ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ପଳାସପୁର ନିକଟ ଲୁଣା ନଦୀରୁ ଦୁଇ ଅଚିହ୍ନା ଯୁବକ ଯୁବତୀଙ୍କର ଗଳିତ ଶବ ଉଦ୍ଧାର ହୋଇଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ନଦୀ କୂଳିଆ ଲୋକେ ମୃତଦେହ ଦୁଇଟି ପାଖାପାଖି ହୋଇ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଜଣା ମୃତଦେହ ଭାସୁଥିବା ଶୁଣି ପୋଲିସ ଏତେ ଗୁରୁତ୍ଵ ଦେଇନଥିବା ବେଳେ ଅଗ୍ନିଶମବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ଶବ ଦୁଇଟି ଉଦ୍ଧାର କରାଯିବା ବେଳେ ସେମାନଙ୍କର ହାତ ଏକ ଓଢ଼ଣିରେ ବନ୍ଧା ହୋଇଥିଲା। ତେଣୁ ଏମାନେ କୌଣସି ପ୍ରେମୀଯୁଗଳ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପରିବାର ଲୋକେ ଏମାନଙ୍କର ବିବାହ ଓ ମିଳାମିଶାକୁ ଗ୍ରହଣ କରିନଥିବାରୁ ଏମାନେ ଏହି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଏମାନେ କେତେ ଦୂରରୁ ନଦୀରେ ଭାସିଭାସି ଆସି ଏଠାରେ ପହଞ୍ଚିଛନ୍ତି ତାହା ଜଣାପଡ଼ିନାହିଁ।BGUମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରାଙ୍କ ସୂଚନା ଅନୁସାରେ ଗତକାଲି ଶବ ଦୁଇଟି କଟକ ଜିଲ୍ଲାର ସାଲେପୁର ଓ ନେମାଳ ଥାନା ଅଞ୍ଚଳ ଦେଇ ଭାସିଭାସି ଆସିଥିଲା। ଏହାର ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏମାନଙ୍କର କେହି ଦାବିଦାର ମିଳିନାହାନ୍ତି। ଏହାଛଡ଼ା ଥାନାରେ କୌଣସି ମିସିଂ ରିପୋର୍ଟ ମଧ୍ୟ ହୋଇନାହିଁ। ତେବେ ଏମାନେ ଅନ୍ୟ କେଉଁ ଥାନା ଅଞ୍ଚଳର ତାହାର ତଦନ୍ତ ଚାଲିଛି ବୋଲି ମାର୍ଶାଘାଇ ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର କାଳିନ୍ଦୀ ବେହେରା ସୂଚନା ଦେଇଛନ୍ତି।

Comment