ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗଜଲକ୍ଷ୍ମୀ ପୂଜା ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ଭାବଗତ ସାଂସ୍କୃତିକ ପରମ୍ପରା ଜଡ଼ିତ ହୋଇରହିଛି। ହେଲେ ଏବର୍ଷ କରୋନା ମହାମାରୀ ଜିଲ୍ଲାବାସୀଙ୍କ ଆବେଗରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଆସନ୍ତା ଅକ୍ଟୋବର ୩୦ରେ ଗଜଲକ୍ଷ୍ମୀ ପୂଜା ହେବାକୁ ଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ଏସ୍‌ଓପି ଜାରି କରାଯାଇନାହିଁ। ତେଣୁ ପୂଜା ହେବ କି ନାହିଁ ସେନେଇ ଅନିଶ୍ଚିତତା ଦେଖାଦେଇଛି। ଏପରି ସ୍ଥିତିରେ କରୋନା କଟକଣା ସହିତ ମା’ଙ୍କ ପୂଜା ପାଇଁ ଅନୁମତି ଦେବାକୁ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଚଳିତବର୍ଷ ଅକ୍ଟୋବର ୩୦ ତାରିଖରେ ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ। ତେଣୁ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମୂର୍ତ୍ତି ଗଠନ ପାଇଁ ମାଟି ଅନୁକୂଳ ସରିଲାଣି। ହେଲେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ପାଳନ କରିବାକୁ ଏସ୍‌ଓପି ପ୍ରକାଶ କରିନି।

ଏମିତି ଏକ ଝୁଲନ୍ତା ପରିସ୍ଥିତିରେ କେନ୍ଦ୍ରାପଡ଼ା ସହରର କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସହରର ଗୋବିନ୍ଦଜୀଉ ମଠ ପରିସରରେ ଅନୁଷ୍ଠିତ ଏହି ବୈଠକରେ  ଏବର୍ଷ ଗଜଲକ୍ଷ୍ମୀ ପୂଜାକୁ କୋଭିଡ୍ ନିୟମ ଅନୁସାରେ ପାଳନ କରିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଛି।BGUସହରର କେନ୍ଦ୍ରୀୟ ପୂଜା କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ସହରର କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ରବୀନ୍ଦ୍ର ମହାପାତ୍ର, ଥାନପତି ଗଜଲକ୍ଷ୍ମୀ ପୂଜା କମିଟି ସମ୍ପାଦକ ଅଶୋକ କୁମାର ଲେଙ୍କା ଆଦି ବରିଷ୍ଠ ସଦସ୍ୟ ଗଣ ସାମିଲ ହୋଇଥିଲେ।

Comment