ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍‍ସି ପକ୍ଷରୁ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ତମ ଜୟନ୍ତୀ ପାଳିତ।

ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଂସ୍କାର ଆଣିବାରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭୂମିକା ଥିଲା ଅତୁଳନୀୟ। ବିଦ୍ୟାସାଗର ଜ୍ଞାନ ଶକ୍ତିରେ ମୁକ୍ତିର ବାଟ ଦେଖେଇଥିଲେ ବୋଲି କହିଛନ୍ତି ଲେଖକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ଏବଂ କୋଲ୍‍କାତା ପ୍ରେସ୍‍ କ୍ଲବ୍‍ର ମିଳିତ ଆନକୂଲ୍ୟରେ ‘ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ତମ ଜୟନ୍ତୀ: ବ୍ୟକ୍ତିତ୍ୱ ଓ ତାଙ୍କ ଲକ୍ଷ୍ୟ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେଇ ପ୍ରଫେସର ନାୟକ କହିଛନ୍ତି, ଓଡ଼ିଶା ତଥା ଓଡ଼ିଆ ସାହିତ୍ୟ ଉପରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବିଶେଷ ପ୍ରଭାବ ରହିଥିଲା। ତାଙ୍କ ଚରିତମାଳାକୁ ଫକୀର ମୋହନ ସେନାପତି ଓଡ଼ିଆରେ ଅନୁବାଦ କରିଥିଲେ। ଏହା ସେସମୟରେ ଖୁବ୍‍ ଗ୍ରହଣୀୟ ହୋଇଥିଲା। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଧବା ପୁନଃବିବାହକୁ ପ୍ରଚଳନ କରିବା ନେଇ ବେଶ୍‍ ଗୁରୁତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଦ୍ୟାସାଗର ଭାବେ ଜଣାଶୁଣା ବୈରାଗୀ ମିଶ୍ର ଏହି ଆନ୍ଦୋଳନକୁ ଆଗେଇ ନେଇଥିଲେ। ସେହିପରି ମୋହନଦାସ କରମଚାନ୍ଦ ଗାନ୍ଧୀ ମଧ୍ୟ ବିଦ୍ୟାସାଗରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଅସ୍ପୃଶ୍ୟତା ବିରୋଧରେ ହେଉ କି ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ହେଉ, ସବୁଥିରେ ଉଭୟ ବିଦ୍ୟାସାଗର ଓ ମହାତ୍ମା ଗାନ୍ଧୀ ଗୁରୁତ୍ୱ ଦେଉଥିଲେ। ବିଦ୍ୟାସାଗର ସମାଜର ସବୁ ବର୍ଗଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ଚାହୁଁଥିଲେ। ମହାତ୍ମା ଗାନ୍ଧୀ ମଧ୍ୟ। କିନ୍ତୁ ବ୍ରିଟିଶ ଉପନିବେଶୀୟ ଶାସନ ପରେପରେ ଭାରତରେ ଉଚ୍ଚ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଆରମ୍ଭ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି।ଇ-ଆଲୋଚନାଚକ୍ରରେ ଯୋଗଦେଇ ଶିକ୍ଷାବିତ ତଥା ସୁଲେଖକ ସୁବୀର ଘୋଷ କହିଛନ୍ତି, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କେବଳ ଜଣେ ସାମାଜିକ ସଂସ୍କାରକ ନଥିଲେ ବରଂ ସମାଜର ତୃଣମୂଳସ୍ତରର ଲୋକଙ୍କ ସମସ୍ୟାର ସମାଧାନକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ। ତାଙ୍କୁ ସାଧାରଣ ଲୋକଙ୍କ ସମସ୍ୟା ସବୁବେଳେ ବ୍ୟଥିତ କରୁଥିଲା। ସେଥିପାଇଁ ଲୋକେ ତାଙ୍କୁ ‘କରୁଣାସାଗର’ ଭାବେ କହିବାକୁ ଲାଗିଥିଲେ। ସମାଜର ଛୋଟବଡ଼ ବିଭିନ୍ନ ସମସ୍ୟା ଉପରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଅବଗତ ଥିଲେ। ତେଣୁ ଏସବୁର ସମାଧାନ ପାଇଁ ଖୁବ୍‍ ନିଷ୍ଠାର ସହ ସେ କାର୍ଯ୍ୟ କରିଥିଲେ। ତାଙ୍କ ଚିନ୍ତାଧାରା, ବ୍ୟକ୍ତିତ୍ୱ ଓ ଲକ୍ଷ୍ୟ ଥିଲା ଭିନ୍ନ। ସମାଜର ସ୍ୱାର୍ଥ ତାଙ୍କ ପାଇଁ ଥିଲା ସବୁକିଛି। ସେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତଥାକଥିତ ଧର୍ମ, ଭଗବାନଙ୍କୁ ବିଶ୍ୱାସ କରୁନଥିଲେ। ତାଙ୍କ ପାଇଁ ଜନସେବା ହିଁ ସବୁଠୁଁ ଶ୍ରେଷ୍ଠ ଧର୍ମ ଥିଲା ବୋଲି ଶ୍ରୀ ଘୋଷ ମତବ୍ୟକ୍ତ କରିଛନ୍ତି।ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ୟାମଲ ରାୟ କହିଛନ୍ତି, ବିଦ୍ୟାସାଗର କେବଳ ବଙ୍ଗ ପ୍ରଦେଶ ଓ ବଙ୍ଗାଳୀଙ୍କ ଆଇକନ୍‍ (ପ୍ରତୀକ) ନଥିଲେ, ବରଂ ସେ ଥିଲେ ସମଗ୍ର ଭାରତର ତଥା ଭାରତୀୟଙ୍କ ଆଇକନ୍‍। ବିଧବା ପୁନଃବିବାହ ସପକ୍ଷରେ, ବାଳବିବାହ ବିରୋଧରେ ଆଦି ଅନେକ ସାମାଜିକ ସଂସ୍କାର ଆଣିବା ଦିଗରେ ସେ ସ୍ମରଣୀୟ ହୋଇ ରହିଛନ୍ତି। ସେ ବିଶ୍ୱାସ କରୁଥିଲେ ମହିଳାମାନେ ଶିକ୍ଷିତ ହେଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ। ଆଜିର ଦିନରେ ସାରା ଦେଶରେ ତାଙ୍କର ଏ ମହାନ ଚିନ୍ତାଧାରାର ଗୁରୁତ୍ୱ ରହିଛି। ସେହିପରି ବଙ୍ଗଳା ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ପୁସ୍ତକ ‘ବର୍ଣ୍ଣ ପରିଚୟ’ ଆଜି ମଧ୍ୟ ବହି ଦୋକାନ ଏବଂ ପୁସ୍ତକ ମେଳାରେ ବିକ୍ରି ହେଉଛି।ବାଂଲାଦେଶର ଚିତ୍ତାଗଙ୍ଗ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରାଜୀବ ନନ୍ଦୀ କହିଛନ୍ତି, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଜଣେ ଏକାକୀ ସଂଗ୍ରାମୀ ଥିଲେ। ସେ ଏମିତି ଏକ ଶିକ୍ଷା ବ୍ୟବସ୍ଥା ଚାହୁଁଥିଲେ, ଯେଉଁଥିରେ ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ। ତାଙ୍କ ଜୀବନୀ ଓ ଚରିତ୍ରରୁ ଅନେକ କିଛି ଶିଖିବାର ଅଛି। ବାଂଲାଦେଶ ଏବଂ ବାଂଲାଦେଶବାସୀଙ୍କ ଭିତରେ ମଧ୍ୟ ତାଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରାର ଗଭୀର ପ୍ରଭାବ ରହିଛି। ସେ ଗୋଟିଏ ପରେ ଗୋଟିଏ ସାମାଜିକ ସଂସ୍କାର କରିବାରେ ଲାଗିପଡ଼ିଥିଲେ। ଏଥିପାଇଁ ତାଙ୍କୁ ଅନେକ ସମର୍ଥନ ବି ମିଳୁଥିଲା। ତେବେ କିଛି ସମାଲୋଚକ ତାଙ୍କର ଏସବୁ କାର୍ଯ୍ୟକୁ ସମାଲୋଚନା କରୁଥିଲେ। କିନ୍ତୁ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ସମାଲୋଚନାକୁ ଖାତିର ନକରି ନିଷ୍ଠାର ସହ ସବୁବେଳେ ସମାଜର ହିତକୁ ଗୁରୁତ୍ୱ ଦେଇଚାଲୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି।BGUପ୍ରାରମ୍ଭିକ ଭାଷଣରେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ତାଙ୍କ ଜୀବନକାଳ ଭିତରେ ଅନେକ ସାମାଜିକ ସଂସ୍କାର ଆଣିଛନ୍ତି। ବିଧବା ପୁନଃବିବାହ ପ୍ରଚଳନ କରିବା ଦିଗରେ ସେ  ଖୁବ୍‍ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେହିପରି ଶିକ୍ଷା ବିଶେଷତଃ ମହିଳା ଶିକ୍ଷାକୁ ସେ ସବୁଠୁଁ ବେଶୀ ଗୁରୁତ୍ୱ ଦେଉଥିଲେ। ଏହା ଉପରେ ସେ ବେଶ୍‍ କିଛି ପୁସ୍ତକ ଲେଖିଛନ୍ତି। ସେ ନିଜେ ଜଣେ ପୁରାତନପନ୍ଥୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ଚିନ୍ତାଧାରା ଆଧୁନିକ ଥିଲା। ବର୍ତ୍ତମାନ ସମୟରେ ତଥା ଆସନ୍ତା ଶହଶହ ବର୍ଷ ଧରି ତାଙ୍କର ଏ ଚିନ୍ତାଧାରା ପ୍ରାସଙ୍ଗିକ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି।
ଆଲୋଚନା ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣକାରୀଙ୍କ କିଛି ପ୍ରଶ୍ନର ଉତ୍ତର ରଖିଥିଲେ ବକ୍ତାମାନେ। ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ୍‍ଙ୍କ ସଂଯୋଜନାରେ ଆୟୋଜିତ ଏହି ଇ-ଆଲୋଚନାଚକ୍ରରେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର।

Comment