିର୍ଭର କରିଥାନ୍ତି। ତେଣୁ କୋଭିଡ୍ ସମୟରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବା ଦରକାର। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କର ନିରାପତ୍ତା ଓ ସୁରକ୍ଷା ଆମର ପ୍ରଥମ ଦାୟିତ୍ଵ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି”, କହିଛନ୍ତି ସୁଲୋଚନା ଦାସ।

ୟୁନିସେଫ୍ ସହଭାଗିତାରେ ଓଡ଼ିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି।

କରୋନାର ଏହି ସଙ୍କଟ ସମୟରେ ଭିନ୍ନକ୍ଷମଙ୍କ ଅସୁବିଧା ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଥିଲେ। ଏହି ଗାଇଡଲାଇନ୍‌କୁ ରାଜ୍ୟ ସରକାର ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଚେଷ୍ଟା କରିଛନ୍ତି। ଏଥିସହ କରୋନା ସମୟରେ ଭିନ୍ନକ୍ଷମମାନେ କିପରି ଭଲ ଭାବରେ ନିଜର ଜୀବିକା ନିର୍ବାହ କରିପାରିବେ ସେଥିପାଇଁ ରାଜ୍ୟ ସରକାର ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୁଲୋଚନା କହିଛନ୍ତି।ପଞ୍ଚାୟତ ସ୍ତରରେ କର୍ମଚାରୀଙ୍କୁ ତାଲିମ 

ପଞ୍ଚାୟତ ସ୍ତରରେ ଥିବା କର୍ମଚାରୀମାନଙ୍କୁ ତାଲିମ ଦେବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। “ପେନ୍‌ସନ୍‌, ଖାଦ୍ୟ ନିରାପତ୍ତା ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯେଉଁସବୁ ସାମାଜିକ ମଙ୍ଗଳ ଯୋଜନା ରହିଛି ସେଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ଭିନ୍ନକ୍ଷମମାନେ କିପରି ସହଜରେ ସ୍ଵାସ୍ଥ୍ୟ ସେବା ଓ ଆବଶ୍ୟକୀୟ ଜିନିଷ ପାଇପାରିବେ ସେଥିପାଇଁ ଏହି କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି। ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସେହି କର୍ମଚାରୀମାନେ କାମ କରୁଛନ୍ତି। ବିଶେଷକରି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ସମୟରେ ଭିନ୍ନକ୍ଷମମାନେ ତାଙ୍କ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ପାଇପାରୁଛନ୍ତି”, ସୁଲୋଚନା କହିଛନ୍ତି।

ଜୀବନ ଓ ଜୀବିକା ଉପରେ ଗୁରୁତ୍ଵ

କୋଭିଡ୍-୧୯ ସମୟରେ ଦୁଇଟି ଜିନିଷ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଗୋଟିଏ ହେଉଛି ଜୀବନ ଆଉ ଗୋଟିଏ ହେଉଛି ଜୀବିକା। ରାଜ୍ୟ ସରକାର ପ୍ରଥମେ ଜୀବନ ଉପରେ ଗୁରୁତ୍ଵ ଦେଇଛନ୍ତି। ଏନେଇ ସୁଲୋଚନା କହିଛନ୍ତି, “ଲୋକମାନେ କିଭଳି ଭାବରେ ସୁରକ୍ଷିତ ରହିପାରିବେ, ଭିନ୍ନକ୍ଷମ ବ୍ୟକ୍ତିଟିଏ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ସେ କିଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ, ସ୍ଵାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସୁବନ୍ଦୋବସ୍ତ କରିଛନ୍ତି। ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ମହିଳା, ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କୁ ଅଗ୍ରାଧିକାର ଦିଆଯାଉଛି।”

ଲକ୍‌ଡାଉନ୍, ସଟ୍‌ଡାଉନ୍ ଜାରି ହେଉଥିବା ଅଞ୍ଚଳରେ ମେଡିସିନ୍ ଏବଂ ସ୍ଵାସ୍ଥ୍ୟ ସେବା କିଭଳି ତୁରନ୍ତ ପହଞ୍ଚିପାରିବ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।

ସ୍ଵେଚ୍ଛାସେବୀ ସଂଗଠନ ଓ ଆସୋସିଏସନକୁ ତାଲିମ

ରାଜ୍ୟର ବିଭିନ୍ନ ରେସିଡେନ୍ସିଆଲ କଲୋନିରେ ଥିବା ଆସୋସିଏସନ ଏବଂ ଏନ୍‌ଜିଓ ଆଦିକୁ ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। ଏନେଇ ସୁଲୋଚନା କହିଛନ୍ତି, “କୌଣସି ଆପାର୍ଟମେଣ୍ଟରେ ଯଦି କିଛି ଭିନ୍ନକ୍ଷମ ବା ବୟସ୍କ ଲୋକ ରହୁଛନ୍ତି ସେମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଏବଂ ସେମାନଙ୍କ ପାଖରେ ବିଭିନ୍ନ ସେବା ଯେମିତି ପହଞ୍ଚିପାରିବ ତାକୁ ତ୍ଵରାନ୍ଵିତ କରିବା ପାଇଁ ଏହି ସଂସ୍ଥାଗୁଡ଼ିକୁ ତାଲିମ ଦିଆଯାଉଛି।”ସଠିକ୍ ସୂଚନା ପହଞ୍ଚାଯାଉଛି

କରୋନା ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନେ କିଭଳି ଭାବେ ସଠିକ୍ ସୂଚନା ପାଇବେ ସେଇଟା ହେଉଛି ସବୁଠାରୁ ବଡ଼ କଥା। ଯଦି ଗୋଟିଏ ଲୋକ ସଠିକ୍ ସୂଚନା ନପାଇବ ତାହେଲେ ସେ ସଚେତନ ହୋଇପାରିବ ନାହିଁ। ସେ କ୍ଷେତ୍ରରେ ରାଜ୍ୟ ସରକାର ଗାଇଡଲାଇନ୍ ଅନୁଯାୟୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସଠିକ୍ ସୂଚନା ଦିଆଯାଉଛି ବୋଲି ସୁଲୋଚନା କହିଛନ୍ତି।

ସେ ଆହୁରି କହିଛନ୍ତି, “ସରକାରଙ୍କର ଯାହା ବି ଗାଇଡଲାଇନ୍ ଆସୁଛି ସେଗୁଡ଼ିକ ସରଳ ଭାବେ ପ୍ରକାଶିତ ହେଉଛି। କୋଭିଡ୍ ମୁଖପାତ୍ର ସବୁଦିନ କୋଭିଡ୍ ସମ୍ବନ୍ଧୀୟ ସୂଚନା ଓ ଗାଇଡ୍‌ଲାଇନ୍‌ ବିଷୟରେ କହୁଛନ୍ତି। ତାଙ୍କ କଥାକୁ ସାଇନ୍‌ ଲାଙ୍ଗୁଏଜ୍‌ରେ କୁହାଯାଉଛି। ଫଳରେ ଯେଉଁମାନେ ଶ୍ରବଣ ବାଧିତ ସେମାନେ ତାହାକୁ ବୁଝିପାରିବେ। ସେହିପରି ବ୍ରେଲ୍ ଏବଂ କ୍ୟାସେଟ୍‌ରେ ମଧ୍ୟ ଏହି ସୂଚନା ପ୍ରଦାନ କରାଯାଉଛି। ଏହାଦ୍ଵାରା ଦୃଷ୍ଟିବାଧିତମାନେ ସମସ୍ତ ସୂଚନା ପାଇପାରୁଛନ୍ତି। ତେଣୁ ଭିନ୍ନକ୍ଷମ ବ୍ୟକ୍ତିମାନେ ସରକାରଙ୍କ ସମସ୍ତ ସୂଚନା, ସାମାଜିକ ମଙ୍ଗଳ ଯୋଜନା ଆଦି ବିଷୟରେ ଜାଣିପାରୁଛନ୍ତି।”

୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର

ଏସ୍‌ଏସ୍‌ଇପିଡି ବିଭାଗ ଏବଂ ରାଜ୍ୟ ଭିନ୍ନକ୍ଷମ କମିସନ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବରର ବ୍ୟବସ୍ଥା କରାଯାଇଛି। ଯେଉଁ ଭିନ୍ନକ୍ଷମ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ବା ହେଉଛନ୍ତି ସେମାନେ ଏହି ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କଲେ ଆମେ ତାକୁ ସମାଧାନ କରୁଛୁ ବୋଲି ସୁଲୋଚନା କହିଛନ୍ତି।BGUପ୍ରବାସୀ ଭିନ୍ନକ୍ଷମଙ୍କ ପାଇଁ ପଦକ୍ଷେପ

ଯେଉଁ ଭିନ୍ନକ୍ଷମ ଭାଇ ଭଉଣୀମାନେ ଅଲଗା ରାଜ୍ୟରେ ଅଟକି ଯାଇଥିଲେ ସେମାନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ଆମ ବିଭାଗ ଏବଂ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ସେମାନଙ୍କୁ ସ୍ଵତନ୍ତ୍ର ଭାବେ କିପରି ଫେରାଇ ଅଣାଯିବ ସେ ଦିଗରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ସୁଲୋଚନା ସୂଚନା ଦେଇଛନ୍ତି।

Comment