ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଚନ୍ଦକା-ଡମପଡ଼ା ଜଙ୍ଗଲରୁ ଆଠଗଡ଼ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ୨୦ ହାତୀ ମହାନଦୀ ପଠାରେ ଅଟକି ଯାଇଛନ୍ତି। ମହାନଦୀରେ ବନ୍ୟାଜଳ ଥିବାରୁ ହାତୀମାନେ ଆଉ ଆଗକୁ ବଢ଼ିପାରିନାହାନ୍ତି। ତେଣୁ ସେମାନେ ଆଜି ଦିନ ତମାମ ପଠାରେ ବୁଲିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଭଗିପୁର ନିକଟବର୍ତ୍ତୀ ମହାନଦୀ ପଠାରେ।

ମିଳିଥିବା ସୂଚନା ମୁତାବକ, ଚନ୍ଦକା-ଡମପଡ଼ା ଜଙ୍ଗଲରୁ ହାତୀମାନେ ମହାନଦୀର ଦକ୍ଷିଣପାଶ୍ୱର୍ରେ ରହିଥିବା ଆଠଗଡ଼ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ପ୍ରତିମାସରେ ଏକାଧିକ ଥର ଆସିଥାନ୍ତି। ତେବେ ଗତ ୧୫ ଦିନ ହେଲା ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ହାତୀଙ୍କ ଗତିପଥରେ ସମସ୍ୟା ସୃଷ୍ଟି ହୋଇଛି। ନଦୀରେ ପାଣି ସ୍ୱାଭାବିକଠାରୁ ଅଧିକ ଥିବାରୁ ହାତୀମାନେ ଯାଆସ କରିପାରୁନାହାନ୍ତି।BGUତେବେ ଏହି ହାତୀମାନେ ମହାନଦୀ ପଥ ଦେଇ ଚନ୍ଦକାରୁ ଆଠଗଡ଼ କିମ୍ବା ଆଠଗଡ଼ ଜଙ୍ଗଲରୁ ଚନ୍ଦକା ଯାଉଥିବା ବାଟରେ ଅଟକିଯାଇଛନ୍ତି। ହାତୀଙ୍କ ସଂଖ୍ୟା ପ୍ରାୟ ୨୦ ଥିବା କୁହାଯାଉଥିବା ବେଳେ ଏମାନଙ୍କୁ ସୁରକ୍ଷିତ ପୁଣି ଜଙ୍ଗଲକୁ ଫେରାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ଏତେ ସଂଖ୍ୟାରେ ଫସିରହିଥିବା ହାତୀଙ୍କୁ ଦେଖିବାକୁ ଆଜି ମୁଣ୍ଡଳୀ ବାଆଁରାଠାରୁ ଆରମ୍ଭ କରି ବାଙ୍କୀ ଭଗିପୁର ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଖବରପାଇ ଡମପଡ଼ା ରେଞ୍ଜ ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତି, ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର, ଭଗିପୁର ବନାଧିକାରୀ ପ୍ରମୋଦ କୁମାର ରାଉତ ଓ ତାଙ୍କ ଟିମ୍ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ସନ୍ଧ୍ୟା ପରେ ହାତୀପଲ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଆଠଗଡ଼ ଅଭିମୁଖେ ଯାଇପାରନ୍ତି ବୋଲି ରେଞ୍ଜର କହିଛନ୍ତି।

Comment