ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ସୁପରହିଟ୍ ଯୋଡ଼ି ଅନୁଭବ-ବର୍ଷା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ବର୍ଷା ପ୍ରିୟଦର୍ଶିନୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଣି ଥରେ ପୋଲିସର ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।
ଗତକାଲି ଅନୁଭବଙ୍କ ନନ୍ଦିସାହିସ୍ଥିତ ଘରେ ଥିବା ବେଳେ ଦୁଇ ଜଣ ଅଜଣା ଯୁବକ ବର୍ଷାଙ୍କ ରୁମ୍କୁ ପଶି ତାଙ୍କ ଫଟୋ ଉଠାଇଥିଲେ। ଘରେ ଖାଉଥିବା ବେଳେ ଏପରି ଘଟିଥିବା ସେ ଅଭିଯୋଗ କରିଥିଲେ। ଏହାପରେ ବର୍ଷା ତୁରନ୍ତ ୧୦୦ ନମ୍ବରକୁ ଫୋନ୍ କରି ପୋଲିସଠାରୁ ସୁରକ୍ଷା ମାଗିଥିଲେ। ଖବର ପାଇ ପୁରୀଘାଟ ପୋଲିସର ଜଣେ ଏସ୍ଆଇ ଓ ଜଣେ ମହିଳା ପୋଲିସ କର୍ମଚାରୀ ବର୍ଷାଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ।
କାଲିଠାରୁ ଜଣେ ମହିଳା କନଷ୍ଟେବଳ ବର୍ଷାଙ୍କ ସୁରକ୍ଷା ଦାୟିତ୍ଵରେ ଅଛନ୍ତି। ଅନୁଭବଙ୍କ ଘରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଏହି ଘରେ ଅନୁଭବଙ୍କ ସମେତ ତାଙ୍କ ପରିବାର ମଧ୍ୟ ରହୁଛନ୍ତି।
ପାରିବାରିକ ହିଂସା ନେଇ ଅଭିଯୋଗ କଲା ପରେ ମଧ୍ୟ ବର୍ଷା କାହିଁକି ତାଙ୍କ ଘରେ ରହୁଛନ୍ତି ବୋଲି ଗତକାଲି ଅନୁଭବ କଟାକ୍ଷ କରିଛନ୍ତି। ଯଦି ତାଙ୍କ ଜୀବନ ପ୍ରତି ବିପଦ ଅଛି ତେବେ ସେ ତାଙ୍କ ଘରୁ କାହିଁକି ଯାଉନାହାନ୍ତି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।














