ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ସମଗ୍ର ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ମେଡିକାଲ ଏଣ୍ଟ୍ରାନ୍ସରେ ବସିବେ। କରୋନା ମହାମାରୀ ଯୋଗୁଁ କଡ଼ା ନିୟମ ଓ କଟକଣା ଭିତରେ ଏବର୍ଷର ନିଟ ପରୀକ୍ଷା ହେବାକୁ ଯାଉଛି। ବ୍ୟକ୍ତିଗତ ଦୂରତା ରକ୍ଷା କରିବା ପାଇଁ ଏନଟିଏ ବା ନ୍ୟାସନାଲ ଟେସ୍ଟିଙ୍ଗ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ରୁମରେ ୨୪ ପିଲା ବସୁଥିବା ବେଳେ ଏଥର ୧୨ ପିଲା ବସିବେ।

ଜେଇଇ ପରୀକ୍ଷା ଭଳି ନିଟ ପରୀକ୍ଷା କମ୍ପ୍ୟୁଟରରେ ହୁଏନି। ପିଲାଙ୍କୁ କାଗଜ କଲମରେ ପରୀକ୍ଷା ଦେବାକୁ ହୋଇଥାଏ।କୋଭିଡ ଯୋଗୁଁ ଦୁଇ ଥର ପରୀକ୍ଷା ଘୁଞ୍ଚିବା ପରେ ସେପ୍ଟେମ୍ବର ୧୩ରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ତଥାପି ଏହାକୁ ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।କିନ୍ତୁ କୋର୍ଟ ସଫା ସଫା ମନା କରିଦେଇଥିଲେ। ଏବର୍ଷ ମୋଟ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ଫର୍ମ ଭରିଛନ୍ତି। ହଲରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ନିଜ ନିଜ ସିଟରେ ବସି ପରୀକ୍ଷା ଦେବା ଯାଏଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।ସୋସିଆଲ ଡ଼ିଷ୍ଟାନସିଂ ପାଇଁ କଣ କରିବେ କଣ ନକରିବେ ସେ ନେଇ ପିଲାଙ୍କୁ ବିସ୍ତୃତ ଗାଇଡ୍ଲାଇନ ଦିଆଯାଇଛି।ଏବର୍ଷ ନିଟ ପରୀକ୍ଷାର ବିଶେଷତ୍ୱ ହେଉଛି ସବୁ ସେଣ୍ଟରରେ ପ୍ରବେଶ ଦ୍ୱାରରେ ସାନିଟାଇଜର ବ୍ୟବସ୍ଥା, ଆଡ଼ମିଟ କାର୍ଡ଼ ବଦଳରେ ବାର କୋଡ଼ ସ୍କାନିଂ ଇତ୍ୟାଦି।ଆହୁରି ମଧ୍ୟ, ହଲରେ ପ୍ରବେଶ ପର୍ଯ୍ୟନ୍ତ ପିଲା ନିଜ ମାସ୍କ ବ୍ୟବହାର କରିବେ। କିନ୍ତୁ ହଲରେ ପଶିବା ପରେ ପରୀକ୍ଷା ଏଜେନ୍ସି ପକ୍ଷରୁ ଦିଆଯାଇଥିବା ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଏହି ଥ୍ରୀ-ପ୍ଲାଇ ମାସ୍କ କେବଳ ନିଟ ପିଲାଙ୍କ ପାଇଁ ତିଆରି ହୋଇଥିବା ଜଣାପଡିଛି। ଏହି ମାସ୍କ ପିନ୍ଧିବା ପରେ ପରୀକ୍ଷାର୍ଥୀ ମାନେ ଆଉ ଅସାଧୁ ଉପାୟ ଅବଲମ୍ବନ କରି ପାରିବେ ନାହିଁ।

ପିଲାଙ୍କ ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ସକାଶେ ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ସରକାର ଘୋଷଣା କରିଛନ୍ତି। ବଡ଼ ବଡ଼ ସହରରେ ପରୀକ୍ଷା କେନ୍ଦ୍ର ଚିହ୍ନଟରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ଆଇଆଇଟିର କିଛି ଆଲୁମନାଇ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି।

LEAVE A REPLY

Please enter your comment!
Please enter your name here